34.1 C
Bhubaneswar
Friday, March 29, 2024
Homeଓଡିଶାଅନ୍ଧାରୀମୂଲକର ଜାମଢିଅ ଗାଁ’: ଅନ୍ଧାରରେ ହଜିଯାଇଛି ବିକାଶର ଆଲୋକ

ଅନ୍ଧାରୀମୂଲକର ଜାମଢିଅ ଗାଁ’: ଅନ୍ଧାରରେ ହଜିଯାଇଛି ବିକାଶର ଆଲୋକ

ପାରଳାଖେମୁଣ୍ଡି : ସ୍ୱାଧିନତାର ସାତଦଶନ୍ଧି ପରେ ଆମ ଦେଶ ଡିଜିଟାଲ ଇଣ୍ଡିଆରେ ପାଦ ଥାପି ବିକାଶମୁଖୀ ହୋଇଚାଲିଛି । କିନ୍ତୁ ଆମ ରାଜ୍ୟରେ ଏବେ ବି ଅନେକ ଗ୍ରାମ ରହିଛି ଯେଉଁଠି ସାଧାରଣ ମୌଳିକ ସୁବିଧା ଗ୍ରାମବାସୀଙ୍କ ପାଇଁ ସାତସପନ ପାଲଟିଛି । ରୋଗୀଟିଏ ପାଇଁ ଆମ୍ବୁଲାନ୍ସ ସେବା କହିଲେ ଦୋଳାବୁହାକୁ ବୁଝାଉଛି ଏବଂ ବିଦ୍ୟୁତ୍ ଆଲୁଓ କହିଲେ ଡିବିରି ଓ ମହମବତୀ ଆଲୁଓକୁ ସୁଚାଉଛି । ଆଉ ସୁଦ୍ଧ ପାନୀୟଜଳ ବ୍ୟବସ୍ଥା ଯଦି କହିବା ନାଳର ଗୋଳିଆ ପାଣିକୁ ବ୍ୟବହାର କରି ତୃଷା ମେଣ୍ଟାଉଛନ୍ତି ଗ୍ରାମବାସୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଜିରାଙ୍ଗ ପଞ୍ଚାୟତର ଜାମଢିଅ ଗ୍ରାମରେ ।

ପାହାଡ ପର୍ବତ ଘେରା ଆଦିବାସୀ ଅଧ୍ୟୁସିତ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଜିରାଙ୍ଗ ପଞ୍ଚାୟତର ୨ ନମ୍ବର ୱାର୍ଡରେ ରହିଛି ଜାମଢିଅ ଗାଁ । ଗାଁ’ରେ କେଉଁ ପୁରାତନ କାଳରୁ ୨୦ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାର ଚାଷବାସ କରି ଜୀବିକା ନିର୍ବାହ କରିଆସୁଥିବା ବେଳେ ଗାଁକୁ ପହଞ୍ଚି ପାରୁନି ସରକାରଙ୍କ କୌଣସି ଉନ୍ନତିମୂଳକ ଯୋଜନା । ଘରେ ଘରେ ଖଞ୍ଜାଯାଇଛି ବିଦ୍ୟୁତ ମିଟର ସହ ଉପକରଣ । ଗାଁ ଦାଣ୍ଡରେ ବିଦ୍ୟୁତ ଖୁଣ୍ଟ ପୋତାଯାଇଥିବା ବେଳେ କେଉଁଠି ବନ୍ଧାଯାଇଛି ଷ୍ଟ୍ରୀଟ୍ ଲାଇଟ୍ ତ ଅନ୍ୟ କେଉଁଠି ମୁକୁଳା ପଡିଛି ଟ୍ରାନ୍ସଫରମର । ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ ଜ୍ୟୋତି ଯୋଜନା ମାଧ୍ୟରେ ୨୦୧୭ ମସିହାରେ ଗ୍ରାମକୁ ବିଦ୍ୟୁତ ସଂଯୋଗୀକରଣ ପାଇଁ ଜଣେ ଠିକାଦାର କାମ ନେଇଥିଲେ । ଗ୍ରାମବାସୀ ମିଳିତ ଭାବେ ମାଗଣା ଶ୍ରମଦାନ କରି ସେମାନଙ୍କୁ ଖାଦ୍ୟ ପାନୀୟ ଦେବା ସହ ଘରେ ଘରେ ମିଟର ଖଞ୍ଜିବା ପାଇଁ ତିନଶହ ଟଙ୍କା ଲେଖାଏଁ ମଧ୍ୟ ଦେଇଥିଲେ । ହେଲେ ଠିକାଦାର ଅଧାପନ୍ତରିଆ କରି କେଉଁ ଆଡେ ଉଭାନ୍ ହୋଇଗଲେ । ତାପରଠାରୁ ସେମିତି ବିଦ୍ୟୁତ୍ ଉପକରଣ ମାଟିରେ ପୋତି ହୋଇଗଲାଣି ତ କେଉଁଠି ଲଟାବୁଦା ମାଡିଗଲାଣି, ତ ଆଉ କେଉଁଠି ରାସ୍ତା କଡରେ ବିଦ୍ୟୁତ୍ ଖୁଣ୍ଟି ପଡିରହିଛି । ଅଧାରୁ କାମ ଛାଡି ଚାଲିଯାଇଥିବା ବେଳେ ଏପର୍ଯ୍ୟନ୍ତ ଗ୍ରାମକୁ ବିଦ୍ୟୁତ ସଂଯୋଗ ହୋଇପାରି ନାହିଁ । ଯାହାଫଳରେ ସନ୍ଧ୍ୟା ହେଲେ ଜଙ୍ଗଲ ଜୀବଜନ୍ତୁଙ୍କ ଭୟରେ ସର୍ଯ୍ୟାଅସ୍ତ ପରେ କବାଟ କିଳି ଶୀଘ୍ର ଶୋଇପଡୁଛନ୍ତି ଗ୍ରାମବାସୀ । ଏହା ସହ ପିଲାଙ୍କ ଭବିଷ୍ୟତ ଡିବିରି ଓ କ୍ୟାଣ୍ଡେଲ ଆଲୁଅରେ ଗଢା ହେଉଛି । ସଠିକ ଭାବେ କିରୋସିନ ମିଳୁନଥିବା ହେତୁ ଅନେକ ଦିନ ସଂପୂର୍ଣ୍ଣ ଅନ୍ଧାରରେ ରହିବାକୁ ପଡେ । ଗାଁ ଠାରୁ ପଞ୍ଚାୟତ ୬ କିଲୋମିଟର ଓ ମେଡ଼ିକାଲକୁ ୮ କିଲୋମିଟର ଏବଂ ପିଲାଙ୍କ ବିଦ୍ୟାଳୟ ପାଇଁ ବାହାଡାପଦାକୁ ୪ କିଲୋମିଟର ମାଟି କାଦୁଅ ଭରା ରାସ୍ତା ସମ୍ପୂର୍ଣ୍ଣ ଶୋଚନୀୟ ହୋଇପଡିଛି । ଯାହା କେବଳ ପାଦଚଲା ପାଇଁ ଉଦ୍ଦିଷ୍ଟ ହୋଇଥିବା ବେଳେ ଅସରାଏ ବର୍ଷା ହେଲେ ଯାତାୟତ ସଂପୂର୍ଣ୍ଣ ଠପ ହୋଇଯାଉଛି । ଏଭଳି ପରିସ୍ଥିତିରେ ଗାଁକୁ ଆସୁପାରୁ ନାହିଁ ଆମ୍ବୁଲାନ୍ସ । ଫଳରେ ଜରୁରୀ କାଳିନ ପରିସ୍ଥିତିରେ ରୋଗୀଙ୍କୁ ମାଇଲ ମାଇଲ ଦୂର ଦୋଳାରେ ବୁହାହୋଇ ମେଡିକାଲକୁ ନେବାକୁ ପଡେ । ରାସ୍ତାର ଦୁରବସ୍ଥା ଓ ବନ୍ୟଜୀବଜନ୍ତୁ ଭୟରେ ଗାଁର ଅନେକ ପିଲା ଅଧାରୁ ପାଠ ପଢ଼ା ଛାଡି ଗାଈଗୋରୁ ଚରାଇବାରେ ସମୟ ବିତାଉଛନ୍ତି ତ ବାହାର ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି । ଗ୍ରାମରେ ବହୁପୁରାତନ କାଳରୁ ଗୋଟାଏ ମାତ୍ର ଭଙ୍ଗା କୁପ ରହିଥିବା ବେଳେ ରକ୍ଷଣାବ୍ୟକ୍ଷଣା ଓ ପୁନଃଉଦ୍ଧାର ଅଭାବରୁ ପଙ୍କରେ ପୋତିହେବାକୁ ବସିଲାଣି, ଯେଉଁ ନଳକୂପମାନ ରହିଛି ତାହାକୁ ମରାମତି ମଧ୍ୟ କରାଯାଉନଥିବା ଯୋଗୁଁ ପେଜୁଆ ଓ ଦୁର୍ଗନ୍ଧମୟ କଳଙ୍କିଯୁକ୍ତ ପାଣି ବାହାରୁଛି, ଫଳରେ ବାଧ୍ୟ ହୋଇ ଗାଁ ନିକଟରେ ଥିବା ବିଲମାଳିଆ ନାଳର ଗୋଳିଆ ପାଣିକୁ ଛାଣି ଆଣି ପାନୀୟଜଳ ଭାବେ ବ୍ୟବହାର କରିଆସୁଛନ୍ତି ଗ୍ରାମବାସୀ । କୌଣସି ମୋବାଇଲ ନେଟରୱର୍କ ଅପହଞ୍ଚ । ଏଭଳି ନାନା ସମସ୍ୟା ଦେଇ ଗତି କରୁଥିବା ଗ୍ରାମବାସୀ ବାରମ୍ବାର ସମସ୍ୟା ନେଇ ସ୍ଥାନୀୟ ସରପଞ୍ଚ ଟଙ୍କଧର ରଣସିଂହ ଠାରୁ ଆରମ୍ଭ କରି ବହୁ ବିଭାଗୀୟ ଅଧିକାରୀ ଓ ନେତାଙ୍କୁ ଗୁହାରି ଜଣାଇ ଜଣାଇ ନୟାନ୍ତ ହେଲେଣି । ହେଲେ କୌଣସି ସୁଫଳ ମିଳିପାରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବାହାଡାପଦା ନିକଟସ୍ଥ ଜାମଢିଅ ଗ୍ରାମକୁ ଭଲ ରାସ୍ତା ଖଣ୍ଡିଏ ନଥିବା ହେତୁ ଶିକ୍ଷା ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ । ଗାଁକୁ ମୁଖ୍ୟତଃ ପକ୍କା ରାସ୍ତା ଖଣ୍ଡିଟିଏ ସରକାର ଯୋଗାଇଦେବାକୁ ଦାବୀ କରିଛନ୍ତି ଗ୍ରାମବାସୀ ନଚେତ ଆଗାମୀ ଦିନରେ ଆସୁଥିବା ପଞ୍ଚାୟତ ନିର୍ବାଚନରେ ସମୂହ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking