30.1 C
Bhubaneswar
Friday, May 3, 2024
Homeଓଡିଶାମହଙ୍ଗା ପଡ଼ିଲା ଅନ୍‌ଲାଇନ୍ ଅର୍ଡର; ମାସ୍କ ଓ ସାନିଟାଇଜର ଲାଗି ହରାଇଲେ ୨ ଲକ୍ଷ ୯୦...

ମହଙ୍ଗା ପଡ଼ିଲା ଅନ୍‌ଲାଇନ୍ ଅର୍ଡର; ମାସ୍କ ଓ ସାନିଟାଇଜର ଲାଗି ହରାଇଲେ ୨ ଲକ୍ଷ ୯୦ ହଜାର ଟଙ୍କା

କଟକ : ଅନଲାଇନ୍‌ରେ ମାସ୍କ ଓ ସାନିଟାଇଜର କିଣିବା ଅର୍ଡର ଦେବା ଜଣେ ବ୍ୟବସାୟୀଙ୍କୁ ମହଙ୍ଗା ପଡିଛି । ବ୍ୟବସାୟୀ ଜଣକ ସାନିଟାଇଜର, ସର୍ଜିକାଲ ଗ୍ଲୋଭସ, ଅକସିମିଟର ଓ ଏନ ୯୫ ମାସ୍କ ଅର୍ଡର କରି ଅଗ୍ରୀମ ୨ ଲକ୍ଷ ୯୦ ହଜାର ଟଙ୍କା ପୈଠ କରି ଠକାମୀର ଶିକାର ହୋଇଛନ୍ତି । ଜିନିଷ ମିଳିଲା ନାହିଁ କିମ୍ବା ଟଙ୍କା ଫେରସ୍ତ ହେଲାନି । ଶେଷରେ ସେ ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ସୂଚନା ଅନୁଯାୟୀ, ଚୌଧୁରୀ ବଜାର ଜୁବୁଲି ଟାୱାରର ୪/ଇରେ ରହୁଥିବା ଶତାବ୍ଦି ଶୁକ୍ଳା ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର କରିବା ପରେ ଗଞ୍ଜାମ ଜିଲ୍ଲାରେ କୋଭିଡ ରୋଗୀମାନଙ୍କ ପାଇଁ କାଉନସେଲର ବା ମନ୍ତ୍ରଣାଦାତା ଭାବେ କାର୍ଯ୍ୟ କରୁଛନ୍ତି । ୨୦୨୦ ଅଗଷ୍ଟ ୨୦ରୁ ନୋବିଲିଟି ଏଣ୍ଟରପ୍ରାଇଜର ଭାବେ ତାଙ୍କର ଏକ ସଂସ୍ଥା ଏହି କାର୍ଯ୍ୟରେ ନିୟୋଜିତ ରହିଛି । ସେଠାରେ କୋଭିଡ ରୋଗୀମାନଙ୍କୁ କରୋନା ସୁରକ୍ଷା ସାମଗ୍ରୀ ଯଥା ସର୍ଜିକାଲ ମାସ୍କ, ସର୍ଜିକାଲ ଗ୍ଲୋଭସ୍‌, ଏନ୯୫ ମାସ୍କ, ଅକ୍‌ସିମିଟର, ହାତ ସାନିଟାଇଜର ଆଦି ଯୋଗାଣ ନିମନ୍ତେ ସେ ଆଗ୍ରହୀ ହେଲେ । ଏହାପରେ ଗତ ଅପ୍ରେଲ ୩୦ରେ ସେ ଏକ ୱେବ୍‌ସାଇଟ୍‌ରେ ଗୁଜୁରାଟର ଶ୍ରୀ ଫାର୍ମାର ସାନିଟାଇଜର ଓ ମାସ୍କ ବିକ୍ରିର ବିଜ୍ଞାପନ ଦେଖିଲେ । କମ୍ପାନୀର ଜିଏସଟି ନମ୍ବର, ଇମେଲ ଆଇଡ଼ି, ଯୋଗାଯୋଗ ଟେଲେଫୋନ୍ ନମ୍ବର ଓ ସଂସ୍ଥାର ମାଲିକ ଜିଗନେଶ କୁମାର ପଟେଲ ବୋଲି ଉଲ୍ଲେଖ ରହିଥିଲା । ଏହା ପରେ ସବୁ କିଛି ଯାଞ୍ଚ କଲା ପରେ ସେ ଶ୍ରୀ ପଟେଲଙ୍କ ସହ ଟେଲିଫୋନରେ ଯୋଗାଯୋଗ କଲେ ଓ ଉକ୍ତ ୱେବ୍‌ସାଇଟ୍‌ରେ ଦିଆଯାଇଥିବା କମ୍ପାନୀଠାରୁ ଜିନିଷ କିଣିବା ପାଇଁ ନିଷ୍ପତ୍ତି କଲେ । ଏହା ପରେ ସେ ୬୭୦ ବାକ୍‌ସ ସର୍ଜିକାଲ ଗ୍ଲୋଭ୍‌ସ, ୧୦ ହଜାର ସର୍ଜିକାଲ ମାସ୍କ, ୫ ହଜାର ଏନ୯୫ ମୁହଁ ମାସ୍କ, ୬୦ଟି ଅକ୍ସିମିଟର ଅର୍ଡର କଲେ । ଶ୍ରୀ ପଟେଲ ଉଭୟ ଫୋନ୍ ଓ ହ୍ୱାଟସଅପରେ ତାଙ୍କ ଅର୍ଡ଼ର ସମ୍ପର୍କରେ ନିଶ୍ଚିତ କରିବା ସହ ଉତ୍ତର ପ୍ରଦେଶର ଦିବିୟାପୁର ଶାଖାରୁ ସାମଗ୍ରୀ ପଠାଇବେ ଓ ତାହା ମେ ମାସ ୨ ତାରିଖରେ କଟକରେ ପହଞ୍ôଚବ ବୋଲି କହିଥିଲେ । ତାଙ୍କ ସାମଗ୍ରୀର ମୂଲ୍ୟ ୩ ଲକ୍ଷ ୨୦ ହଜାର ଟଙ୍କା ହୋଇଥିବା ବେଳେ ତାଙ୍କୁ ୭୦ ପ୍ରତିଶତ ଅଗ୍ରୀମ ପ୍ରଦାନ କରିବାକୁ କୁହାଗଲା ବେଳେ ଅବଶିଷ୍ଟ ଟଙ୍କା ସାମଗ୍ରୀ ପାଇବା ପରେ ପୈଠ କରିବାକୁ ପଡ଼ିବ । ତଦନୁଯାୟୀ ଅପ୍ରେଲ ୩୦ରେ ୮୦ ହଜାର, ମେ ୧ରେ ୮ ହଜାର ୪୦୦ ଓ ୩୬ ହଜାର, ମେ ୨ରେ ୪୦ ହଜାର, ମେ ୩ରେ ୧୭ ହଜାର ଓ ୨୦ ହଜାର ଏବଂ ୬୮ ହଜାର ୫୦୦ କରି ମୋଟ୍ ୨ ଲକ୍ଷ ୯୦ ହଜାର ଟଙ୍କା କମ୍ପାନୀ ଆକାଉଣ୍ଟରେ ଜମା କଲେ । ମେ ୪ ତାରିଖରେ ଶ୍ରୀ ପଟେଲକୁ ସାମଗ୍ରୀ ସମ୍ପର୍କରେ ପଚାରିବାରୁ ସାମଗ୍ରୀ ଟ୍ରକରେ ପଠା ଯାଇଥିବା କହିବା ସହ ଡ୍ରାଇଭରର ଫୋନ୍ ନମ୍ବର ମଧ୍ୟ ଦେଇଥିଲେ । ତା’ ପରେ ମଧ୍ୟ ସାମଗ୍ରୀ ନ ପହଞ୍ଚିବାରୁ ଯୋଗାଯୋଗ କରିବାରୁ ଡ୍ରାଇଭର ତାଙ୍କୁ ଠକି ଦେଇଥିବା ଓ ସାମଗ୍ରୀ ଫ୍ଲାଇଟରେ ପହଞ୍ଚିବ ବୋଲି କହିଥିଲେ । ସେଥିରେ ମଧ୍ୟ ବିଫଳ ହେବାରୁ ଶ୍ରୀ ପଟେଲଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯିବା ବେଳକୁ ତାଙ୍କ ମୋବାଇଲ ବନ୍ଦ ଥିବା ଜଣାପଡ଼ିଥିଲା । ଏହାପରେ ସେ ଠକାମୀର ଶିକାର ହୋଇଥିବା ଜାଣି ଗତ ୮ ତାରିଖରେ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ । ସମ୍ପୃକ୍ତ ଠକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କ ଅଗ୍ରୀମ ୨ ଲକ୍ଷ ୯୦ ହଜାର ଟଙ୍କା ଫେରସ୍ତ ପାଇବାର ବ୍ୟବସ୍ଥା କରିବା ସହ କ୍ଷତିପୂରଣ ବାବଦକୁ ୫ ଲକ୍ଷ ଟଙ୍କା ଆଦାୟ କରିବାକୁ ଶତାବ୍ଦି ତାଙ୍କ ଅଭିଯୋଗରେ ନିବେଦନ କରିଛନ୍ତି । ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking