33.1 C
Bhubaneswar
Friday, May 17, 2024
Homeଓଡିଶାନବୀନଙ୍କ ଗୁରୁମନ୍ତ୍ର : ହକ୍ ପାଇଁ ଲଢ଼େଇ ଜାରି ରଖ

ନବୀନଙ୍କ ଗୁରୁମନ୍ତ୍ର : ହକ୍ ପାଇଁ ଲଢ଼େଇ ଜାରି ରଖ

‘ଫୋକସ୍ ଷ୍ଟେଟ୍‌’ ମାନ୍ୟତା ଦାବି ଦୋହରାଇବ ବିଜେଡି
– ନବୀନ ନିବାସରେ ବିଜେଡି ସଂସଦୀୟ ଦଳ ବୈଠକ
ଭୁବନେଶ୍ୱର: ଓଡ଼ିଶାକୁ ‘ଫୋକସ୍ ଷ୍ଟେଟ୍‌’ ମାନ୍ୟତା ଦେବା ପ୍ରସଙ୍ଗ ପୁଣି ଥରେ ଉଠାଅ । ପ୍ରଧାନମନ୍ତ୍ରୀ ଆବାସ୍ ଯୋଜନାରେ ରାଜ୍ୟକୁ ଆଉ ୧୫ ଲକ୍ଷ ହିତାଧିକାରୀଙ୍କୁ ଘର ଦେବାକୁ କୁହ । ୧୬୯ ଜନଜାତିଙ୍କୁ ଏସ୍‌ଟି ତାଲିକାଭୁକ୍ତ ସହ ପ୍ରାକୃତିକ ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ପାଇଁ ସ୍ୱତନ୍ତ୍ର ସହାୟତା ଦାବି କର । ମହିଳା ସଂରକ୍ଷଣ ବିଲ୍‌କୁ ପାସ୍ ଓ ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସାମିଲ କରିବା ପାଇଁ ଉଭୟ ଗୃହରେ ସଭ୍ୟମାନଙ୍କ ଦୃଷ୍ଟିକୁ ଆଣ ।

ତେବେ ଓଡ଼ିଶାର ହକ୍ ପାଇଁ ସଂସଦରେ ‘ଲଢ଼େଇ’ ଜାରି ରଖିବାକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଂସଦମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଶନିବାର ନବୀନ ନିବାସରେ ଦିନ ସାଢ଼େ ୧୨ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅକ୍ଷଧ୍ୟତାରେ ବସିଥିଲା ବିଜେଡି ସଂସଦୀୟ ଦଳ ବୈଠକ । ଉକ୍ତ ବୈଠକରେ ପ୍ରସ୍ତୁତ ହୋଇଛି ବିଜେଡିର ରଣନୀତି । ଉଭୟ ଲୋକସଭା ଓ ରାଜ୍ୟସଭାରେ ଦଳର ସାଂସଦମାନେ କେଉଁ ପ୍ରସଙ୍ଗ ଉତ୍ଥାପନ କରିବେ ତାହା ଉପରେ ବିସ୍ତୃତ ଆଲୋଚନା ହୋଇଛି । ଉପସ୍ଥିତ ସାଂସଦମାନଙ୍କୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ‘ମନ୍ତ୍ର’ ଦେଇ କହିଛନ୍ତି ଯେ, ରାଜ୍ୟ ସରକାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସହ ମହିଳା ସଶକ୍ତିକରଣ ଓ ଆଦିବାସୀଙ୍କ ସମାଗ୍ରିକ ଉନ୍ନତି ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି । ଏନେଇ ଅନେକ ଜନକଲ୍ୟାଣ ଯୋଜନା କାର୍ଯ୍ୟକାରୀ ହୋଇଛି ।

ବିଜୁ ପକ୍କାଘର ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟକାର୍ଡ଼ ପ୍ରଦାନ, ସ୍କୁଲ ରୂପାନ୍ତର, ଜାଗା ମିଶନରେ ଘର ଯୋଗାଣ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମିଳୁଥିବା ସହାୟତା ଭଳି ବିଭିନ୍ନ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚିବାର ବ୍ୟବସ୍ଥା ହୋଇଛି । ଏସବୁ ଜନକଲ୍ୟାଣ ଯୋଜନାରୁ ଯେମିତି କୌଣସି ଲୋକ ବଞ୍ଚିତ ନହେବେ, ସେଥିପ୍ରତି ଆମ ଭଳି ଜନପ୍ରତିନିଧିମାନେ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ । ଏ କଥା ଦିଲ୍ଲୀ ଦରବାରରେ ଉଠାଇବାକୁ ହେବ । ହେଲେ ବିଜେପି ନେତାମାନେ ଅପପ୍ରଚାରରେ ବ୍ୟସ୍ତ ଅଛନ୍ତି । ଏହାଦ୍ୱାରା ରାଜ୍ୟବାସୀଙ୍କ ସ୍ୱାର୍ଥ ହାସଲ ହୋଇପାରୁନି । ଗରିବଗୁରୁବା ଲୋକ ବେଶୀ ପ୍ରଭାବିତ ହେଉଛନ୍ତି । ତେଣୁ ଏହି ଅପପ୍ରଚାରକୁ ପ୍ରତିହତ କରିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ସବୁ କ୍ଷେତ୍ରରେ ପାତର ଅନ୍ତରର ଶୀକାର ହେଉଛି । ପ୍ରାକୃତିକ ବିଯର୍ଯ୍ୟୟ ଯୋଗୁଁ ରାଜ୍ୟର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଉଛି । ହେଲେ ସଂଘୀୟ ବ୍ୟବସ୍ଥା ଭିତରେ ବି କେନ୍ଦ୍ର ସରକାର ଯେତେ ସହଯୋଗ କରିବା କଥା କରୁନାହାନ୍ତି । ରେଳ ବିକାଶ, ରାଷ୍ଟ୍ରୀୟ ରାଜମାର୍ଗ ଓ ଟେଲିକମ ନେଟ୍‌ୱାର୍କ କ୍ଷେତ୍ରରେ ମଧ୍ୟ ଅବହେଳିତ ହେଉଛି ଓଡ଼ିଶା । ଦୀର୍ଘ ବର୍ଷ ଧରି ଓଡ଼ିଶାକୁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ପାଇଁ ହେଉଥିବା ଦାବିକୁ ଅଣଦେଖା କରୁଛି କେନ୍ଦ୍ର । ରାଜ୍ୟକୁ ମିଳୁନି ପର୍ଯ୍ୟାପ୍ତ କେନ୍ଦ୍ରୀୟ ଅନୁଦାନ । ରାଜନୈତିକ ସ୍ୱାର୍ଥ ପାଇଁ ଏପରି କରାଯାଉଛି । ତେଣୁ ବିଜେଡି ସାଂସଦମାନେ ଓଡ଼ିଶାକୁ ଫୋକସ୍ ଷ୍ଟେଟ୍ ମାନ୍ୟତା ଦେବା ପାଇଁ ଦାବି ଦୋହରାନ୍ତୁ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସାମିଲ କରିବା ପାଇଁ ଆମେ ଦୀର୍ଘ ଦିନରୁ ଦାବି କରି ଆସୁଛୁ । ଏହାକୁ ଆଦୌ ଗୁରୁତ୍ୱ ଦିଆଯାଉନାହିଁ । ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନ ପାଉନଥିବା ଭୂମିଜ ଭାଷାକୁ ସାମିଲ କରିବା ପାଇଁ ହେଉଥିବା ଦାବିକୁ ମଧ୍ୟ କର୍ଣ୍ଣପାତ କରୁନି କେନ୍ଦ୍ର । ବିଜେଡି ସାଂସଦମାନେ ଏକଥା ଉଠାଇବା ଜରୁରୀ । ସେହିଭଳି ମହିଳା ସଂରକ୍ଷଣ ବିଲ୍ ଦାବିକୁ ଦୋହରାଇବା ସହ ୧୬୯ ଜନଜାତିଙ୍କୁ ଏସ୍‌ଟି ତାଲିକାଭୁକ୍ତ କରିବାକୁ ଦାବି ଜୋର୍‌ଦାର କରିବାକୁ ହେବ । ରାଜ୍ୟର ୧୧୭ଟି ବ୍ଲକ୍‌, ୨୦୨୨ ଗ୍ରାମପଞ୍ଚାୟତ, ୧୮୬୮୭ ଗାଁ ଏବଂ ୧୪.୦୫ ଲକ୍ଷ ଅନୁସୂଚିତ ଜନଜାତି ପରିବାରକୁ ଅନ୍ତର୍ଭୁକ୍ତ କରି ଓଡ଼ିିଶାର ନଅଟି ଆଦିବାସୀ ବହୁଳ ଜିଲ୍ଲାରେ ୫ ଲକ୍ଷ ଆଦିବାସୀ ବାଳିକାଙ୍କ ପାଇଁ ହଷ୍ଟେଲ୍‌, ସ୍ୱତନ୍ତ୍ର ବିକାଶ ପରିଷଦ (ଏସ୍‌ଡିସି) ଗଠନ ହୋଇଛି । ଓଡ଼ିିଶା ସରକାର ଆଦିବାସୀଙ୍କ ବିକାଶ ଓ କଲ୍ୟାଣ ପାଇଁ ସର୍ବଦା କାର୍ଯ୍ୟ କରୁଥିବା ସତ୍ତ୍ୱେ ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାର ବାରମ୍ବାର ରାଜ୍ୟର ଆଦିବାସୀ ସମ୍ପ୍ରଦାୟକୁ ଅବହେଳା କରିଆସୁଛନ୍ତି ।

ଏକଥା ବି ଉଭୟ ଗୃହରେ ସାଂସଦମାନେ ଉଠାନ୍ତୁ । ସେହିପରି ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ୧୫ ଲକ୍ଷ ଯୋଗ୍ୟ ହିତାଧିକାରୀ ସାମିଲ ହେବାର ଆବଶ୍ୟକତା ଥିବାବେଳେ କେନ୍ଦ୍ର ସରକାର ଅନ୍ୟାୟ ଭାବେ ୪ଲକ୍ଷ ହିତାଧିକାରୀ ନାମ ତାଲିକାକୁ କାଟିଦେଇଛନ୍ତି । ଏହା ନିହାତି ଦୁଃଖର ବିଷୟ । ଏହାକୁ ବିରୋଧ କରି ଗୃହରେ ଉଠାଯାଉ । ସେହିପରି ଚାଷୀ ଓ ଚାଷ ସମ୍ପର୍କିତ ପ୍ରସଙ୍ଗକୁ ନେଇ ଓଡ଼ିଶାର ସାଂସଦମାନେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବଜେଟ୍ ଅଧିବେଶନ ପୂର୍ବରୁ ସାଂସଦମାନଙ୍କୁ ଦିଗ୍‌ଦର୍ଶନ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking