30.1 C
Bhubaneswar
Sunday, March 23, 2025
Homeଦେଶ ବିଦେଶମହାରାଷ୍ଟ୍ରରେ ଏକାଠି ଲଢ଼ିବେ ଏମ୍‌ଭିଏ

ମହାରାଷ୍ଟ୍ରରେ ଏକାଠି ଲଢ଼ିବେ ଏମ୍‌ଭିଏ

ମୁମ୍ବାଇ: ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ଟକ୍କର ଦେବା ପାଇଁ ମହାରାଷ୍ଟ୍ରରେ ଥିବା ଏମ୍‌ଭିଏ ମେଣ୍ଟ (ମହାବିକାଶ ଅଘାଡି ମେଣ୍ଟ) ମଧ୍ୟରେ ସବୁକିଛି ଚୂଡାନ୍ତ ହୋଇଯାଇଛି । ବହୁ ପୂର୍ବରୁ ରଣନୀତି ପ୍ରସ୍ତୁତି ପ୍ରକ୍ରିୟା ଶେଷ ହୋଇସାରିଥିବା ବେଳେ ଆଜି ମେଣ୍ଟର ୩ ଅଂଶୀଦାର ଦଳ ଅର୍ଥାତ୍ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା, ଶରଦ୍ ପୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପି ଏବଂ କଂଗ୍ରେସ ମଧ୍ୟରେ ଆସନ ଭାଗବଣ୍ଟଜନିତ ଦ୍ୱନ୍ଦ୍ୱ ମଧ୍ୟ ତୁଟିଯାଇଛି । ଇଣ୍ଡିଆ ମଞ୍ଚରେ ଏହି ୩ ଦଳ ଅଂଶୀଦାର ରହିଥିବା ସତ୍ତ୍ୱେ ଦୀର୍ଘ ସମୟ ଧରି ମହାରାଷ୍ଟ୍ରରେ କେଉଁ ଫର୍ମୁଲା ଆଧାରରେ ଆସନ ବୁଝାମଣା କରିବେ ସେନେଇ ୩ ଦଳଙ୍କ ମଧ୍ୟରେ ମତଭେଦ ରହିଥିଲା । ତେବେ ମେଣ୍ଟ ମଧ୍ୟରେ ସିଟ୍ ଭାଗବଣ୍ଟାକୁ ନେଇ ଜାରି ରହିଥିବା ସମସ୍ୟାର ଆଜି ସମାଧାନ ହୋଇଛି । କେଉଁ ଦଳ କେତେ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ତାହା ମଧ୍ୟ ସ୍ପଷ୍ଟ ହୋଇଛି ।
ରିପୋର୍ଟ ଅନୁସାରେ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା ସର୍ବାଧିକ ୨୧ଟି ଆସନରେ ପ୍ରାର୍ଥୀ ଦେବ । ସେହିପରି କଂଗ୍ରେସ ୧୭ଟି ଆସନ ଏବଂ ଶରଦ ପୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପି-ଶରଦଚନ୍ଦ୍ର ପୱାର ୧୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ରାଜି ହୋଇଛନ୍ତି । ଏହି ଫର୍ମୁଲା ଅନୁସାରେ ୩ ଦଳ ନିଜ ନିଜ ପ୍ରାର୍ଥୀଙ୍କୁ ଟିକେଟ୍ ଦେବେ । ତେବେ ଆସନ ବୁଝାମଣା ସମ୍ପର୍କରେ ଦକ୍ଷିଣ ମୁମ୍ବାଇ ସ୍ଥିତ ଶିବସେନାର କାର୍ଯ୍ୟାଳୟ ‘ଶିବାଳୟ’ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ୩ ଦଳର ପ୍ରଦେଶ ମୁଖ୍ୟମାନେ ସୂଚନା ଦେଇଥିଲେ । ଆଜିର ଦିନକୁ ମହାରାଷ୍ଟ୍ରବ୍ୟାପୀ ମରାଠୀ ନବବର୍ଷ ବା ଗୁଡି ପଡ୍‌ୱା ଭାବେ ଅତ୍ୟନ୍ତ ହର୍ଷୋଲ୍ଲାସର ସହ ପାଳନ କରାଯାଇଥିବା ବେଳେ ଆଜିର ଦିନକୁ ବେଶ ଶୁଭ ଦିବସ ଭାବେ ଉଦ୍ଧବ ଅଭିହିତ କରିଛନ୍ତି । ଅନ୍ୟପକ୍ଷେ ଆସନ ଭାଗବଣ୍ଟା ଘୋଷଣା କରିବା ପରେ ଶରଦ ପୱାର କହିଛନ୍ତି, ଆମେ ସମସ୍ତେ ଏକାଠି ଅଛୁ । ଆମ ଭିତରେ କୌଣସି ପାର୍ଥକ୍ୟ ନାହିଁ । ସେହିପରି ଉଦ୍ଧବ ଠାକ୍‌ରେ କହିଛନ୍ତି ଯେ, ସବୁ ଆସନରେ ଲଢ଼ିବାକୁ ସମସ୍ତଙ୍କର ଇଚ୍ଛା ଅଛି । ଏଥିରେ କୌଣସି ଭୁଲ୍ ନାହିଁ । କିନ୍ତୁ ବିଜୟ କ୍ଷମତା ଥିବା ପ୍ରାର୍ଥୀଙ୍କୁ ପ୍ରାଥମିକତା ଦିଆଯିବ । ଏହି ଲଢ଼େଇ ଆମ ସମସ୍ତଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ପ୍ରକାଶ, ମହାରାଷ୍ଟ୍ରରେ ମୋଟ୍ ୪୮ଟି ଲୋକସଭା ଆସନ ରହିଛି । ଉତ୍ତରପ୍ରଦେଶର ମୋଟ୍ ୮୦ ଲୋକସଭା ଆସନ ପରେ ଦେଶର ୨ୟ ସର୍ବାଧିକ ଲୋକସଭା ଆସନ ଥିବା ରାଜ୍ୟ ଭାବେ ମହାରାଷ୍ଟ୍ର ମାନ୍ୟତା ହାସଲ କରିଛି । ଦେଶବ୍ୟାପୀ ମୋଟ୍ ୭ ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହେବାକୁ ଥିବା ବେଳେ ମହାରାଷ୍ଟ୍ରରେ ମୋଟ୍ ୫ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ । ତେବେ ଅନ୍ୟାନ୍ୟ ରାଜ୍ୟର ଲୋକସଭା ଫଳାଫଳ ସହ ଜୁନ୍ ୪ରେ ମହାରାଷ୍ଟ୍ରର ଫଳାଫଳ ମଧ୍ୟ ଘୋଷଣା କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking