ଭୁବନେଶ୍ୱର: କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟ (Ministry of Tribal Affairs) ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଆୟୋଜିତ ଜନଜାତି ଗବେଷଣା ପ୍ରତିଷ୍ଠାନ (TRIs)ର ସଶକ୍ତୀକରଣ ଉପରେ ଦୁଇଦିନିଆ ଜାତୀୟ କର୍ମଶାଳା ଆଜି ଭୁବନେଶ୍ୱର ଘୋଷଣାନାମା (Bhubaneswar Declaration) ଗ୍ରହଣ ସହ ଉଦ୍ଯାପିତ ହୋଇଛି। ଜନଜାତି ଜ୍ଞାନ, ଗବେଷଣା, ନବସୃଜନ ଏବଂ ପ୍ରମାଣଭିତ୍ତିକ ନୀତି ନିର୍ଦ୍ଧାରଣକୁ ପ୍ରୋତ୍ସାହନ ଦେଉଥିବା ଅନୁଷ୍ଠାନଗୁଡ଼ିକୁ ଆହୁରି ସୁଦୃଢ଼ କରି “ବିକଶିତ ଭାରତ@୨୦୪୭”ର ଲକ୍ଷ୍ୟ ସାକାର କରିବା ଦିଗରେ ଏହି ଘୋଷଣାନାମା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଏହି କର୍ମଶାଳାରେ ଦେଶର ବିଭିନ୍ନ ଜନଜାତି ଗବେଷଣା ପ୍ରତିଷ୍ଠାନ (TRIs), ରାଜ୍ୟ ଜନଜାତି କଲ୍ୟାଣ ବିଭାଗ, ବିଶ୍ୱବିଦ୍ୟାଳୟ, ଗବେଷଣା ଅନୁଷ୍ଠାନ, ପ୍ରଯୁକ୍ତି ସଂସ୍ଥା, ଶିଳ୍ପ ପ୍ରତିଷ୍ଠାନ, ବିକାଶ ସହଯୋଗୀ ପ୍ରାୟ ୨୦୦ ଜଣ ପ୍ରତିନିଧି ଯୋଗଦେଇ ଦେଶର ଜନଜାତି ଗବେଷଣା ବ୍ୟବସ୍ଥାର ଭବିଷ୍ୟତ ଉପରେ ବିସ୍ତୃତ ଆଲୋଚନା କରିଥିଲେ।
କର୍ମଶାଳାର ପ୍ରଥମ ଦିନରେ ଅଂଶଗ୍ରହଣକାରୀମାନେ ଚାରିଟି ବିଷୟଭିତ୍ତିକ କାର୍ଯ୍ୟଦଳ ଏବଂ ବିଶେଷଜ୍ଞ ପ୍ୟାନେଲ୍ ଆଲୋଚନାରେ ଭାଗ ନେଇଥିଲେ। ଏଥିରେ ଜନଜାତି ଗବେଷଣା ପ୍ରତିଷ୍ଠାନ (TRIs)ଗୁଡ଼ିକୁ ଜ୍ଞାନ ଓ ସାଂସ୍କୃତିକ ସମ୍ବଳ କେନ୍ଦ୍ରରେ ପରିଣତ କରିବା, ଜନଜାତି ବିକାଶ ପାଇଁ ପ୍ରମାଣଭିତ୍ତିକ ଗବେଷଣାକୁ ସୁଦୃଢ଼ କରିବା, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI), ଜିଓଗ୍ରାଫିକ୍ ଇନଫର୍ମେସନ୍ ସିଷ୍ଟମ୍ (GIS) ଭଳି ପ୍ରଯୁକ୍ତିର ସମନ୍ୱୟ ଏବଂ ଅନୁଷ୍ଠାନିକ ସଶକ୍ତୀକରଣ, ସୁଶାସନ ଓ କୌଶଳଗତ ଭାଗୀଦାରି ଉପରେ ଆଲୋଚନା ହୋଇଥିଲା। ଦ୍ୱିତୀୟ ଦିନରେ ସମସ୍ତଙ୍କର ପରାମର୍ଶ ଉପସ୍ଥାପନ ପରେ ସେଗୁଡ଼ିକୁ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟ ସହ ଆଲୋଚନା କରି ଏକ ଜାତୀୟ ରୋଡମ୍ୟାପ୍ରେ ସମନ୍ୱିତ କରାଯାଇଥିଲା।
କର୍ମଶାଳାର ଆଲୋଚନାର ସାରାଂଶ ଉପସ୍ଥାପନ କରି କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟର ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା ପ୍ରକାଶ କରିଥିଲେ ଯେ, ଜାତୀୟ ଜନଜାତି ଗବେଷଣା ପ୍ରତିଷ୍ଠାନ (TRIs) ହେଉଛି ଜନଜାତି ସମ୍ପ୍ରଦାୟର ସ୍ୱର। ଉଚ୍ଚମାନର ଗବେଷଣା ଓ ସମ୍ପ୍ରଦାୟର ବାସ୍ତବ ଆବଶ୍ୟକତାକୁ ଆଧାର କରି ଏଗୁଡ଼ିକୁ ବିଶ୍ୱସ୍ତରୀୟ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ଆବଶ୍ୟକ। ଏଥିପାଇଁ ଅନୁଷ୍ଠାନିକ ଓ ଆର୍ଥିକ ସ୍ୱାୟତ୍ତତା, ରାଜ୍ୟ ସରକାର, ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଜ୍ଞାନ ଅନୁଷ୍ଠାନ ସହ ଅଧିକ ସମନ୍ୱୟ ଏବଂ ଗବେଷଣା, ନୀତି ଓ ସମ୍ପ୍ରଦାୟ ମଧ୍ୟରେ ସେତୁ ସୃଷ୍ଟି ଆବଶ୍ୟକ। ଏହି କର୍ମଶାଳାରୁ ଗୃହୀତ ଭୁବନେଶ୍ୱର ଘୋଷଣାନାମା (Bhubaneswar Declaration) ଜନଜାତି ବିକାଶକୁ ଆହୁରି ଗତିଶୀଳ କରିବା ସହ “ବିକଶିତ ଭାରତ@୨୦୪୭” ର ଲକ୍ଷ୍ୟ ସାକାର ଦିଗରେ ଏକ ଦୃଢ଼ ପଦକ୍ଷେପ ବୋଲି ସେ କହିଥିଲେ।
ଏହି ଅବସରରେ ଜନଜାତି ଗବେଷଣା, ଜ୍ଞାନ ସୃଷ୍ଟି ଏବଂ ଜନଜାତି ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟ ସାତଟି ଶ୍ରେଷ୍ଠ ଜନଜାତି ଗବେଷଣା ପ୍ରତିଷ୍ଠାନ (TRIs) କୁ ସମ୍ମାନିତ କରିଥିଲା। ସେହି ଅନୁଷ୍ଠାନଗୁଡ଼ିକ ହେଲେ —
• ଟ୍ରାଇବାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଇନଷ୍ଟିଟ୍ୟୁଟ୍, ଛତିଶଗଡ଼
• ସ୍କେଜୁଲ୍ଡ କାଷ୍ଟସ୍ ଆଣ୍ଡ ସ୍କେଜୁଲ୍ଡ ଟ୍ରାଇବ୍ସ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଇନଷ୍ଟିଟ୍ୟୁଟ୍, ଓଡ଼ିଶା
• ଟ୍ରାଇବାଲ୍ ରିସର୍ଚ୍ଚ ଆଣ୍ଡ କଲଚରାଲ୍ ଇନଷ୍ଟିଟ୍ୟୁଟ୍, ତ୍ରିପୁରା
• ଟ୍ରାଇବାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଇନଷ୍ଟିଟ୍ୟୁଟ୍, ମହାରାଷ୍ଟ୍ର
• କେରଳ ଇନଷ୍ଟିଟ୍ୟୁଟ୍ ଫର୍ ରିସର୍ଚ୍ଚ, ଟ୍ରେନିଂ ଆଣ୍ଡ ଡେଭଲପମେଣ୍ଟ ଷ୍ଟଡିଜ୍ ଅଫ୍ ସ୍କେଜୁଲ୍ଡ କାଷ୍ଟସ୍ ଆଣ୍ଡ ସ୍କେଜୁଲ୍ଡ ଟ୍ରାଇବ୍ସ, କେରଳ
• ଟ୍ରାଇବାଲ୍ କଲଚରାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଇନଷ୍ଟିଟ୍ୟୁଟ୍, ତେଲେଙ୍ଗାନା
• ଡଃ ରାମଦୟାଲ୍ ମୁଣ୍ଡା ଟ୍ରାଇବାଲ୍ ୱେଲଫେୟାର ରିସର୍ଚ୍ଚ ଇନଷ୍ଟିଟ୍ୟୁଟ୍, ଝାଡ଼ଖଣ୍ଡ
ସମାପନୀ ଅଭିଭାଷଣରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ଅନନ୍ତ ପ୍ରକାଶ ପାଣ୍ଡେ କହିଥିଲେ ଯେ, ଗତ ଦୁଇ ଦିନ ଧରି କର୍ମଶାଳାରେ ଗଠନମୂଳକ ଆଲୋଚନା, ଚିନ୍ତାଧାରାର ଆଦାନପ୍ରଦାନ ଏବଂ ଜନଜାତି ଗବେଷଣା ପ୍ରତିଷ୍ଠାନ (TRIs)ର ସଶକ୍ତୀକରଣ ପ୍ରତି ସମସ୍ତଙ୍କ ସାମୂହିକ ପ୍ରତିବଦ୍ଧତା ପ୍ରତିଫଳିତ ହୋଇଛି। କର୍ମଶାଳାରୁ ମିଳିଥିବା ସୁପାରିଶ ଏବଂ ଭୁବନେଶ୍ୱର ଘୋଷଣାନାମା (Bhubaneswar Declaration) ଅନୁଷ୍ଠାନିକ କ୍ଷମତା ବୃଦ୍ଧି, ଉଚ୍ଚମାନର ଗବେଷଣା, ପ୍ରଯୁକ୍ତିର ବ୍ୟବହାର ଏବଂ ବିଭିନ୍ନ ଅନୁଷ୍ଠାନ ମଧ୍ୟରେ ସମନ୍ୱୟ ବୃଦ୍ଧି ପାଇଁ ଏକ ସ୍ପଷ୍ଟ ରୋଡମ୍ୟାପ୍ ପ୍ରଦାନ କରିଛି।
କର୍ମଶାଳାର ସାଧାରଣ ଅଧିବେଶନ, ଏବଂ ବିଶେଷଜ୍ଞ ପ୍ୟାନେଲ୍ ଆଲୋଚନାର ସାମୂହିକ ପରାମର୍ଶକୁ ପ୍ରତିଫଳିତ କରି ଭୁବନେଶ୍ୱର ଘୋଷଣାନାମା (Bhubaneswar Declaration) ରେ ଜନଜାତି ଗବେଷଣା ପ୍ରତିଷ୍ଠାନ (TRIs) ଗୁଡ଼ିକୁ ସଶକ୍ତ ଜ୍ଞାନ ଅନୁଷ୍ଠାନରେ ପରିଣତ କରିବା ପାଇଁ ଏକ ବ୍ୟାପକ କାର୍ଯ୍ୟସୂଚୀ ପ୍ରସ୍ତାବ କରାଯାଇଛି। ଏଥିରେ ଅନୁଷ୍ଠାନିକ ସଂସ୍କାର, ମଡେଲ୍ ଟିଆରଆଇ ଫ୍ରେମ୍ୱାର୍କ-୨୦୩୦ (Model TRI Framework 2030)ର ଗ୍ରହଣ, ଜାତୀୟ ଟିଆରଆଇ ଗବେଷଣା କାର୍ଯ୍ୟସୂଚୀ ୨୦୨୭–୨୦୩୨ (National TRI Research Agenda 2027–2032) ପ୍ରସ୍ତୁତି, ପ୍ରଯୁକ୍ତିର ସମନ୍ୱୟ, ଜନଜାତି ଭାଷା ଓ ସ୍ୱଦେଶୀ ଜ୍ଞାନର ସଂରକ୍ଷଣ, ଗବେଷଣାର ଗୁଣବତ୍ତା ବୃଦ୍ଧି, କୌଶଳଗତ ଭାଗୀଦାରି ଏବଂ ସମ୍ପ୍ରଦାୟର ସହଭାଗିତାକୁ ପ୍ରାଧାନ୍ୟ ଦିଆଯାଇଛି। ଜନଜାତି ସମ୍ପ୍ରଦାୟର ଐତିହ୍ୟ ଓ ସ୍ୱଦେଶୀ ଜ୍ଞାନର ସଂରକ୍ଷଣ ସହ “ବିକଶିତ ଭାରତ@୨୦୪୭”ର ଲକ୍ଷ୍ୟ ପୂରଣ ପାଇଁ ଏହି ଘୋଷଣାନାମା ଏକ ଦିଗଦର୍ଶକ ଭାବେ କାର୍ଯ୍ୟ କରିବ।










