ନୂଆଦିଲ୍ଲୀ : ମଙ୍ଗୋଲିଆ ଯାତ୍ରାରେ ଥିବା ଲୋକସଭା ବାଚସ୍ପତି ଓମ୍ ବିରଲାଙ୍କୁ ମଙ୍ଗୋଲିଆ ସଂସଦର ବାଚସ୍ପତି ଜଣ୍ଡନଶତର ଏକ ଘୋଡ଼ା ଉପହାର ଦେଇଛନ୍ତି । ଓମ୍ ବିରଲାଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ତିନିଦିନିଆ ମଙ୍ଗୋଲିଆ ଗସ୍ତରେ ଯାଇଛି । ଲୋକସଭା ସଚିବଳାୟ ଅନୁସାରେ ଓମ୍ ବିରଲା ଏହି ଘୋଡ଼ାର ନାମ ବିକ୍ରାନ୍ତ ରଖିଚନ୍ତି । ଏହି ଅବସରରେ ସେ କହିଛନ୍ତି, ଭାରତ ଓ ମଙ୍ଗୋଲିଆ ମଧ୍ୟରେ ଶତାଧିକ ବର୍ଷ ଧରି ସଭ୍ୟତାଗତ, ଐତିହାସିକ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ସମ୍ବନ୍ଧ ରହିଛି । ବୌଦ୍ଧ ଧର୍ମର ମିଳିତ ଐତିହ୍ୟ ଦୁଇ ଦେଶ ମଧ୍ୟରେ ପାରମ୍ପରିକ ସମ୍ବନ୍ଧକୁ ମଜଭୁତ କରିଥିବା କହିଛନ୍ତି । ସେହିପରି ଭଗବାନ ବୁଦ୍ଧଙ୍କ କର୍ମଭୂମି ଭାବେ ଭାରତ ମଙ୍ଗୋଲିଆରେ ବୌଦ୍ଧ ଐତିହ୍ୟର ସଂରକ୍ଷଣ ନିମନ୍ତେ ପୂର୍ଣ୍ଣ ରୂପେ ସହଯୋଗ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ।
ରବିବାର ବିରଲା ମଙ୍ଗୋଲିଆ ରାଜଧାନୀ ଉଲାନବଟ୍ଟାରର ଗାଣ୍ଡନ୍ଟେଗ୍ଚେନ୍ଲିଙ୍ଗ ମଠ ପରିଦର୍ଶନ କରିଛନ୍ତି । ମଙ୍ଗୋଲିଆରେ ବୌଦ୍ଧ ଧର୍ମର ମୁଖ୍ୟ କେନ୍ଦ୍ର ଏହି ମଠ ନିଜର ବିଭିନ୍ନ ପାରମ୍ପରିକ ମତ ଜରିଆରେ ଭିକ୍ଷୁଙ୍କ ସହିତ ଛାତ୍ରମାନଙ୍କୁ ମଧ୍ୟ ଧାର୍ମିକ ଏବଂ ସମକାଳୀନ ଶିକ୍ଷା ପ୍ରଦାନ କରିଥାଏ । ଏହି ଅବସରରେ ସେ ବୈଦ୍ଧ ଧର୍ମର ପ୍ରସାର ଏବଂ ଭାରତ-ମଙ୍ଗୋଲିଆ ମଧ୍ୟରେ ଆଧ୍ୟାତ୍ମିକ ସମ୍ବନ୍ଧ ବୃଦ୍ଧି କରିଥିବା ଯୋଗୁଁ ମଠର ମୁଖ୍ୟା ଖମ୍ବା ନୋମୁନ୍ ଖାନ୍ଙ୍କୁ ୨୦୨୨ର ଆଇସିସିଆର୍ ବୌଦ୍ଧ ପୁରସ୍କାର ପ୍ରଦାନ କରିଛନ୍ତି । ସେହିପରି ଓମ୍ ବିରଲା ଆଜି ପୈଥୁବ ମଠ ମଧ୍ୟ ପରିଦର୍ଶନ କରିଛନ୍ତି । ତଥାଗତ ବୁଦ୍ଧଙ୍କ ଦ୍ୱାରା ପ୍ରଦତ୍ତ କରୁଣା, ଦୟା, ଅହିଂସା ଏବଂ ସହିଷ୍ଣୁତାର ବାର୍ତ୍ତା ପୈଥୁବ ମଠ ମାଧ୍ୟମରେ ନିରନ୍ତର ମାନବ ଚେତନାର ମାର୍ଗ ଦର୍ଶନ କରିଆସୁଥିବ ବୋଲି କହିଛନ୍ତି । ମଠରେ ଥିା ମହାତ୍ମ ଗାନ୍ଧୀଙ୍କ ପ୍ରତିମାରେ ଲୋକସଭା ବାଚସ୍ପତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, ଗାନ୍ଧୀଜୀଙ୍କ ଅହିଂସା ଏବଂ ସଦ୍ଭାବ ବାର୍ତ୍ତା ଏବେ ମଧ୍ୟ ସାରା ବିଶ୍ୱ ପାଇଁ ଆଶାର କିରଣ ହୋଇ ରହିଛି ।