ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଶିକ୍ଷାବର୍ଷରୁ ପ୍ରଥମରୁ ଦଶମ ଶ୍ରେଣୀ ଲାଗି ଲାଗୁହେବ ଗୋଟିଏ ନିୟମ । ଯେଉଁ ନିୟମ ଅନୁଯାୟୀ ଏଣିକି ଏକାଡେମିକ କ୍ୟାଲେଣ୍ଡର ବଦଳରେ ଲାଗୁ ହେବ ୟୁନିଫର୍ମ କ୍ୟାଲେଣ୍ଡର । ଫଳରେ ଶିକ୍ଷାବର୍ଷ ଆରମ୍ଭ ହେବା ପରେ ଏକ ସମୟରେ ପାଠପଢ଼ା ହେବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ କୋର୍ସ ଶେଷକରି ପରୀକ୍ଷା ପରିଚାଳନା ଏବଂ ଫଳ ପ୍ରକାଶନ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଫଳରେ ରାଜ୍ୟରେ ଥିବା ପ୍ରାୟ ୬୨ହଜାର ସ୍କୁଲରେ ଏକ ସମୟରେ ପାଠପଢ଼ା ଆରମ୍ଭ ହେବା ସହ ଗୋଟିଏ ସମୟ ମଧ୍ୟରେ ବାର୍ଷିକ ପରୀକ୍ଷାର ଫଳ ପ୍ରକାଶ ପାଇପାରିବ ।
ଏହି ଅଭିନବ ପ୍ରୟାସ ଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୟୁନିଫର୍ମ କ୍ୟାଲେଣ୍ଡର କମିଟି ଗଠନ କରାଯିବ । ଯେଉଁ କମିଟିରେ ୧୧ସଦସ୍ୟ ଏବଂ ୨ ଅଧ୍ୟକ୍ଷ ରହିବେ । ପ୍ରଥମରୁ ପଞ୍ଚମ ଶ୍ରେଣୀ, ଷଷ୍ଠରୁ ଅଷ୍ଟମ ଏବଂ ନବମ ଓ ଦଶମ ଶ୍ରେଣୀ ପାଇଁ କମିଟିର ସଦସ୍ୟମାନେ ୟୁନିଫର୍ମ କ୍ୟାଲେଣ୍ଡର ପ୍ରସ୍ତୁତ କରିବେ । ଯେଉଁ କ୍ୟାଲେଣ୍ଡରରେ ଜୁନ, ନଭେମ୍ବର, ଜାନୁଆରୀ ଏବଂ ମାର୍ଚ୍ଚମାସକୁ ଟାର୍ଗେଟ୍ ଭାବେ ସାମିଲ କରାଯିବ । ଜୁନ୍ରୁ ପାଠପଢ଼ା ଆରମ୍ଭ ହେବା ପରେ ନଭେମ୍ବରରେ ଷାଣ୍ମାସିକ ପରୀକ୍ଷା, ଜାନୁଆରୀରେ ବାର୍ଷିକ କ୍ରୀଡ଼ା ଓ ବାର୍ଷିକ ଉତ୍ସବ ପାଳନ ଏବଂ ମାର୍ଚ୍ଚ ପ୍ରଥମ ସପ୍ତାହରେ ବାର୍ଷିକ ପରୀକ୍ଷା ପରିଚାଳନା କରି ଶେଷ ସପ୍ତାହରେ ଫଳ ପ୍ରକାଶ କରାଯିବା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବ ।
ପୂର୍ବରୁ ଉଭୟ ଯୁକ୍ତଦୁଇ ଏବଂ ଯୁକ୍ତତିନି ଲାଗି ଏକାଡେମିକ କ୍ୟାଲେଣ୍ଡର ପ୍ରସ୍ତୁତ ଲାଗି ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ । ଗତ ୨ବର୍ଷ ହେବ ଯୁକ୍ତତିନି ଲାଗି ରାଜ୍ୟରେ ଏକାଡେମିକ କ୍ୟାଲେଣ୍ଡର କାର୍ଯ୍ୟକାରୀ ହେଉଛି । ମାତ୍ର ରାଜ୍ୟରେ ସ୍କୁଲସ୍ତରରେ ପ୍ରଥମଥର ଲାଗି ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ସରକାର ପୂର୍ବରୁ ନିଷ୍ପତ୍ତି ନେଇଥିଲେ । ମାତ୍ର ରାଜ୍ୟର ବିଭିନ୍ନ ସ୍କୁଲର ପରିଚାଳନା କମିଟି ସେମାନଙ୍କ ସୁବିଧା ଅନୁଯାୟୀ ଏକାଡେମିକ କ୍ୟାଲେଣ୍ଡର ପ୍ରସ୍ତୁତ କରି ଏହାକୁ କାର୍ଯ୍ୟକାରୀ କରିବାକୁ ଅନୁମତି ଲୋଡ଼ିଥିଲେ ।
ତେବେ ରାଜ୍ୟ ସ୍ତରରେ ଯେଉଁ ଏକାଡେମିକ କ୍ୟାଲେଣ୍ଡର ପ୍ରସ୍ତୁତ ହୋଇଥିଲା ସେଥିରେ ପାଠପଢ଼ା ଆରମ୍ଭ, ଉଜ୍ୱଳ-ଉଥାନ କାର୍ଯ୍ୟକ୍ରମ, ଷାଣ୍ମାସିକ ପରୀକ୍ଷା, ବାର୍ଷିକ କ୍ରୀଡ଼ା ଓ ବାର୍ଷିକ ଉତ୍ସବ ପାଳନ, ପରୀକ୍ଷା ପରିଚାଳନା ଓ ଫଳ ପ୍ରକାଶ ଆଦି ସେମାନଙ୍କ ସୁବିଧା ଅନୁଯାୟୀ ପ୍ରସ୍ତୁତ କରାଯାଇଥିଲା । ଫଳରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭିନ୍ନଭିନ୍ନ ସମୟରେ କୋର୍ସ ଶେଷ ହେବା ସହ ବାର୍ଷିକ କ୍ରୀଡ଼ା ଓ ବାର୍ଷିକ ଉତ୍ସବ ପାଳନ ଏବଂ ବାର୍ଷିକ ପରୀକ୍ଷା ପରିଚାଳନାର କୌଣସି ନିର୍ଦ୍ଧିଷ୍ଟତା ନଥିବା ଦେଖିବାକୁ ମିଳିଥିଲା । ସେହିପରି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଯେଉଁ ସବୁ ଯୋଜନା କାର୍ଯ୍ୟକାରୀ ହେଉଛି ସେସବୁକୁ ମଧ୍ୟ ଏକାଡେମିକ କ୍ୟାଲେଣ୍ଡରରେ ଠିକ୍ ଭାବେ ପ୍ରସ୍ତୁତ କରାଯାଇନଥିଲା ।
ତେବେ ରାଜ୍ୟରେ ସବୁ ସ୍କୁଲରେ ଏକକ ସମୟରେ ସମସ୍ତ କାର୍ଯ୍ୟ ସମ୍ପାଦନ କରିବା ଲାଗି ଏକାଡେମିକ କ୍ୟାଲେଣ୍ଡର ବଦଳରେ ୟୁନିଫର୍ମ କ୍ୟାଲେଣ୍ଡର କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି । ଯେଉଁଥିରେ ପ୍ରତିବର୍ଷ ଶିକ୍ଷାବର୍ଷ ମଧ୍ୟରେ ସବୁ ଶ୍ରେଣୀର ପାଠପଢ଼ା ସହିତ ସରକାରଙ୍କ ସମସ୍ତ ଯୋଜନା ଯେପରି ଏକ ସମୟରେ କାର୍ଯ୍ୟକାରୀ ହୋଇପାରିବ ଏବଂ ପ୍ରତିବର୍ଷ ଏକ ସମୟରେ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ବାର୍ଷିକ ପରୀକ୍ଷା ଶେଷ ହେବ ସେନେଇ ବିଭାଗ ପକ୍ଷରୁ ଉଦ୍ୟମ ହୋଇଛି । ଏନେଇ ରାଜ୍ୟର ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯିବା ସହ ବିଇଓଙ୍କୁ ସବୁ ସ୍କୁଲ ପରିଦର୍ଶନ କରି ଷ୍ଟାଟସ୍ ରିପୋର୍ଟ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି । ଆସନ୍ତା ଡିସେମ୍ବର ଶେଷସୁଦ୍ଧା ସବୁ ସ୍କୁଲର ପରିଚାଳନା କମିଟି ସହ ପରାମର୍ଶ ଏବଂ ସ୍କୁଲ୍ସ୍ତରରେ ପ୍ରଧାନଶିକ୍ଷକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକର ନିଷ୍ପତ୍ତିକୁ ଗୁରୁତ୍ୱ ଦେଇ ଫେବୃଆରୀ ଶେଷ ସୁଦ୍ଧା ଏହାର ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି ।
ସ୍କୁଲ ଓ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ରାଜ୍ୟରେ ପ୍ରଥମଥର ଲାଗି ଆରମ୍ଭ ହେବାକୁ ଥିବା ୟୁନିଫର୍ମ କ୍ୟାଲେଣ୍ଡରରେ କେବଳ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସାମିଲ ହୋଇଥିବା ବେଳେ ଦଶମ ବୋର୍ଡ ପରୀକ୍ଷାକୁ ବାଦ୍ ଦିଆଯାଇଛି । ଏକ ସମୟରେ ସବୁ ଶ୍ରେଣୀର ରେଜଲ୍ଟ ପ୍ରକାଶ ପାଇବା ପରେ ସବୁ ପିଲାଙ୍କର ମାର୍କ ସିଟ୍ ଏଣିକି ଯାଞ୍ଚ କରାଯିବ । ତେଣୁ ଏପ୍ରିଲ ସୁଦ୍ଧା ଫଳ ପ୍ରକାଶ ପାଇବା ପରେ ମେ ଶେଷ ସୁଦ୍ଧା ରାଜ୍ୟର ସବୁ ଶ୍ରେଣୀର ପିଲାଙ୍କ ଦକ୍ଷତା ବିଭାଗ ପାଖରେ ପହଞ୍ôଚ ପାରିବ । ବିଭାଗ ପକ୍ଷରୁ ଦୁର୍ବଳ ପିଲାଙ୍କ ଲାଗି ଯେଉଁ ଶିକ୍ଷାଦାନ ବ୍ୟବସ୍ଥା ହୋଇଛି ତାହା ଠିକ୍ ଭାବେ କାର୍ଯ୍ୟକାରୀ ହେବା ସହ ପିଲାମାନେ ଉପକୃତ ହୋଇପାରିବେ ବୋଲି ଆଶା ରହିଛି ।