କଟକ: ଉପରମୁଣ୍ଡରେ ଅବିରତ ବର୍ଷା ପରେ ମହାନଦୀର ଜଳସ୍ତର କ୍ରମାଗତ ଭାବେ ବଢିବାରେ ଲାଗିଛି । ଏହାର ପ୍ରଭାବରେ କଟକ ଜିଲ୍ଲା ବଡମ୍ବା ର ପ୍ରସିଦ୍ଧ ଶକ୍ତିପୀଠ ମାଆ ଭଟ୍ଟାରିକା ମନ୍ଦିର ନିକଟରେ ବନ୍ୟାଜଳ ପହଞ୍ଚିଯାଇଛି । ନଦୀର ସ୍ରୋତ ବଢିବା ସହ ମନ୍ଦିର ଚାରିପାଖରେ ପାଣି ଜମିବା ଆରମ୍ଭ ହୋଇଛି । ପ୍ରଶାସନ ଏବଂ କର୍ତ୍ତୃପକ୍ଷ ସ୍ଥିତି ଉପରେ କଡା ନଜର ରଖିଛନ୍ତି । ଯଦି ବନ୍ୟାଜଳ ମନ୍ଦିର ଭିତରକୁ ପ୍ରବେଶ କରେ , ତେବେ ପରମ୍ପରା ଅନୁଯାୟୀ, ମାଆ ଭଟ୍ଟାରିକାଙ୍କୁ ରୋଷଘରକୁ ସ୍ଥାନାନ୍ତର କରାଯିବ । ଏହି ପଦକ୍ଷେପ ମନ୍ଦିରର ନୀତିନିୟମ ଅନୁସାରେ ନିଆଯିବ ବୋଲି ସେବାୟତମାନେ ସୂଚନା ଦେଇଛନ୍ତି । ଏପଟେ ଅନୁଗୋଳ ଜିଲ୍ଲାର ଟିକରପଡା ଅଞ୍ଚଳରେ ମଧ୍ୟ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି । ମୁଖ୍ୟ ରାସ୍ତା ଉପରେ ପ୍ରାୟ ୫ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି । ମହାନଦୀର ଜଳସ୍ତର ଆହୁରି ବଢିବାର ସମ୍ଭାବନା ଥିବାରୁ ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି । ନିମ୍ନଅଞ୍ଚଳରେ ରହୁଥିବା ପରିବାରମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି ।










