28.1 C
Bhubaneswar
Tuesday, May 21, 2024
Homeଦେଶ ବିଦେଶଓୱେସୀ ବ୍ରଦର୍ସଙ୍କୁ ନବନୀତ୍‌ଙ୍କ ମୁହଁତୋଡ ଜବାବ; ତୁମକୁ ୧୫ ମିନିଟ୍ ଲାଗିପାରେ, କିନ୍ତୁ ଆମକୁ ମାତ୍ର...

ଓୱେସୀ ବ୍ରଦର୍ସଙ୍କୁ ନବନୀତ୍‌ଙ୍କ ମୁହଁତୋଡ ଜବାବ; ତୁମକୁ ୧୫ ମିନିଟ୍ ଲାଗିପାରେ, କିନ୍ତୁ ଆମକୁ ମାତ୍ର ୧୫ ସେକେଣ୍ଡ୍‌

ହାଇଦ୍ରାବାଦ୍‌:  ‘ତୁମକୁ ୧୫ ମିନିଟ୍ ଲାଗିପାରେ, କିନ୍ତୁ ଆମକୁ ମାତ୍ର ୧୫ ସେକେଣ୍ଡ୍ ଲାଗିବ ।’ ଏଆଇଏମ୍‌ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ୍ ଓୱୈସୀ, ତାଙ୍କ ସାନ ଭାଇ ଆକବରୁଦ୍ଦିନ୍ ଓୱୈସୀଙ୍କ ଉଦ୍ଦେଶ୍ୟରେ ଏପ୍ରକାର ଏକ ବିବାଦୀୟ ବୟାନ୍ ଦେଇ ପୁଣିଥରେ ଚର୍ଚ୍ଚାକୁ ଆସିଯାଇଛନ୍ତି ମହାରାଷ୍ଟ୍ର ଅମରାବତୀ ଲୋକସଭା ଆସନର ପୂର୍ବତନ ସାଂସଦ ତଥା ଏବେର ବିଜେପି ପ୍ରାର୍ଥୀ ନବନୀତ୍ ରାଣା । ୨୦୧୯ ନିର୍ବାଚନରେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିବା ନବନୀତ୍ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଗତ ୨୮ ମାର୍ଚ୍ଚରେ ବିଜେପିରେ ଯୋଗଦେଇଛନ୍ତି । ତେବେ ଏକ ୩୯ ସେକେଣ୍ଡ୍‌ର ଭିଡିଓ ଟ୍ୱିଟ୍‌ରେ ନବନୀତ, ଓୱୈସୀ ବ୍ରଦର୍ସଙ୍କୁ ଚ୍ୟାଲେଞ୍ଜ୍ ଦେଉଥିବାର ଦେଖିବାକୁ ମିଳିଛି । ନିଜ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଥିବା ଭିଡିଓରେ ନବନୀତ୍ କହିଛନ୍ତି, ‘ଛୋଟେ ଓୱୈସୀ ସାହାବ୍ (ଆକବରୁଦ୍ଦିନ୍‌) ଥରେ କହିଥିଲେ ଯେ, ୧୫ ମିନିଟ ପାଇଁ ପୁଲିସକୁ ହଟାନ୍ତୁ, ତା’ହେଲେ ଆମେ କ\’ଣ କରିପାରିବୁ ତାହା ଦେଖାଇବୁ । ମୁଁ କିନ୍ତୁ ଛୋଟେ ଓୱୈସୀ ସାହାବ୍‌ଙ୍କୁ କହିବାକୁ ଚାହିଁବି ଯେ, ତୁମକୁ ହୁଏତ ତୁମ କାମ କରିବା ପାଇଁ ୧୫ ମିନିଟ୍ ଲାଗିପାରେ । କିନ୍ତୁ ଆମକୁ କେବଳ ୧୫ ସେକେଣ୍ଡ ଲାଗିବ । ଯଦି ପୁଲିସକୁ ୧୫ ସେକେଣ୍ଡ ପାଇଁ ହଟାଇ ଦିଆଯାଏ ତେବେ ଓୱୈସୀ ବ୍ରଦର୍ସ ଜାଣି ମଧ୍ୟ ପାରିବେ ନାହିଁ ଯେ ସେମାନେ କେଉଁଠାରୁ ଆସିଛନ୍ତି ଏବଂ କେଉଁଠାକୁ ଯିବେ ।’  ଏସବୁ ମଧ୍ୟରେ ନବନୀତ୍ ରାଣାଙ୍କ ଆଉ ଏକ ବିବାଦୀୟ ମଧ୍ୟ ସାମ୍ନାକୁୂ ଆସିଛି । ନବନୀତ୍ କହିଛନ୍ତି, ମାଧବୀଲତା ନିଶ୍ଚିତ ଭାବେ ହାଇଦ୍ରାବାଦ୍‌କୁ ଏକ ପାକିସ୍ତାନରେ ପରିଣତ କରିବା ପାଇଁ ଚାଲିଥିବା ହୀନ ଷଡଯନ୍ତ୍ରକୁ ରୋକିବାରେ ନିଶ୍ଚିତ ସଫଳ ହେବେ ବୋଲି ସେ ବିଶ୍ୱାସ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଏଆଇଏମ୍‌ଆଇଏମ୍ ଏବଂ କଂଗ୍ରେସକୁ ଭୋଟ୍ ଦେବା ଅର୍ଥ ପାକିସ୍ତାନ ସପକ୍ଷରେ ଭୋଟ୍ ଦେବା ସହ ସମାନ ବୋଲି ମଧ୍ୟ ନବନୀତ୍ ରାଣା କହିଛନ୍ତି । ଏହାକୁ ନେଇ ମଧ୍ୟ ଏକ ବଡ଼ ଧରଣର ବିବାଦ ସୃଷ୍ଟି ହୋଇଛି । ପ୍ରକାଶ, ୧୬ ଲୋକସଭା ଆସନ ବିଶିଷ୍ଟ ତେଲେଙ୍ଗାନାରେ ଆସନ୍ତା ୧୩ ତାରିଖରେ ଭୋଟ୍‌ଗ୍ରହଣ କରାଯିବ ।
ବାସ୍ତବରେ ୨୦୧୩ରେ ଏକ ନିର୍ବାଚନୀ ପ୍ରଚାର ସଭାକୁ ସମ୍ବୋଧିତ କରିବା ଅବସରରେ ଆକବରୁଦ୍ଦିନ୍ ଓୱୈସୀ କହିଥିଲେ ଯେ, ‘୧୫ ମିନିଟ୍ ପାଇଁ ଯଦି ପୁଲିସ୍ ପ୍ରଶାସନକୁ ହଟାଇ ଦିଆଯାଏ ତେବେ କାହାର ଶକ୍ତି କେତେ ତାହା ଆମେ ଦେଖାଇଦେବୁ ।  ଏହି ମାମଲାରେ ପୁଲିସ ତାଙ୍କୁ ଗିରଫ ମଧ୍ୟ କରିଥିଲା । ପରେ ଅବଶ୍ୟକ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ତେବେ ଗତ ୧୧ ବର୍ଷ ପୁରୁଣା ଆକବରୁଦ୍ଦିନ୍‌ଙ୍କ ଏହି ପୁରୁଣା ବିବାଦୀୟ ବୟାନକୁ ନେଇ ନବନୀତ୍ ଆଜି ଓୱେସୀ ବ୍ରଦର୍ସଙ୍କୁ ଟାର୍ଗେଟ୍ କରିଛନ୍ତି । ଅନ୍ୟପକ୍ଷେ ନବନୀତ୍ ରାଣାଙ୍କ ଏହି ବୟାନକୁ ନେଇ ଓୱୈସୀ ତୀବ୍ର ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି । ଓୱୈସୀ କହିଛନ୍ତି, ‘କେବଳ କହିଦେଲେ ହେବନି, କରିକି ଦେଖାଅ ।’  ଓୱେସୀ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସେ କହିବାକୁ ଚାହାନ୍ତି ଯେ, “୧୫ ସେକେଣ୍ଡ୍ ବଦଳରେ ଏକ ଘଣ୍ଟା ନଚେତ୍ ୨୪ ଘଣ୍ଟାର ସମୟ ନିଅନ୍ତୁ । ପ୍ରଧାନମନ୍ତ୍ରୀଙ୍କ ପାଖରେ ଏହି ଅଧିକାର ଅଛି । ଆମେ ପ୍ରସ୍ତୁତ, ଆମେ ଭୟ କରୁନାହୁଁ । ଆପଣଙ୍କ ଭିତରେ ମାନବିକତା କେତେ ବାକି ଅଛି ତାହା ଦେଖିବାକୁ ଚାହୁଁ, ଆମକୁ କୁହ କେଉଁଠିକୁ ଆସିବୁ, ଆମେ ପ୍ରସ୍ତୁତ ଅଛୁ ।” ସେହିପରି ଏଆଇଏମ୍‌ଆଇଏମ୍ ନେତା ୱାରିସ ପଠାନ୍‌, ନବନୀତ ରାଣାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବାକୁ ନିର୍ବାଚନ କମିଶନଙ୍କୁ ଦାବି କରିଛନ୍ତି ।
୨୦୦୪ରୁ ହାଇଦ୍ରାବାଦ୍ ସଂସଦୀୟ କ୍ଷେତ୍ରରେ ଏଆଇଏମ୍‌ଆଇଏମ୍‌ର ଦବଦବା ରହିଆସିଛି । ବିଜେପି ଏଠାରେ ଥରେ ହେଲେ ନିର୍ବାଚନ ଜିତିପାରିନାହିଁ । ହାଇଦ୍ରାବାଦ୍ ଲୋକସଭା ଆସନ ଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନୀ କ୍ଷେତ୍ର ରହିଥିବା ବେଳେ ସେଥିମଧ୍ୟରୁ ୬ଟି ଆସନ ଏଆଇଏମ୍‌ଆଇଏମ୍ ଅକ୍ତିଆରରେ ରହିଛି । ସେହିପରି ଏଆଇଏମ୍‌ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ୍ ଓୱୈସୀ ନିଜେ ହାଇଦ୍ରାବାଦ୍ ଲୋକସଭା ଆସନରୁ ପ୍ରତିନିଧିତ୍ୱ କରିଆସୁଛନ୍ତି । ମୋଟ।।ମୋଟି ହାଇଦ୍ରାବାଦ୍ ସଂସଦୀୟ କ୍ଷେତ୍ର ଏବେ ଓୱୈସୀଙ୍କ ଗଡ଼ ଭାବେ ଜଣାଯାଉଥିବା ବେଳେ ଏଥର ନିର୍ବାଚନରେ ଓୱୈସୀ ବ୍ରଦର୍ସଙ୍କୁ ଟକ୍କର ଦେବା ଉଦ୍ଦେଶ୍ୟରେ ବିଜେପି ବରିଷ୍ଠ ସମାଜସେବୀ ମାଧବୀଲତାଙ୍କୁ ପ୍ରାର୍ଥୀ କରିଛି । ଅନ୍ୟପକ୍ଷେ ମାଧବୀଲତାଙ୍କ ପାଇଁ ଏହି ନିର୍ବାଚନୀମଣ୍ଡଳୀରେ ଏବେ ନବନୀତ୍ ରାଣା ଜୋରଦାର ନିର୍ବାଚନୀ ପ୍ରଚାର କରୁଥିବାର ଦେଖିବାକୁ ମିଳିଛି । ଗୁରୁବାର ଏକ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ନବନୀତ୍ ରାଣା, ଅସାଦୁଦ୍ଦିନ୍ ଓୱୈସୀ, ତାଙ୍କ ଭାଇ ଏବଂ ଏଆଇଏମ୍‌ଆଇଏମ୍ ଉଦ୍ଦେଶ୍ୟରେ ଏପ୍ରକାର କିଛି ବିବୃତ୍ତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking