ପ।ଟଣାଗଡ: ଜଳ ହିଁ ଜୀବନ । କିନ୍ତୁ ବେଳେ ବେଳେ ଜଳ ହୋଇପଡ଼େ ଜହର । ହେଲେ ଜନସାଧାରଣ ସହଜପ୍ରାପ୍ୟ ଜଳକୁ ବ୍ୟବହାର କରି ହୋଇପଡିଥାନ୍ତି ଅଭିଶପ୍ତ । ନିଜ ପାଇଁ ଓ ନିଜ ପରିବାର ପାଇଁ ସେମାନଙ୍କ ଜୀବନ ହୋଇପଡେ ଦୁର୍ବିସହ । ଜୀବନ ସହ ଜୁଝି ଜୁଝି ସଂଗ୍ରାମ କରିବା ପରେ ଶେଷରେ ହାରିଯାଆନ୍ତି ସେମାନେ ଓ ମୃତ୍ୟୁକୁ ହିଁ ଆଦରି ନିଅନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଚାଲିଛି ପାଟଣାଗଡ ବ୍ଲକ ଲରମ୍ଭା ପଞ୍ଚାୟତ ଅନ୍ତର୍ଗତ ଖୁରିପାଣି ଗ୍ରାମରେ । ପାନୀୟ ଜଳ ସମସ୍ୟା ସମ୍ପର୍କରେ ବାରମ୍ବାର ପ୍ରଶାସନ ଏବଂ ରାଜନେତାଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିବା ଗ୍ରାମବାସୀ କୌଣସି ସୁଫଳ ପାଇନାହାନ୍ତି ଏଯାଏଁ । ଏଣୁ ପିଇବା ପାଣି ଅଭାବରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବା ନିଷ୍ପତ୍ତି ନେଇଛନ୍ତି ଖୁରିପାଣି ଗ୍ରାମବାସୀ । ପାଟଣାଗଡ ବ୍ଲକ ଲରମ୍ଭା ପଞ୍ଚାୟତର ୭ଟି ଗାଁ ମଧ୍ୟରୁ ଖୁରିପାଣି ଅନ୍ୟତମ । ଗାଁରେ ରହିଛନ୍ତି ୭୩ଟି ପରିବାରର ୧୧୩ ପୁରୁଷ ଏବଂ ୧୦୦ ମହିଳା ଭୋଟରଙ୍କୁ ମିଶାଇ ସର୍ବମୋଟ ୨୧୩ ଭୋଟର । ଦୀର୍ଘ ଦିନରୁ ଏହି ଗାଁରେ ରହିଛି ପାନୀୟ ଜଳର ସମସ୍ୟା । ଯଦିଓ ଗାଁରେ ରହିଛି ୪ଟି ନଳକୂପ ତହିଁର ପାଣି ବ୍ୟବହାର କରିବା ମାତ୍ରେ ପରିଶ୍ରା ପୋଡାରେ ଅଧିବାସୀ ଆକ୍ରାନ୍ତ ହେବା ସଂଗେ ସଂଗେ ନିୟମିତ ବ୍ୟବହାର ପରେ କିଡ୍ନୀ ରୋଗରେ ଆକ୍ରାନ୍ତ ହୁଅନ୍ତି । ବିଗତ କିଛି ବର୍ଷ ମଧ୍ୟରେ ଗ୍ରାମର ଅନେକ ଲୋକ ମୃତ୍ୟୁବରଣ କରି ସାରିଲେଣି । ବର୍ତ୍ତମାନ ମଧ୍ୟ କିଡନୀ ସମସ୍ୟାରେ ଛନ୍ଦି ହୋଇପଡିଥିବା ଅଧିବାସୀଙ୍କ ସଂଖ୍ୟା କିଛି କମ୍ ନୁହେଁ । ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ବହୁ ଗ୍ରାମବାସୀ । ଡାକ୍ତରଙ୍କ କହିବା ହେଲା ପାଣି ସମସ୍ୟା ହେତୁ ସମସ୍ତେ କିଡ୍ନୀ ସମସ୍ୟାରେ ଛନ୍ଦି ହୋଇପଡିଛନ୍ତି । ଗ୍ରାମବାସୀ କିନ୍ତୁ ଉପାୟଶୂନ୍ୟ । ବାରମ୍ବାର ନିର୍ବାଚିତ ପ୍ରତିନିଧିଙ୍କ ସହ ପ୍ରଶାସନିକ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ କୌଣସି ସୁଫଳ ପାଇନାହାନ୍ତି ସେମାନେ । ଉପାୟଶୁନ୍ୟ ହୋଇପଡିଥିବା ଗ୍ରାମବାସୀ ଶେଷରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନର ନିଷ୍ପତ୍ତି ନେଇଛନ୍ତି । ସେମାନଙ୍କର ଗୋଟିଏ ନାରା- ପିଇବା ପାଣି ନାହିଁ ତ ଭୋଟ ନାହିଁ । ଜଳ ପାଇଁ ଗୋଟିଏ ଗାଁର ଅଧିବାସୀ ତ୍ରାହି ତ୍ରାହି ଚିତ୍କାର କରୁଥିବା ବେଳେ ପ୍ରାଥମିକତା ଭିତ୍ତିରେ ସେମାନଙ୍କୁ ସେମାନଙ୍କ ନୈତିକ ଅଧିକାର ଯୋଗାଇ ଦେବା ନିତାନ୍ତ ଆବଶ୍ୟକ । ଏହାଛଡା କିଡନୀ ଜନିତ ସମସ୍ୟାରେ ଛନ୍ଦି ହୋଇପଡୁଥିବା ଗ୍ରାମବସୀଙ୍କୁ ଯଥାଶୀଘ୍ର ଉଚିତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସହ ଆଗାମୀ ଦିନମାନଙ୍କରେ ଯେପରି ଏହି ସମସ୍ୟା ଆହୁରି ଉଗ୍ର, ବ୍ୟାପକ ଏବଂ ଜୀବନନାଶକ ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦୃଢ ଦାବି ଜଣାଇଛନ୍ତି ।