ଗୁଆହାଟୀ: ୨୦୨୨ରେ ଆସାମର କାଜିରଙ୍ଗା ଅଭୟାରଣ୍ୟରେ କୌଣସି ଗୋଟିଏ ହେଲେ ଗଣ୍ଡା ଶିକାର ହୋଇନଥିବା ଜଣାପଡିଛି । ୧୯୭୭ ପରେ କାଜିରଙ୍ଗାରେ ପ୍ରଥମ ଥର ଏଭଳି ଘଟଣା ଦେଖିବାକୁ ମିଳିଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ବ୍ରହ୍ମପୁତ୍ର ନଦୀ ଅବବାହିକାରେ କାଜିରଙ୍ଗା ଅଭୟାରଣ୍ୟ (କାଜିରଙ୍ଗା ନ୍ୟାସନାଲ ପାର୍କ) ଅବସ୍ଥିତ । ଏଠାରେ ବିଭିନ୍ନ ପ୍ରକାର ବନ୍ୟପ୍ରାଣୀ ବାସ କରୁଥିଲେ ସୁଦ୍ଧା ଏକ ଶିଙ୍ଗ ବିଶିଷ୍ଟ ଗଣ୍ଡା ପାଇଁ ଏହା ବିଶ୍ୱ ବିଦିତ । ଏହି ପ୍ରଜାତିର ଗଣ୍ଡା ଦେଖିବାକୁ ପ୍ରତିବର୍ଷ କାଜିରଙ୍ଗାରେ ଦେଶବିଦେଶର ପର୍ଯ୍ୟଟକଙ୍କ ଭିଡ ପରିଲକ୍ଷିତ ହୋଇଥାଏ । ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ସ୍ୱତନ୍ତ୍ର ପୁଲିସ ନିର୍ଦ୍ଦେଶକ (ଆଇନ ଶୃଙ୍ଖଳା) ଜି.ପି.ସିଂହ ଏହି ପ୍ରସଙ୍ଗରେ ୨୦୦୦ ମସିହାରୁ କାଜିରଙ୍ଗାରେ ଘଟିଥିବା ଗଣ୍ଡା ଶିକାର ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଛନ୍ତି ।
ପ୍ରତିବର୍ଷ ଶିକାରୀମାନେ କାଜିରଙ୍ଗାରେ ଗଣ୍ଡା ଶିକାର କରୁଥିବାବେଳେ ୨୦୧୩ ଓ ୨୦୧୪ରେ ଏହି ଘଟଣା ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଥିଲା । ଏହି ଦୁଇବର୍ଷରେ କାଜିରଙ୍ଗାରେ ୨୭ଟି ଲେଖାଏଁ ଗଣ୍ଡା ଶିକାର ହୋଇଥିବାବେଳେ ୨୦୧୫ ଓ ୨୦୧୬ରେ ଏହି ସଂଖ୍ୟା ଯଥାକ୍ରମେ ୧୭ ଓ ୧୮ ରହିଥିଲା । ୨୦୨୦ ଓ ୨୦୨୧ରେ ଏହି ସଂଖ୍ୟା ହ୍ରାସ ପାଇ କେବଳ ୨ରେ ସୀମିତ ରହିଥିଲା । ୨୦୨୨ରେ କାଜିରଙ୍ଗାରେ ଗଣ୍ଡା ଶିକାରର କୌଣସି ଘଟଣା ପୁଲିସ କିମ୍ବା ସରକାରଙ୍କ ନଜରକୁ ଆସିନଥିବାବେଳେ ଏହା ଏକ ରେକର୍ଡ ସୃଷ୍ଟି କରିଥିବା ଶ୍ରୀ ସିଂହ କହିଛନ୍ତି । ବିରଳ ପ୍ରଜାତିର ଏହି ଗଣ୍ଡାଙ୍କୁ ସୁରକ୍ଷିତ ରଖିବାରେ ରାଜ୍ୟ ସରକାରଙ୍କ ଉଦ୍ୟମ ବାସ୍ତବିକ ପ୍ରଶଂସନୀୟ ବୋଲି କୁହାଯାଇଛି । ଆଗାମୀ ଦିନରେ ଗଣ୍ଡା ଶିକାରକୁ ଦୃଢ ହସ୍ତରେ ଦମନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି । ୨୦୦୦ରୁ ୨୦୨୧ ମଧ୍ୟରେ ଶିକାରୀମାନେ କାଜିରଙ୍ଗାରେ ୧୯୦ରୁ ଅଧିକ ଗଣ୍ଡା ହତ୍ୟା କରିଥିବା ସରକାରୀ ରେକର୍ଡରୁ ଜଣାପଡିଛି । ଗଣ୍ଡା ଶିକାର ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପେଶାଲ ଟାସ୍କ୍ ଫୋର୍ସ ଗଠିତ ହୋଇଥିବାବେଳେ ଶିକାରୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଅତ୍ୟାଧୁନିକ ଜ୍ଞାନକୌଶଳ (ସମ୍ବେଦନଶୀଳ ସ୍ଥାନରେ ସିସିଟିଭି ଓ ନାଇଟ୍ ଭିଜନ କ୍ୟାମେରା ଖଞ୍ଜାଯାଇଛି) ଅବଲମ୍ବନ କରାଯାଉଛି ।
ଅତୀତର ଟ୍ରାକ୍ ରେକର୍ଡକୁ ଆଧାର କରି ସଂଖ୍ୟାଧିକ ଗଣ୍ଡା ଶିକାରୀଙ୍କୁ ଗିରଫ କରାଯାଇସାରିଛି । ଏହି ଅଭିଯାନରେ କାଜିରଙ୍ଗା ଆଖପାଖ ଗ୍ରାମର ବାସିନ୍ଦା, ବନ ବିଭାଗ କର୍ମଚାରୀ ଏବଂ ଗ୍ରାମରକ୍ଷୀଙ୍କ ସହାୟତା ନିଆଯାଉଛି । ଗଣ୍ଡା ଶିକାରୀଙ୍କୁ ଧରାଇବାରେ ସହାୟତା କରୁଥିବା ବ୍ୟକ୍ତିଙ୍କୁ ସରକାରଙ୍କ ତରଫରୁ ପୁରସ୍କୃତ କରାଯାଉଛି । ରାଜ୍ୟ ବାହାରୁ ଗଣ୍ଡା ଶିକାରୀଙ୍କ ର୍ୟାକେଟ୍ କାର୍ଯ୍ୟ କରୁଥିବା ଗୁଇନ୍ଦା ବିଭାଗ କହିଛି । ଏହି ପରିପ୍ରେକ୍ଷୀରେ ପଡୋଶୀ ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର ପୁଲିସର ସହାୟତା ମଧ୍ୟ ନିଆଯାଉଛି । ଅପରପକ୍ଷରେ ପୁଲିସ କାର୍ଯ୍ୟାନୁଷ୍ଠାନରେ ୪ ଜଣ ଗଣ୍ଡା ଶିକାରୀ ପ୍ରାଣ ହରାଇଥିବାବେଳେ ୫୮ ଜଣ ଗିରଫ ହୋଇସାରିଥିବା ସୂଚନା ମିଳିଛି । ୪୩୦ ବର୍ଗ କିମି ଅଞ୍ଚଳରେ ଅବସ୍ଥିତ କାଜିରଙ୍ଗା ଅଭୟାରଣ୍ୟରେ ବିଶ୍ୱରେ ଦେଖାଯାଉଥିବା ଏକ ଶିଙ୍ଗ ବିଶିଷ୍ଟ ଗଣ୍ଡା ସଂଖ୍ୟାର ଦୁଇ ତୃତୀୟାଂଶ ବାସ କରୁଛନ୍ତି । ଏହି ଅଭୟାଣ୍ୟରେ ହାତୀ, ବାଘ, ଅରଣା ମଇଁଷି, ହରିଣ ଓ ଅନ୍ୟ ପ୍ରଜାତିର ବନ୍ୟଜନ୍ତୁ ମଧ୍ୟ ବାସ କରୁୁଛନ୍ତି । ୨୦୨୨ ସେପ୍ଟେମ୍ବରରେ ଆସାମ ସରକାର ଜବତ ହୋଇଥିବା ୨୪୭୯ ଗଣ୍ଡା ଶିଙ୍ଗକୁ ପୋଡି ନଷ୍ଟ କରିଦେଇଥିଲେ ।