30.1 C
Bhubaneswar
Saturday, May 4, 2024
Homeଓଡିଶାଅକ୍ଟୋବରରୁ ସରକାରୀ ସ୍କୁଲରେ ମାସିକ ଟେଷ୍ଟ : ମାର୍ଚ୍ଚ ସୁଦ୍ଧା ଶେଷ ହେବ ୪ଟି ପରୀକ୍ଷା

ଅକ୍ଟୋବରରୁ ସରକାରୀ ସ୍କୁଲରେ ମାସିକ ଟେଷ୍ଟ : ମାର୍ଚ୍ଚ ସୁଦ୍ଧା ଶେଷ ହେବ ୪ଟି ପରୀକ୍ଷା

ଭୁବନେଶ୍ୱର: ରାଜ୍ୟର ସରକାରୀ ସ୍କୁଲରେ ଆସନ୍ତା ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ ୪ଟି ମାସିକ ପରୀକ୍ଷା ହେବ । ଏନେଇ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଛି । ଉଭୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ ଏହି ପରୀକ୍ଷା ପରିଚାଳନା କରାଯିବ । ଆବଶ୍ୟକ ସ୍ଥଳେ ଡିସେମ୍ବରରେ ଶାଢ଼ମାସିକ  ପରୀକ୍ଷା ହେବ । ଏପ୍ରିଲରେ ବାର୍ଷିକ ପରୀକ୍ଷା କରାଯିବ । ତେଣୁ ପରୀକ୍ଷା କରିବା ପୂର୍ବରୁ ନିର୍ଦ୍ଧାରିତ ବିଷୟ ଶେଷ କରିବାକୁ ବିଭାଗ  ପକ୍ଷରୁ  ନିର୍ଦ୍ଦେଶ ଦିଆଯାଇଛି । କରୋନା ପ୍ରଭାବ ହ୍ରାସ ପାଇଥିବାରୁ ଦଶମ ଓ ନବମ ଶ୍ରେଣୀ ପାଠପଢ଼ା ଆରମ୍ଭ ହୋଇଛି । ମାତ୍ର ଅଭିଭାବକଙ୍କ ଅନୁମତି ପତ୍ର ବାଧ୍ୟତାମୂଳକ କରାଯାଇଥିବାରୁ ଦଶମ ଶ୍ରେଣୀରେ ଦୈନିକ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ପ୍ରାୟ ୩୫% ମଧ୍ୟରେ ରହୁଥିବା ବେଳେ ନବମ ଶ୍ରେଣୀରେ ୪୦% ମଧ୍ୟରେ ରହୁଛି ।

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ଶିକ୍ଷାଦାନ ଆରମ୍ଭ ହୋଇନଥିବା ବେଳେ ଅକ୍ଟୋବରରୁ ପ୍ରଥମ ପର୍ଯ୍ୟାୟରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସ୍କୁଲ ଯିବାକୁ ଅନୁମତି ପାଇବେ । ସେମାନଙ୍କ ଲାଗି ମଧ୍ୟ ଅଭିଭାବକଙ୍କ ଅନୁମତି ପତ୍ର ବାଧ୍ୟତାମୂଳକ ରହିବ । ବର୍ତ୍ତମାନ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲାଯାଇନଥିବା ବେଳେ ଅନ୍‌ଲାଇନ୍‌ରେ ସେହି ପିଲାଙ୍କୁ ଶିକ୍ଷାଦାନ କରାଯାଉଛି । ତେଣୁ ଅକ୍ଟୋବରରୁ ପରୀକ୍ଷା ବ୍ୟବସ୍ଥା ଆରମ୍ଭ ହେଲେ ସ୍କୁଲ କର୍ତ୍ତୃପକ୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ମୋବାଇଲ ହ୍ୱାଟ୍ସଆପ୍ ମାଧ୍ୟମରେ ପଠାଇବେ । ପରୀକ୍ଷା ଖାତା ଅଭିଭାବକମାନେ ସ୍କୁଲରୁ ଆସି ଗ୍ରହଣ କରିବେ ଏବଂ ପରୀକ୍ଷା ଶେଷ ହେବା ପରେ ଉତ୍ତରଖାତା ସ୍କୁଲରେ ପୈଠ କରିବେ । ଅପରପକ୍ଷେ ଯଦି ଷଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀ ପାଠପଢ଼ା ଆରମ୍ଭ ହୋଇଥିବ ତେବେ ଯେଉଁ ଛାତ୍ରଛାତ୍ରୀ ଚାହିଁବେ ସେମାନେ ସ୍କୁଲକୁ ଆସି ପରୀକ୍ଷା ଦେଇପାରିବେ ।

ମାତ୍ର ଏଥିପାଇଁ ଅଭିଭାବକଙ୍କ ଅନୁମତି ବାଧ୍ୟତାମୂଳକ କରାଯାଇଛି । ଗଣଶିକ୍ଷା ବିଭାଗର ସୂଚନା ଅନୁଯାୟୀ, ଆଗକୁ କରୋନାର ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ତେଣୁ ଏପରି ସମସ୍ୟା ସୃଷ୍ଟି ହେଲେ ଷଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀ ପାଠପଢ଼ା ପୂର୍ବପରି କେବଳ ଅନ୍‌ଲାଇନ୍ ମାଧ୍ୟମରେ କରାଯିବ । ଗତବର୍ଷ କରୋନା ଲାଗି ସ୍କୁଲ ବନ୍ଦ ରହିଥିବା ବେଳେ ପରୀକ୍ଷା ମଧ୍ୟ ହୋଇନଥିଲା । ତେଣୁ ଚଳିତବର୍ଷ ସବୁ ପିଲାଙ୍କୁ ବିନା ପରୀକ୍ଷାରେ ଉପର ଶ୍ରେଣୀରେ ନାମଲେଖାଇବାର ସୁଯୋଗ ମିଳିଥିଲା । ଏପରିକି ଦଶମ ବୋର୍ଡ ପରୀକ୍ଷାରେ ମଧ୍ୟ ବିକଳ୍ପ ବ୍ୟବସ୍ଥାରେ ମାର୍କିଂ କରିବା କଷ୍ଟକର ହୋଇପଡ଼ିଥିଲା । ତେଣୁ ଆଗକୁ ଯେପରି ଏପରି ସମସ୍ୟା ସୃଷ୍ଟି ନହେବ ସେଥିଲାଗି ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking