28.1 C
Bhubaneswar
Sunday, July 14, 2024
Homeଦେଶ ବିଦେଶମୁମ୍ବାଇ ‘ହିଟ୍ ଆଣ୍ଡ ରନ୍‌’ ଘଟଣା; ୭୨ଘଣ୍ଟା ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

ମୁମ୍ବାଇ ‘ହିଟ୍ ଆଣ୍ଡ ରନ୍‌’ ଘଟଣା; ୭୨ଘଣ୍ଟା ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

ମୁମ୍ବାଇ:  ମୁମ୍ବାଇର ୱର୍ଲି ଅଞ୍ଚଳରେ ଘଟିଯାଇଥିବା ‘ହିଟ୍ ଆଣ୍ଡ ରନ୍‌’ ମାମଲାର ମୁଖ୍ୟ ଅଭିଯୁକ୍ତ ୨୪ ବର୍ଷୀୟ ମିହିର ଶାହା ନାମକ ଯୁବକଙ୍କୁ ଗିରଫ କରିବାରେ ମୁମ୍ବାଇ ପୁଲିସ୍ ସଫଳ ହୋଇଛି । ଦୁର୍ଘଟଣା ଘଟାଇବା ପରଠାରୁ ଅର୍ଥାତ୍ ଦୀର୍ଘ ୭୨ଘଣ୍ଟା ଧରି ଫେରାର ଥିବା ମିହିରଙ୍କ ଠିକଣା ସମ୍ପର୍କରେ ସୂଚନା ପାଇ ମୁମ୍ବାଇ ପୁଲିସ୍ ତାଙ୍କୁ ଗିରଫ କରିଛି ।
ପ୍ରକାଶ, ରବିବାର ଦିନ ନିଶାଶକ୍ତ ଅବସ୍ଥାରେ ବିଏମ୍‌ଡବ୍ଲ୍ୟୁ କାର୍‌କୁ ଦ୍ରୁତଗତିରେ ଚଳାଇ ଘରକୁ ଫେରୁଥିବା ବେଳେ ମିହିର, ସାମ୍ନାରେ ଯାଉଥିବା ଏକ ସ୍କୁଟିକୁ ଜୋରଦାର ଧକ୍କା ଦେଇଥିଲେ । ସ୍କୁଟିରେ କାବେରୀ ନଖୱା (୪୫) ନାମ୍ନୀ ମହିଳା ଏବଂ ତାଙ୍କ ସ୍ୱାମୀ ପ୍ରଦୀପ୍ ନଖୱା (୫୦) ଆସୁଥିଲେ । ତେବେ ଏହି ଦୁର୍ଘଟଣାରେ ସ୍କୁଟି ପଛରେ ବସିଥିବା କାବେରୀଙ୍କ ମୃତ୍ୟୁ ହସ୍ପିଟାଲ ନେବା ବାଟରେ ହିଁ ହୋଇଯାଇଥିଲା ଏବଂ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଥିଲେ । ସେହି ଘଟଣା ପରଠାରୁ ମିହିର ଫେରାର ହୋଇଯାଇଥିଲେ । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ମିହିର ଚଳାଉଥିବା ଗାଡିକୁ ପୁଲିସ୍ ଜବତ କରିଥିବା ବେଳେ ମିହିରଙ୍କ କୋଟିପତି ବାପା ତଥା ରିଏଲ ଇଷ୍ଟେଟ୍ ବ୍ୟବସାୟ କରୁଥିବା ରାଜେଶ ଶାହାଙ୍କୁ ପୁଲିସ ଗିରଫ କରିଥିଲା । ରାଜେଶ ଶାହା, ମହାରାଷ୍ଟ୍ର ଶାସକ ଦଳ ଶିବସେନା (ଶିନ୍ଦେ ଗୋଷ୍ଠୀ)ର ଜଣେ ଜଣାଶୁଣା ନେତା ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ବେଶ୍ ନିକଟତର । ସମ୍ପ୍ରତି ସେ ଶିବସେନା ଦଳର ପାଲଘର ଜିଲ୍ଲା ଉପାଧ୍ୟକ୍ଷ ଭାବେ କାର୍ଯ୍ୟରତ ଅଛନ୍ତି । ତେବେ ପୁଲିସ୍ ତାଙ୍କୁ ଗିରଫ କରିବାର ୨୪ ଘଣ୍ଟା ମଧ୍ୟରେ ତାଙ୍କୁୂ ଜାମିନ୍ ମିଳିଯାଇଥିଲା । ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି ।
ଅନ୍ୟପକ୍ଷେ ମୃତ କାବେରୀଙ୍କ ସ୍ୱାମୀ ପ୍ରଦୀପ କହିଛନ୍ତି, ମିହିର ନିଶାରେ ଥିବାରୁ ଏହି ଅଘଟଣ ଘଟିଛି । ଧକ୍କା ମାରିବା ପରେ ମଧ୍ୟ ଯଦି ସେ ନିଜ କାର୍‌କୁ ରୋକିଥାନ୍ତେ ତେବେ ହୁଏତ ତାଙ୍କ ପତ୍ନୀ ବଞ୍ଚିପାରିଥାନ୍ତେ । ଅଭିଯୁକ୍ତ ମିହିର ଧକ୍କା ଦେବା ପରେ ଦ୍ରୁତ ଗତିରେ ଆଗକୁ ଗାଡ଼ି ଚଳାଇ ପଳାଇଯିବାକୁ ଉଦ୍ୟମ କରିଥିଲେ । ଫଳରେ କାବେରୀ ପ୍ରାୟ ୧.୫କିମି ପର୍ଯ୍ୟନ୍ତ ଘୋଷାଡି ହୋଇଯାଇଥିଲେ । ଏଥିରେ ତାଙ୍କର ମୃତ୍ୟୁ ହୋଇଥିଲା । ମିହିର ଗିରଫ ହେବା ପରେ  ପ୍ରଦୀପ କହିଛନ୍ତି, ସେ ଯେପରି ତାଙ୍କ ପତ୍ନୀଙ୍କୁ କାର୍‌ରେ କିଛି ବାଟ ଯାଏ ଘୋଷାଡି ନେଇଥିଲା, ସେ ମଧ୍ୟ ଠିକ୍ ସେମିତି ତାକୁ ଘୋଷାଡିବାକୁ ଚାହାନ୍ତି ।  ଅଭିଯୁକ୍ତ ଓ ତାଙ୍କ ପରିବାର ଲୋକ ବେଶ୍ ଧନୀ ଓ ପଇସାବାଲା ଲୋକ । ରାଜନୀତିରେ ମଧ୍ୟ ସେମାନେ ଅଛନ୍ତି । ସେମାନଙ୍କୁ କେହି କିଛି ବି କରିପାରିବେ ନାହିଁ । ଆମେ ଗରିବ, ମଧ୍ୟବିତ୍ତ କେବଳ ଯନ୍ତ୍ରଣା ଭୋଗିବୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking