33.1 C
Bhubaneswar
Friday, May 17, 2024
Homeଓଡିଶାବିଚାର ବିଭାଗର ପୁରୁଣା ଦସ୍ତାବିଜ୍ ଗୁପ୍ତଧନ ସଦୃଶ: ମୁଖ୍ୟମନ୍ତ୍ରୀ

ବିଚାର ବିଭାଗର ପୁରୁଣା ଦସ୍ତାବିଜ୍ ଗୁପ୍ତଧନ ସଦୃଶ: ମୁଖ୍ୟମନ୍ତ୍ରୀ

କଟକ: ଗୋଟିଏ ସଂଗ୍ରହାଳୟରେ କେବଳ ଦେଶ ଐତିହ୍ୟର ଡକ୍ୟୁମେଣ୍ଟ ସ୍ଥାନ ପାଇନଥାଏ, ସେଠାରେ ଏକ ଅନୁଷ୍ଠାନର ସ୍ମୃତି ଏଥିସହ ଜଡ଼ିତ ହୋଇ ରହିଥାଏ । ବିଚାର ବ୍ୟବସ୍ଥାରେ ଯେଉଁସବୁ ପୁରୁଣା ଦସ୍ତାବିଜ୍ ରହିଛି ସେସବୁ ଗୁପ୍ତଧନ ସଦୃଶ । ବିଚାର ବିଭାଗୀୟ ଇତିହାସକୁ ସଂରକ୍ଷଣ ପାଇଁ ଓଡ଼ିଶା ହାଇକୋର୍ଟ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ କାର୍ଯ୍ୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି । ସେଣ୍ଟର୍ ଫର୍ ଜୁଡିସିଆଲ୍ ଆର୍କାଇଭ୍ ବିଲଡିଂ ଓ ହାଇକୋର୍ଟ କର୍ମଚାରୀଙ୍କ ପାଇଁ କ୍ୱାର୍ଟର୍ସର ଭିତ୍ତିପ୍ରସ୍ତର ସ୍ଥାପନକରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି । ସେ କହିଲେ ଯେ ବିଚାର ବ୍ୟବସ୍ଥାରେ ଏଭଳି ସଂଗ୍ରହାଳୟ ଖୋଲାଯିବା ଏକ ପ୍ରଶଂସନୀୟ ପଦକ୍ଷେପ । ଏଭଳି ପଦକ୍ଷେପ ଉଭୟ ଐତିହାସିକ ଏବଂ ଯୁବ ଆଇନଜୀବୀଙ୍କ ପାଇଁ ପ୍ରେରଣାଦାୟକ ହୋଇପାରିବ । ବିଭିନ୍ନ ଆଲୋଚନାଚକ୍ର ଜରିଆରେ ସାଧାରଣ ଲୋକେ ମଧ୍ୟ ଏ ସଂକ୍ରାନ୍ତରେ ଅନେକ ଜ୍ଞାନ ଆହରଣ କରିପାରିବେ । ଅନ୍ୟ ଏକାଡେମୀ ସହ ଆମ ବିଚାର ବିଭାଗୀୟ ଦସ୍ତାବିଜ୍‌କୁ ସେୟାର୍ କରାଯିବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍‌.ମୁରଲୀଧର କହିଲେ ଯେ ଗୋଟିଏ ସମୟରେ ଦୁଇଟି ପ୍ରକଳ୍ପର ଶିଳାନ୍ୟାସ ହେଉଥିଲାବେଳେ ଏହା ଓଡ଼ିଶା ହାଇକୋର୍ଟ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ପୁରୁଣା ରେକର୍ଡ ସଂରକ୍ଷଣର ଚିନ୍ତାଧାରା କିପରି ତାଙ୍କ ମଧ୍ୟରେ ଆସିଥିଲା ସେ ସଂକ୍ରାନ୍ତରେ ଜଷ୍ଟିସ୍ ମୁରଲୀଧର ବର୍ଣ୍ଣନା କରିଥିଲେ । ସେ କହିଥିଲେ, ଗଞ୍ଜାମ ଜିଲ୍ଲା କୋର୍ଟର ରେକର୍ଡ ରୁମ୍ ପରିଦର୍ଶନ ସମୟରେ ସେ ସେଠାରେ ୧୮୧୪ଟି ପୁରୁଣା ରେକର୍ଡ ପାଇଥିଲେ । ଏହି ରେକର୍ଡ ତାଙ୍କ ମନରେ ଏକ ସଂଗ୍ରହାଳୟ ଖୋଲିବା ପାଇଁ ପଥ ପରିସ୍କାର କରିଥିଲା । ଏଥିପାଇଁ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ସହଯୋଗକୁ ମୁଖ୍ୟ ବିଚାରପତି ପ୍ରଶଂସା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ତଥା ସୁପ୍ରିମ୍‌କୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଭିନୀତ୍ ଶରଣ ଯୋଗଦେଇ ଷ୍ଟାଫ୍‌ମାନଙ୍କ ପାଇଁ କ୍ୱାର୍ଟର୍ସ ତିଆରି କରିବା ତାଙ୍କର ଏକ ସ୍ୱପ୍ନଥିଲା ବୋଲି କହିଥିଲେ । ବର୍ତ୍ତମାନର ମୁଖ୍ୟ ବିଚାରପତିଙ୍କ ପ୍ରଚେଷ୍ଟା ପାଇଁ ଏଭଳି ଏକ ସ୍ୱପ୍ନପୂରଣ ହେବାକୁ ଯାଉଥିବାରୁ ସେ ଏହାର ପ୍ରଶଂସା କରିଥିଲେ । ଓଡ଼ିଶା ବର୍ତ୍ତମାନ ଡିଜିଟାଇଜେସନ୍ ଏବଂ ଭର୍ଚୁଆଲ୍ କୋର୍ଟରେ ସମଗ୍ର ଦେଶରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବାରୁ ତାହାର ମଧ୍ୟ ଜଷ୍ଟିସ୍ ଶରଣ ପ୍ରଶଂସା କରିଥିଲେ । ଆର୍‌ଆର୍‌ଡିସି କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ଦେବବ୍ରତ ଦାସ ଏହି ଅବସରରେ ସ୍ୱାଗତ ଭାଷଣ ଦେଇଥିଲାବେଳେ ଜଷ୍ଟିସ୍ ଏସ୍‌କେ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଜଷ୍ଟିସ୍ ମୃଗାଙ୍କ ଶେଖର ସାହୁ, ଜଷ୍ଟିସ୍ ଶଶିକାନ୍ତ ମିଶ୍ର, ଜଷ୍ଟିସ୍ ବିପି ଶତପଥୀ, ଜଷ୍ଟିସ୍ ଏସ୍‌କେ ମିଶ୍ର, ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା, ଡେପୁଟି ସଲିସିଟର୍ ଜେନେରାଲ୍ ପ୍ରସନ୍ନ କୁମାର ପାଢ଼ୀ, ଡିଜିପି ସୁନୀଲ୍ ବଂଶଲ ଓ ହାଇକୋର୍ଟ ବାର୍ ଆସୋସିଏସନ୍‌ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking