କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ)ର ମୁଖ୍ୟ ଲିଖିତ ପରୀକ୍ଷା ଦୁଇଦିନ ଘୁଞ୍ଚାଇ ଦିଆଯାଇଛି। ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଆସନ୍ତା ୨୯ ତାରିଖ ବଦଳରେ ୩୧ ତାରିଖରୁ ଏହି ପରୀକ୍ଷା ଆରମ୍ଭ କରାଯିବାକୁ ନିଷ୍ପତ୍ତି ହୋଇଛି। ଏନେଇ ସଂଶୋଧିତ ପରୀକ୍ଷା ସୂଚୀ ସୋମବାର ପ୍ରକାଶ ପାଇଛି। ତେବେ ଏହି ସୂଚୀକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।ନଭେମ୍ବର ୪ ଓ ୫ ତାରିଖ ଲଗାତାର ଦୁଇ ବିଷୟରେ ପରୀକ୍ଷା ଥିବାବେଳେ ଗୋଟିଏ ଦିନ ବ୍ୟବଧାନ ରଖାଯାଇନାହିଁ`। ସେହିଭଳି ପୂର୍ବ ସୂଚୀରେ ଇଚ୍ଛାଧୀନ ବିଷୟରେ ପରୀକ୍ଷା ନିମନ୍ତେ ଦୁଇ ଦିନର ବ୍ୟବଧାନ ରଖାଯାଇଥିଲା; ମାତ୍ର ସଂଶୋଧିତ ସୂଚୀରେ ଗୋଟିଏ ଦିନ ବ୍ୟବଧାନ ରହିଛି। ଯାହାଦ୍ବାରା ପରୀକ୍ଷାର୍ଥୀ ପ୍ରସ୍ତୁତି ନିମନ୍ତେ ପର୍ଯ୍ୟାପ୍ତ ସମୟ ପାଇବାରୁ ବଞ୍ଚିତ ହୋଇଛନ୍ତି।










