ସିଡନୀ : ଅଷ୍ଟ୍ରେଲିଆରେ ପୁଣି ଜଣେ ପ୍ରବାସୀ ଭାରତୀୟ ନାଗରିକ ହତ୍ୟାର ଶିକାର ହୋଇଛନ୍ତି । ରିପୋର୍ଟ ଅନୁସାରେ ହାଇଦ୍ରାବାଦ୍ର ୩୬ବର୍ଷୀୟା ମହିଳା ଚୈତନ୍ୟା ମଧାଗାନୀଙ୍କ ମୃତଦେହକୁ ରାସ୍ତାକଡରେ ଥିବା ଡଷ୍ଟବିନ୍ ମଧ୍ୟରୁ ଉଦ୍ଧାର କରାଯାଇଛି । ତାଙ୍କୁ କେହି ହତ୍ୟା କରି ଏଠାରେ ଫିଙ୍ଗିଦେଇଥିବା ଅନୁମାନ କରାଯାଉଛି । ଚୈତନ୍ୟା, ନିଜ ସ୍ୱାମୀ ଓ ପୁଅଙ୍କ ସହ ଅଷ୍ଟ୍ରେଲିଆର ପଏଣ୍ଟକୁକ ସହରରେ ଦୀର୍ଘସମୟ ଧରି ରହିଆସୁଥିଲେ । ଚୈତନ୍ୟାଙ୍କ ସ୍ୱାମୀ ଅଶୋକ ରାଜ ଭାରିକୁପାଲା ବହୁ ପୂର୍ବରୁ ଅଷ୍ଟ୍ରେଲିଆର ନାଗରିକତା ପାଇସାରିଥିବା ବେଳେ ନିକଟରେ ଚୈତନ୍ୟା ଅଷ୍ଟ୍ରେଲିଆର ନାଗରିକତା ଗ୍ରହଣ କରିଥିଲେ ।
ତେବେ ନିକଟରେ ପୁଅକୁ ନେଇ ଉଭୟ ହାଇଦ୍ରାବାଦ୍ରେ ରହୁଥିବା ଚୈତନ୍ୟାଙ୍କ ବାପା-ମାଙ୍କ ଘରକୁ ଆସିଥିଲେ । ଫେରିବା ସମୟରେ ଅଶୋକ ରାଜ ଭାରିକୁପାଲା ଚୈତନ୍ୟାଙ୍କୁ ପୁଅକୁ ଏଠାରେ ଅର୍ଥାତ୍ ଚୈତନ୍ୟାଙ୍କ ମା ବାପାଙ୍କ ପାଖରେ ଛାଡିଦେଇଯିବା ପାଇଁ ପ୍ରବର୍ତ୍ତାଇଥିଲେ । ଚୈତନ୍ୟା ମଧ୍ୟ ଏଥିରେ ରାଜି ହୋଇଯାଇଥିଲେ ଏବଂ ପୁଅକୁ ଏଠାରେ ଛାଡି ନିଜେ ସ୍ୱାମୀଙ୍କ ସହ ଅଷ୍ଟ୍ରେଲିଆ ଚାଲିଯାଇଥିଲେ । ଅନ୍ୟପକ୍ଷେ ଚୈତନ୍ୟାଙ୍କ ମୃତ୍ୟୁ ପରେ ତାଙ୍କ ସ୍ୱାମୀ ଅଶୋକ ରାଜ ଏବେ କୁଆଡେ ଫେରାର ହୋଇଯାଇଛନ୍ତି । ସୁତରାଂ ଅଶୋକ ରାଜ ହିଁ ଚୈତନ୍ୟାଙ୍କୁ ହତ୍ୟା କରିଥିବା ଏବେ ସନ୍ଦେହ କରାଯାଉଛି । ଅଷ୍ଟ୍ରେଲିଆର ଭିକ୍ଟୋରିଆ ସହର ପୁଲିସ ଏହି ମାମଲାର ତଦନ୍ତ ଜାରି ରଖିଛି ।