32.1 C
Bhubaneswar
Sunday, February 16, 2025
Homeଦେଶ ବିଦେଶମୁଖ୍ୟ ନିର୍ବାଚନ କମିଶନରଙ୍କୁ ‘ଜେଡ୍‌’ ସୁରକ୍ଷା

ମୁଖ୍ୟ ନିର୍ବାଚନ କମିଶନରଙ୍କୁ ‘ଜେଡ୍‌’ ସୁରକ୍ଷା

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ଜେଡ୍‌’ସ୍ତରୀୟ ସୁରକ୍ଷା ପ୍ରଦାନ କରାଯାଇଛି । ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଭାରତୀୟ ଗୁଇନ୍ଦା ବ୍ୟୁରୋ (ଆଇବି) ପକ୍ଷରୁ ମିଳିଥିବା ଏକ ଗୁପ୍ତ ରିପୋର୍ଟ ଆଧାରରେ ଭାରତୀୟ ନିର୍ବାଚନ ଆୟୁକ୍ତଙ୍କ ସୁରକ୍ଷା ବ୍ୟବସ୍ଥାକୁ ଜେଡ୍‌ସ୍ତରୀୟ କରିବା ପାଇଁ ଚିନ୍ତା କରାଯାଇଛି । ଏହିକ୍ରମେ ୪୦ରୁ ୪୫ଜଣିଆ ଏକ ସିଆରପିଏଫ୍ କମାଣ୍ଡୋ ଟିମ୍ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇବେ । ଏମାନଙ୍କ ମଧ୍ୟରୁ ୧୦/୧୨ଜଣ କମାଣ୍ଡୋ, ୬ ବେସରକାରୀ ସୁରକ୍ଷା ଅଧିକାରୀ (ପିଏସ୍‌ଓ) ରାଜୀବ କୁମାରଙ୍କ ଘର ଏବଂ ପରିବାର ସଦସ୍ୟଙ୍କ ସୁରକ୍ଷା ଦାୟିତ୍ୱ ସମ୍ଭାଳିବେ ଏବଂ ବାକି କମାଣ୍ଡୋ ଏସକର୍ଟ କମାଣ୍ଡୋ ଗାର୍ଡ ଭାବେ ୩ଟି ସିଫ୍ଟରେ ୨୪ ଘଣ୍ଟିଆ ସୁରକ୍ଷା ପ୍ରଦାନ ପୂର୍ବକ ରାଜୀବ କୁମାରଙ୍କ ସହ ରହିବେ । ଏତଦ୍‌ବ୍ୟତୀତ ରାଜୀବ କୁମାରଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ୨ ୱାଚର ଏବଂ ୩ଜଣ ତାଲିମପ୍ରାପ୍ତ ଡ୍ରାଇଭର ପ୍ରତି ସିଫ୍ଟରେ ଷ୍ଟାଣ୍ଡବାଇରେ ରହିବେ ।
ବେଶ୍ କିଛି ସମୟ ଧରି ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କ ପ୍ରତି ଅନ୍ତର୍ଜାତୀୟସ୍ତରରୁ ଧମକ ପୂର୍ଣ୍ଣ ମନ୍ତବ୍ୟ, ଚେତାବନୀ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯିବା ଉପରେ ଚିନ୍ତା କରାଯାଉଥିଲା । କିନ୍ତୁ ଏବେ ଏସମ୍ପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଚୂଡାନ୍ତ ନିଷ୍ପତ୍ତି ନେଇଛି । ଆଗକୁ ୨୦୨୪ ଲୋକସଭା ନିର୍ବାଚନ ରହିଥିବା ବେଳେ ଭାରତ ସରକାର ନିର୍ବାଚନ ଆୟୋଗଙ୍କ ପ୍ରତି ବିପଦ ଆଶଙ୍କା କରିବା ପୂର୍ବକ ଏହି ନିର୍ଷ୍ପତ୍ତି ନେଇଛନ୍ତି । ନିର୍ବାଚନ ସମୟ ଥିବାରୁ ନିର୍ବାଚନ ଆୟୁକ୍ତ ଭାବେ ରାଜୀବ କୁମାରଙ୍କୁ ଦେଶର ବିଭିନ୍ନ ସ୍ଥାନକୁ ଯେକୌଣସି ମୁହୂର୍ତ୍ତରେ ମଧ୍ୟ ଯାତାୟତ କରିବାକୁ ପଡ଼ିପାରେ । ଏହି କାରଣରୁ ତାଙ୍କ ସୁରକ୍ଷା କେନ୍ଦ୍ର ସରକାରଙ୍କ ପ୍ରାଥମିକତା ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦର୍ଶାଇଛି ।
ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତ ଥିବା ରାଜୀବ କୁମାର ୧୯୮୪ ଆଇଏଏସ୍ ବ୍ୟାଚ୍‌ର ଜଣେ ପଦାଧିକାରୀ । ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ନିଜ ସାମର୍ଥ୍ୟକୁ ପ୍ରତିପାଦିତ କରିସାରିବା ପରେ ୨୦୨୦ ସେପ୍ଟେମ୍ବର ୧ ତାରିଖରେ ତାଙ୍କୁ କେନ୍ଦ୍ର ନିର୍ବାଚନ ଆୟୋଗରେ ଅନ୍ୟତମ କମିଶନର ଭାବେ ନିଯୁକ୍ତି ଦିଆଯାଇଥିଲା । ତେବେ ୨୦୨୨ ମେ ୧୫ରେ ତାଙ୍କୁ ୨୫ତମ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking