36.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶମୁମ୍ବାଇରୁ ଦିଲ୍ଲୀରେ ପହଞ୍ଚିଲା ଏନ୍‌ସିପି କଳି; ଅଜିତ, ପ୍ରଫୁଲ୍‌ଙ୍କ ସମେତ ୧୧ ବିଦ୍ରୋହୀ ବହିଷ୍କୃତ

ମୁମ୍ବାଇରୁ ଦିଲ୍ଲୀରେ ପହଞ୍ଚିଲା ଏନ୍‌ସିପି କଳି; ଅଜିତ, ପ୍ରଫୁଲ୍‌ଙ୍କ ସମେତ ୧୧ ବିଦ୍ରୋହୀ ବହିଷ୍କୃତ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଏନ୍‌ସିପି ସୁପ୍ରିମୋ ଶରଦ ପୱାର ଓ ପୁତୁରା ଅଜିତଙ୍କ ମଧ୍ୟରେ ସୂତ୍ରପାତ ହୋଇଥିବା ବିବାଦ ବର୍ତ୍ତମାନ ଦିଲ୍ଲୀରେ ପହଞ୍ଚିଛି । ଶରଦଙ୍କ ଅଧ୍ୟକ୍ଷତାରେ ଗୁରୁବାର ତାଙ୍କର ନୂଆଦିଲ୍ଲୀସ୍ଥ ବାସଭବନରେ ଏନ୍‌ସିପି କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଏକ ପ୍ରସ୍ତାବ ଗୃହୀତ ହୋଇ ଅଜିତ ପୱାର, ପ୍ରଫୁଲ ପଟେଲ ଓ ସୁନିଲ ତତ୍‌କରେଙ୍କ ସମେତ ୧୧ ଜଣ ବିଦ୍ରୋହୀଙ୍କୁ ଦରୁ ବହିଷ୍କାର କରାଯାଇଛି । ଅଜିତଙ୍କ ନେତୃତ୍ୱରେ ୯ ଜଣ ବିଧାୟକ ମହାରାଷ୍ଟ୍ରର ମେଣ୍ଟ ସରକାରରେ ସାମିଲ ହୋଇ ଦଣ୍ଡିତ ହୋଇଛନ୍ତି । ପ୍ରଫୁଲ ଓ ସୁନିଲ ଯଥାକ୍ରମେ ରାଜ୍ୟସଭା ଓ ଲୋକସଭା ସାଂସଦ ଭାବେ କାର୍ଯ୍ୟ କରୁଛନ୍ତି । ମେଣ୍ଟ ସରକାରରେ ସାମିଲ ହୋଇନଥିଲେ ସୁଦ୍ଧା ବିଦ୍ରୋହୀ ଗୋଷ୍ଠୀକୁ ସହଯୋଗ ଓ ସମର୍ଥନ ଜଣାଇଥିବାରୁ ପ୍ରଫୁଲ ଓ ସୁନିଲଙ୍କୁ ଏହାର ଫଳ ଭୋଗିବାକୁ ପଡିଛି । ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଶରଦ କହିଛନ୍ତି ଯେ ସେ ଏବେ ମଧ୍ୟ ଏନ୍‌ସିପି ସଭାପତି ଅଛନ୍ତି ।

ଯଦି ଅନ୍ୟ କେହି ନିଜକୁ ଏନ୍‌ସିପି ସଭାପତିଭାବେ ଦାବି ଉପସ୍ଥାପନ କରୁଥାନ୍ତି, ତେବେ ଏହା ସମ୍ପୂର୍ଣ୍ଣଭାବେ ଭିତ୍ତିହୀନ ଓ ଉଦ୍ଦେଶ୍ୟପ୍ରଣୋଦିତ । ଦଳର ନାମ ଓ ନିର୍ବାଚନୀ ସଙ୍କେତ ହାତେଇବାକୁ ଅଜିତଙ୍କ ଗୋଷ୍ଠୀ ଇତିମଧ୍ୟରେ ନିର୍ବାଚନ କମିଶନ (ଇସି)ଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହି ପ୍ରସଙ୍ଗରେ ଶରଦ କହିଛନ୍ତି ଯେ ଇସିଙ୍କ ଉପରେ ତାଙ୍କର ଯଥେଷ୍ଟ ଭରସା ରହିଛି । ଯଦି ଏ ସମ୍ପର୍କରେ କୌଣସି ମତାମତ ରଖିବାର ଆବଶ୍ୟକତା ପଡେ, ତେବେ ସେ ଇସିଙ୍କ ଆଗରେ ହାଜର ହେବେ ବୋଲି ସେ କହିଛନ୍ତି । ବୟସାଧିକ୍ୟ କାରଣରୁ ଶରଦ ରାଜନୀତିରୁ ସନ୍ନ୍ୟାସ ନେବା ଉଚିତ ବୋଲି ଅଜିତ ଯେଉଁ ପରାମର୍ଶ ଦେଇଛନ୍ତି, ସେ ପ୍ରସଙ୍ଗରେ ମଧ୍ୟ ଶରଦ ମୁହଁ ଖୋଲିଛନ୍ତି । ମୋତେ ୮୨ ବର୍ଷ ହେଉ କିମ୍ବା ୯୨, ମୁଁ ଏବେ ମଧ୍ୟ କାର୍ଯ୍ୟକ୍ଷମ ଅଛି । ତେଣୁ ସନ୍ନ୍ୟାସ ନେବାର ସମୟ ଆସିଲେ, ସେ ଆପଣାଛାଏଁ ରାଜନୀତିରୁ ଓହରିଯିବେ ବୋଲି ଶରଦ ସ୍ପଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ ବୁଧବାର ମୁମ୍ବାଇର ବାନ୍ଦ୍ରାସ୍ଥିତ ଏମଇଟି କଲେଜ ପରିସରରେ ଦଳୀୟ ବିଧାୟକ ଓ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବା ସମୟରେ ଶରଦଙ୍କ ବୟସକୁ ନେଇ ଅଜିତ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ । ଏହି ମର୍ମରେ ଅଜିତ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ୍‌ଭାନୀ ଓ ପ୍ରଫେସର ମୁରଲୀ ମନୋହର ଜୋଷୀଙ୍କ ଉଦାହରଣ ମଧ୍ୟ ଦେଇଥିଲେ । ଉଭୟ ନେତା ୭୫ ବର୍ଷ ବୟସ ଅତିକ୍ରାନ୍ତ କରିସାରିଥିବାରୁ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଏମାନଙ୍କୁ ଦଳୀୟ ଟିକଟ ନ ଦେଇ ପ୍ରତିଦ୍ୱନ୍ଦ୍ୱିତାରୁ ଦୂରେଇ ରଖିଥିଲା । କୌତୁହଳର ପ୍ରସଙ୍ଗ ହେଉଛି, ଅଜିତ ଏହି ଦୃଷ୍ଟାନ୍ତ ଦେଉଥିବାବେଳେ ମଞ୍ଚରେ ୭୫ ବର୍ଷୀୟ ଏନ୍‌ସିିପି ବିଧାୟକ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଛଗନ ଭୁଜବଳ ଉପସ୍ଥିତ ଥିଲେ । ଅପରପକ୍ଷରେ ଶରଦଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ଅନୁଷ୍ଠିତ ଏନ୍‌ସିପି କାର୍ଯ୍ୟକାରୀ ବୈଠକ ଆଇନସମ୍ମତ ନୁହେଁ ବୋଲି ଅଜିତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଅଜିତଙ୍କ ତରଫରୁ ଜାରି କରାଯାଇଥିବା ଏକ ବିବୃତିରେ କୁହାଯାଇଛି ଯେ ଏନ୍‌ସିପିର ସଂଖ୍ୟାଧିକ ବିଧାୟକ ଓ ସାଂସଦଙ୍କ ସମର୍ଥନରେ ଜୁନ୍ ୩୦ରେ ଅଜିତଙ୍କୁ ସର୍ବସମ୍ମତକ୍ରମେ ଏନ୍‌ସିପି ସଭାପତି ନିର୍ବାଚିତ କରାଯାଇସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking