ନୂଆଦିଲ୍ଲୀ: ଗତ ୩ ବର୍ଷରେ ୧.୧୨ ଲକ୍ଷ ଦିନ ମଜୁରିଆ ଆତ୍ମହତ୍ୟା କରିଛନ୍ତି । ୧୦୧୯-୨୦୨୧ ମଧ୍ୟରେ ଏତେ ସଂଖ୍ୟକ ଦିନ ମଜୁରିଆ ଆତ୍ମହତ୍ୟା କରିଥିବା କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ଲୋକସଭାରେ ଏସମ୍ପର୍କିତ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଏପରି ଆଶ୍ଚର୍ଯ୍ୟକର ସୂଚନା ଦେଇଛନ୍ତି । ନ୍ୟାସ୍ନାଲ କ୍ରାଇମ୍ ରେକର୍ଡ ବ୍ୟୁରୋରର ତଥ୍ୟ ଆଧାର କରି ମନ୍ତ୍ରୀ କହିଛନ୍ତି ଯେ ୨୦୧୯ରେ ୩୨,୫୬୩ ଦୈନିକ ମଜୁରି ଖଟୁଥିବା ଶ୍ରମିକ ଆତ୍ମହତ୍ୟା କରିଛନ୍ତି । ସେହିପରି ୨୦୨୦ରେ ୩୭,୬୬୬ ଶ୍ରମିକ ଓ ୨୦୨୧ରେ ୪୨,୦୦୪ ଶ୍ରମିକ ଆତ୍ମହତ୍ୟା କରିଛନ୍ତି । କୋଭିଡ ସମୟରେ ଛଟେଇ ଯୋଗୁ ଆତ୍ମହତ୍ୟା ସଂଖ୍ୟା ବଢ଼ିଥିଲା ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
କଂଗ୍ରେସ ସାଂସଦ ସୁବୁରମଣ ତିରୁନଭୁକ୍କରାସର ଏ ସମ୍ପର୍କରେ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ଏହାର ଉତ୍ତର ରଖି ମନ୍ତ୍ରୀ କହିଛନ୍ତି ଏହି ୩ ବର୍ଷ ଭିତରେ ଦେଶରେ ମୋଟ ୬୬,୯୧୨ ଗୃହିଣୀ, ୫୩, ୬୬୧ ସ୍ୱନିଯୁକ୍ତ ବ୍ୟକ୍ତି ୪୩,୪୨୦ ଦରମା ଭୋଗୀ କର୍ମଚାରୀ ଏବଂ ୪୩,୩୮୫ ବେରୋଜଗାରୀ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି । ଶ୍ରମ ମନ୍ତ୍ରୀ ଭୁପେନ୍ଦ୍ରର ଯାଦବ କହିଛନ୍ତି ଯେ ସରକାର ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ବାଧ୍ୟ । ଏଥିରେ ଦୈନିକ ବେତନ ଭୋଗୀ କର୍ମଚାରି ବି ସାମିଲ୍ ଅଛନ୍ତି । ସରକାର ବିଭିନ୍ନ ଜନମଙ୍ଗଳକାରୀ ଯୋଜନା କରି ସେମାନଙ୍କର ହିତ ସାଧାନରେ କାର୍ଯ୍ୟ କରୁଛନ୍ତି । ସାମାଜିକ ସୁରକ୍ଷା ଅଧିନିୟମ ୨୦୦୮କୁ ଗୁରୁତ୍ୱ ଦେଇ ଏପରି କହିଛନ୍ତି ଶ୍ରମ ମନ୍ତ୍ରୀ । ତେବେ ଛାତ୍ର ଆତ୍ମହତ୍ୟା ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ୨୦୧୯,୨୦୨୦ ଓ ୨୦୨୧ ଭିତରେ ୩୫,୯୫୦ ଛାତ୍ର ଆତ୍ମହତ୍ୟା କରିଛନ୍ତି । ସେହିପରି ଚାଷ କ୍ଷେତ୍ରରେ ସ୍ୱାବଲମ୍ବି ହେବାକୁ ଚେଷ୍ଟା କରିଥିବା ୩୧,୮୩୯ ଲୋକ ଆତ୍ମତ୍ୟା କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।