ପୁରୀ: ଚଳଚଞ୍ଚଳ ରଥଖଳା । ୩୬ ଦିନରେ ପହଞ୍ଚିଛି ରଥ ନିର୍ମାଣ କାର୍ଯ୍ୟ । ତିନି ରଥର ଉପରେ ପାଞ୍ଚଦଣ୍ଡା ପଡିବା ପରେ ଆଗ ମୁହାଁଟ, ପଛ ମୁହାଁଟ, ଗୁଜ, ଯଳଯନ୍ତ୍ର ଓ ନିରାଡି ସ୍ଥାପନ ହେବା ପରେ ଆଜି ଛନ୍ଦା ଗୟଳ ପକାଯାଇଛି । ଦେବସ୍ନାନ ପୂର୍ଣ୍ଣିମାରେ ଚାରିନାହାକା ଉଠିବାକୁ ଥିବାବେଳେ ରଥ ନିର୍ମାଣ କାର୍ଯ୍ୟ ବେଶ୍ ଅଗ୍ରଗତି ହେଉଥିବାରୁ ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଚାରିନାହାକା ଉଠିବ ବୋଲି ବିଶ୍ୱକର୍ମା ସୂଚନା ଦେଇଥିଲେ । ସେପଟେ ରୂପକାର ସେବକମାନେ ତିନି ରଥର ସିଂହାସନ ରାୟ ଏବଂ ଚିତ୍ର ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି । ସେହିପରି ଦୋଳବେଦୀ ଠାରେ ପାହି ମହାରଣାଙ୍କ ନେତୃତ୍ୱରେ ସ୍ନାନଯାତ୍ରା ଏବଂ ରଥଯାତ୍ରରେ ମହାପ୍ରଭୁଙ୍କ ନୀତି କାନ୍ତି ପାଇଁ ଆବଶ୍ୟକ କାଠ ନିର୍ମିତ ସାଜ ନିର୍ମାଣ କରୁଛନ୍ତି ।
ଗତକାଲି ତିନିରଥର ପାଞ୍ଚ ଦଣ୍ଡା ପ୍ରେମ ରେ କଣ୍ଟା ବାଡ଼ିଆ ସହ ଆଗଆଣି ଏବଂ ପଛଆଣି ମୁହାଁଟ ରେ ଗୁଜ, ଜଳଯନ୍ତ୍ର ଉଠି ତାଉପରେ ଆଗ, ପଛ ନିରାଡ଼ି ସଂଯୋଗ ହୋଇ ତିନିରଥ କୁ ଦୁଇଟି ଲେଖାଁଏ ‘ଗରଗରା’ ଉଠିଥିଲା । ଆଜି ପୂର୍ବାହ୍ନରେ ତିନିରଥରେ ଗରଗରାରେ କଣ୍ଟା ବାଡ଼ିଆ ପୂର୍ବରୁ ତିନି ରଥର ମହାରଣା ମାନେ ମାପ ପ୍ରକାରେ ‘ଗରଗରା’ ପଛ ଭାଗ ଏବଂ ଦଣ୍ଡାର ଉପରଭାଗ ଅର୍ଦ୍ଧ ବର୍ଗ ।କାର ଖୋଦେଇ ସହ ବିନ୍ଧ କଲା ପରେ ତିନିରଥର ମହାରଣା ଭୋଇ ସେବକ ଙ୍କ ସହାୟତାରେ ତିନି ରଥ ର ଗରଗରାରେ କଣ୍ଟା ବାଡ଼ିଆ କାର୍ଯ୍ୟ ସମ୍ପନ୍ନ କରିଥିଲେ । ଏହା ପରେ ତିନିରଥର ଉଭୟ ପାର୍ଶ୍ୱରେ ଗୋଟିଏ ଗୋଟିଏ ବଡ଼ ପୋଲ ଗୟଳ ମୋଡାଯାଇଥିଲା ।
ଏହି ପୋଲ ଗୟଳକୁ ମୁଣ୍ଡାଇ ରଖିବା ପାଇଁ ତିନି ରଥର ଉଭୟ ପାର୍ଶ୍ୱ ଛଡେଇ ଦଣ୍ଡାରେ ୪/୩ ସାଇଜ ର ୭ ଟି ଖମ୍ବୀ ବା ଟାଣ ଏବଂ ଦୁଇଟି ଅସୁଆରି ଉଠି ବଡ଼ ପୋଲ ଗୟଳ ସହ ସଂଯୋଗ କରାଯାଇଥିଲା । ଏତତ୍ ବ୍ୟତିତ ତାଳଧ୍ୱଜ ରଥ ଏବଂ ନନ୍ଦିଘୋଷ ରଥର ଆଜି ସୁଦ୍ଧା ବଡ଼ ପୋଲ ଗୟଳ ରୁ ୬ ଗୋଟି ଏବଂ ଛନ୍ଦା ଗୟଳରୁ ୩ ଗୋଟି ଲେଖାଁଏ ଶେଷ ହୋଇଯାଇଛି । ଦର୍ପଦଳନ ରଥର ୫ ଗୋଟି ଗୟଳ ର ନିର୍ମାଣ ଶେଷ ହୋଇ ବାକି ୩ ଗୋଟି ଛନ୍ଦା ଗୟଳର ନିର୍ମାଣ ଜାରି ରହିଥିଲା । ରୂପକାର ସେବକ ମାନେ ତିନି ରଥ ସିଂହାସନ ର ଖୋଦେଇ କାର୍ଯ୍ୟ ଜାରି ରଖିଥିବା ବେଳେ, ଆଜି ତିନିରଥ ପାଇଁ ନାଟ ଗୋଡ଼ରେ ରୂପ ଖୋଦେଇ ପାଇଁ ରୂପ ଅଙ୍କନ କାର୍ଯ୍ୟ ଆରମ୍ଭ କରିଥିଲେ । ଅନ୍ୟପଟେ ଦୋଳବେଦୀ ସ୍ଥିତ କମାର ଶାଳ ରେ ଓଝା ସେବକ ନାନେ ଗୟଳ କଣ୍ଟା, ଯୋଖା କଣ୍ଟା ସହ ଗଳଳ ନାଦା କଣ୍ଟା ନିର୍ମାଣ ଜାରି ରଖିଥିଲେ ।