ନୂଆଦିଲ୍ଲୀ: ସକାଳୁ ସକାଳୁ ଭୂମିକମ୍ପରେ ଥରିଲା ନେପାଳ । ଗୁରୁବାର ଭୋର ପ୍ରାୟ ସାଢ଼େ ୪ଟା ସମୟରେ ୪.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ହଠାତ୍ ଭୂମି ଦୋହଲିବାରୁ ଘରେ ଶୋଇଥିବା ଲୋକେ ଭୟଭୀତ ହୋଇପଡ଼ିଥିଲେ । ଅନେକ ଲୋକ ନିଦରୁ ଉଠି ଜୀବନ ବିକଳରେ ଘରୁ ବାହାରକୁ ଦୌଡ଼ି ଆସିଥିବା ଜଣାପଡ଼ିଛି ।ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS)ର ସୂଚନା ଅନୁଯାୟୀ, ଭୂମିକମ୍ପର ତୀବ୍ରତା ୪.୯ ରେକର୍ଡ କରାଯାଇଥିବାବେଳେ ଏହାର କେନ୍ଦ୍ରସ୍ଥଳ ଭୂପୃଷ୍ଠଠାରୁ ପ୍ରାୟ ୭୩ କିଲୋମିଟର ଗଭୀରରେ ରହିଥିଲା । ଭୂମିକମ୍ପ ପରେ ସ୍ଥାନୀୟ ପ୍ରଶାସନ ଓ ବିପର୍ଯ୍ୟୟ ପରିଚାଳନା ଟିମ୍କୁ ସତର୍କ କରାଯାଇଥିଲା ।
ପ୍ରାରମ୍ଭିକ ସୂଚନା ଅନୁସାରେ, ଏହି ଭୂମିକମ୍ପରେ ବଡ଼ଧରଣର ଜୀବନହାନି କିମ୍ବା ସମ୍ପତ୍ତି କ୍ଷୟକ୍ଷତି ହୋଇଥିବା ଖବର ମିଳିନାହିଁ । ତେବେ ନେପାଳର ପାର୍ବତ୍ୟ ଭୌଗୋଳିକ ସ୍ଥିତିକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ପରିସ୍ଥିତି ଉପରେ ନଜର ରଖିଛନ୍ତି ।ଉଲ୍ଲେଖଯୋଗ୍ୟ, ନଭେମ୍ବର ୬ ତାରିଖ ସକାଳେ ମଧ୍ୟ ନେପାଳର ହୁମଲା ଜିଲ୍ଲାରେ ୪.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂମିକମ୍ପ ମନିଟରିଂ ଏବଂ ଗବେଷଣା କେନ୍ଦ୍ରର ସୂଚନାରେ ଉଲ୍ଲେଖ ରହିଛି ।










