ନୂଆଦିଲ୍ଲୀ: ଆସନ୍ତାକାଲି ୨୮ରେ ନୂତନ ସଂସଦ ଭବନ ଉଦଘାଟନ ହେବ । ଏହି କାର୍ଯ୍ୟକ୍ରମରେ ତାମିଲନାଡୁର ଥିରୁବଦୁୁଥୁରାଇ ଆଧୀନାମ (ମଠ)ର ମୁଖ୍ୟ ପୁରୋହିତ ବିଶେଷ ଅତିଥି ଭାବରେ ଉପସ୍ଥିତ ରହିବେ । ତେବେ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମଦୁରାଇ ଆଧୀନାମର ୨୯୩ତମ ମୁଖ୍ୟ ପୁରୋହିତ ଶ୍ରୀ ହରିହର ଦେଶିକା ସ୍ୱାମୀଗଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାଜଦଣ୍ଡ ‘ସେଙ୍ଗୋଲ’କୁ ହସ୍ତାନ୍ତର କରିଛନ୍ତି । ଏହି ସମୟରେ ନିମନ୍ତ୍ରିତ ସାଧୁସନ୍ଥମାନେ ଉପସ୍ଥିତ ଥିଲେ । ସାଧୁସନ୍ଥମାନଙ୍କର ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ସେଙ୍ଗୋଲକୁ ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଥିଲା । ଏହି ଅବସରରେ ୨୧ଟି ଆଧୀନାମର ମହନ୍ତମାନେ ଉପସ୍ଥିତ ଥିଲେ । ସେଙ୍ଗୋଲ ଦିଆଯିବା ପୂର୍ବରୁ ମୋଦୀଙ୍କୁ ସୁନେଲି ରଙ୍ଗର ଅଙ୍ଗବସ୍ତ୍ରମ ଦିଆଯାଇଥିଲା । ସେଙ୍ଗୋଲ’ ହସ୍ତାନ୍ତର ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ଥିଲେ । ଉଲ୍ଲେଖ ଥାଉ କି ଆସନ୍ତାକାଲି ସକାଳ ୮ଟା ୩୦ ରୁ ୯ଟା ମଧ୍ୟରେ ଲୋକସଭା ଭିତରେ ସେଙ୍ଗୋଲ ସ୍ଥାପନ କରାଯିବ ।
ଏହି ସମୟରେ ତାମିଲନାଡୁର ମଠରୁ ଆସିଥିବା ୨୧ ଜଣ ସନ୍ଥ ଉପସ୍ଥିତ ରହିବେ । ସକାଳ ୯ଟା ୩୦ରେ ପ୍ରାର୍ଥନା ସଭା ହେବ, ଏହି ପ୍ରାର୍ଥନା ସଭାରେ ଶଙ୍କରାଚାର୍ଯ୍ୟଙ୍କ ସମେତ ବହୁ ମହାନ ପଣ୍ଡିତ ଏବଂ ସାଧୁସନ୍ଥ ଉପସ୍ଥିତ ରହିବେ । ଉଲ୍ଲେଖ ଥାଉ କି ମୋଦୀଙ୍କୁ ପ୍ରଶଂସା କରି ମଦୁରାଇ ଆଧୀନାମର ୨୯୩ତମ ମୁଖ୍ୟ ପୁରୋହିତ ଶ୍ରୀ ହରିହର ଦେଶିକା ସ୍ୱାମୀଗଲ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମଗ୍ର ବିଶ୍ୱରୁ ସମ୍ମାନ ମିଳିଛି ଏବଂ ଦେଶର ସମସ୍ତେ ତାଙ୍କ ପାଇଁ ଗର୍ବିତ । ସେ ଏହା ମଧ୍ୟ କହିଥିଲେ ଯେ ୨୦୨୪ ମସିହାରେ ନରେନ୍ଦ୍ର ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବରେ ଫେରିବା ଉଚିତ୍ । ସ୍ୱାମୀଗଲ କହିଥିଲେ, “ପ୍ରଧାନମନ୍ତ୍ରୀ ମୋଦୀ ଏମିତି ଜଣେ ନେତା ଯିଏ ବିଶ୍ୱସ୍ତରୀୟ ପ୍ରଶଂସା ପାଇଛନ୍ତି । ସେ ଲୋକଙ୍କ ପାଇଁ ଭଲ କାମ କରୁଛନ୍ତି । ତାଙ୍କୁ ୨୦୨୪ରେ ପୁଣିଥରେ ପ୍ରଧାନମନ୍ତ୍ରୀ ହେବାକୁ ପଡିବ ଏବଂ ଲୋକଙ୍କୁ ମାର୍ଗଦର୍ଶନ କରିବାକୁ ପଡିବ । ଆମେ ସମସ୍ତେ ତାଙ୍କ ପାଇଁ ଗର୍ବିତ । କାରଣ ସମଗ୍ର ବିଶ୍ୱର ନେତାମାନେ ଆମର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରୁଛନ୍ତି ।