ଭୁବନେଶ୍ୱର: ମଦ ପିଇ ବେହୋସ ହୋଇଯାଇଥିବା ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ପାହାଳ ଥାନା ପୁଲିସ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ରସୁଲଗଡ଼ ଭେନସ୍ ଆପାର୍ଟମେଣ୍ଟରେ ରହୁଥିବା କିଶନ ଅଗ୍ରୱାଲ(୨୪) ବୋଲି ଜଣାଯାଇଛି । ଏନେଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତକୁ ଶୁକ୍ରବାର କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ, ଅଭିଯୁକ୍ତ କିଶନର ଭୁବନେଶ୍ୱରର ଏକ ଲୁହାଛଡ ଡିଲର୍ସିପ ରହିଛି । କିଶନ ସବୁବେଳେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏମ୍ବାସି ବାର୍ ଯାଉଥିବାବଳେ ସେଠାକୁ କଟକ ଅଞ୍ଚଳର ଜଣେ ଯୁବତୀ ମଧ୍ୟ ଯାଉଥିଲେ। ଗତ ମାସରେ ଦୁହିଁଙ୍କ ଦେଖାସାକ୍ଷାତ ହୋଇଥିଲା । ଏହାପରେ ଦୁହେଁ ମୋବାଇଲ ନମ୍ବର ଦିଆନିଆ ହୋଇଥିଲେ ।
ଗତ ଏପ୍ରିଲ ୨୯ ତାରିଖରେ ଚନ୍ଦ୍ରଶେଖରପୁରସ୍ଥ ଏମ୍ବାସି ବାରକୁ କିଶନ ଯାଇଥିବାବେଳେ ସମ୍ପୃକ୍ତ ଯୁବତୀଙ୍କୁ ଫୋନ କରି ବାରକୁ ଆସିବା ପାଇଁ କହିଥିଲା । ଏହାପରେ ଦୁହେଁ ମଦ ପିଇଥିଲେ । ଯୁବତୀଜଣକ ପ୍ରଚୁର ମଦ ପିଇବାରୁ ବେହୋସ ହୋଇଯାଇଥିଲେ । ତେଣୁ ଏହାର ସୁଯୋଗ ନେଇ ଅଭିଯୁକ୍ତ କିଶନ ତାଙ୍କୁ କାର ଯୋଗେ ପାହାଳ ଅଞ୍ଚଳରେ ଥିବା ଭଡାଘରକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲେ । ପରଦିନ ସକାଳେ ଯୁବତୀ ଜଣକ ଦୁଷ୍କର୍ମ ସମ୍ପର୍କରେ ଜାଣିବାରୁ କିଶନକୁ ଫୋନ କରି ପଚାରିଥିଲେ ।
କିନ୍ତୁ କିଶନ ତାଙ୍କୁ ଘଟଣା ସଂପର୍କରେ କାହାରିକୁ ନକହିବାକୁ ବିଭିନ୍ନ ପ୍ରକାର ଧମକ ଚମକ ଦେଇଥିଲେ । ଯାହାଫଳରେ ସେ ଭୟରେ ଘଟଣା ବିଷୟରେ କାହାକୁ ଜଣାଇନଥିଲେ । ଏପିରିକି ଥାନାରେ ମଧ୍ୟ ଅଭିଯୋଗ କରିନଥିଲେ । କିନ୍ତୁ ବାରମ୍ବାର ଧମକ ଚମକ ଦେଉଥିବାରୁ ଯୁବତୀ ଜଣକ ମେ’ ୬ରେ ଘଟଣା ସମ୍ପର୍କରେ ପାହାଳ ଥାନାରେ ଅଭିଯୋଗ କରିଥିଲେ । ଏହି ସମୟରେ କିଶନ ବ୍ୟବସାୟ କାମରେ କୋଲକାତା ଯାଇଥିବାବେଳେ ଗୁରୁବାର ସେ କୋଲକାତାରୁ ଫେରିଥିବା ଖବରପାଇ ପୁଲିସ ପାହାଳ ସ୍ଥିତ ଭଡ଼ା ଘରେ ଚଢ଼ଉ କରି ତାକୁ ଗିରଫ କରିଥିଲା ।