ଭୂବନେଶ୍ୱର: ବିଜେଡିର ବରିଷ୍ଠ ନେତା ସୁଶାନ୍ତ ସିଂହଙ୍କ ଦେହାନ୍ତ ଖବର ପରେ ରାଜନୈତିକ ମହଲରେ ଶୋକର ପରିବେଶ ସୃଷ୍ଟି ହୋଇଛି । ତାଙ୍କ ବିୟୋଗରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ନବୀନ ପଟ୍ଟନାୟକ ‘ଏକ୍ସ’ରେ କରିଥିବା ପୋଷ୍ଟରେ ଲେଖିଛନ୍ତି ଯେ, ସୁଶାନ୍ତ ସିଂହଙ୍କ ଦେହାନ୍ତ ଖବର ଶୁଣି ସେ ମର୍ମାହତ। ତାଙ୍କ ବିୟୋଗ କେବଳ ବ୍ୟକ୍ତିଗତ କ୍ଷତି ନୁହେଁ, ବରଂ ବିଜୁ ଜନତା ଦଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେ ଉଲ୍ଲେଖ କରିଛନ୍ତି । ନବୀନ କହିଛନ୍ତି, ସୁଶାନ୍ତ ସିଂହ ଜଣେ ଦକ୍ଷ ସଂଗଠକ ଭାବେ ଦଳକୁ ସୁଦୃଢ଼ କରିବାରେ ଉଲ୍ଲେଖନୀୟ ଅବଦାନ ରଖିଥିଲେ । ଦୀର୍ଘ ଦିନ ଧରି ସଂଗଠନକୁ ମଜଭୂତ କରିବା ସହ ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ନିଭାଇଥିଲେ । ତାଙ୍କ ନିଷ୍ଠା, କାର୍ଯ୍ୟଦକ୍ଷତା ଓ ସଂଗଠନ ପ୍ରତି ସମର୍ପଣକୁ ଦଳ ସର୍ବଦା ସ୍ମରଣରେ ରଖିବ ବୋଲି ସେ କହିଛନ୍ତି । ଏହା ସହ ନବୀନ ପଟ୍ଟନାୟକ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି । ସୁଶାନ୍ତ ସିଂହଙ୍କ ବିୟୋଗରେ ବିଜେଡି ନେତା, କର୍ମୀ ଏବଂ ତାଙ୍କ ସମର୍ଥକଙ୍କ ମଧ୍ୟରେ ମଧ୍ୟ ଶୋକର ଲହରୀ ଖେଳିଯାଇଛି । ସୁଶାନ୍ତ ସିଂହଙ୍କ ବିୟୋଗ ଓଡ଼ିଶା ରାଜନୀତିରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ତାଙ୍କ ସଂଗଠନ ଦକ୍ଷତା ଓ ଦଳ ପ୍ରତି ସମର୍ପଣକୁ ସହକର୍ମୀ ଓ ସମର୍ଥକମାନେ ଦୀର୍ଘଦିନ ଧରି ସ୍ମରଣ କରିବେ ।










