କରୋନା କାଳରେ ଦାଦନ ମୁହାଁ ରୋକି ପାରିନି ମନରେଗା: ଶ୍ରମବିଭାଗ ପାଖରେ ତଥ୍ୟ ନାହିଁ, ନାବାଳକ ଓ ନାବାଳିକାଙ୍କ ସଂଖ୍ୟା ଅଧିକ
ରାୟଗଡା: ଗ୍ରାମାଞ୍ଚଳରେ କର୍ମନିଯୁକ୍ତି ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଆଉ ଜିଲ୍ଲାର ଏପରି ବିକାଶମୂଳକ କାର୍ଯ୍ୟକୁ ଦେଖି କେନ୍ଦ୍ର ସରକାର ରାୟଗଡାକୁ ଆକାଂକ୍ଷା ଜିଲ୍ଲାରେ ସାମିଲ କରୁଛନ୍ତି । ବିଭିନ୍ନ ପର୍ଯ୍ୟାୟରେ ଗ୍ରାମାଞ୍ଚଳର ବିକାଶକୁ ନେଇ ରାୟଗଡା ରାଜ୍ୟରେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହୁଛି । ତଥାପି ଜିଲ୍ଲାରେ ଦୂର ହେଉନି ଦାଦନ ସମସ୍ୟା । ଲୋକଙ୍କ ପାଖରେ କାମ ନାହିଁ ଯାହାଫଳରେ ଅଧିକ ଅର୍ଥ ଲାଳସାରେ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯାଉଛନ୍ତି । ଆଉ ଗରୁତ୍ୱପୂର୍ଣ୍ଣ କଥା ହେଲା ଏହି ଦାଦନ ଭିତରେ ନାବାଳକ ଓ ନାବାଳିକାଙ୍କ ସଂଖ୍ୟା ଅଧିକ ରହିଥିବା କୁହାଯାଉଛି । କିନ୍ତୁ ବିଡମ୍ବନାର କଖା ହେଲେ ଜିଲ୍ଲାରୁ କେତେ ଦାଦନ ପ୍ରତିମାସ ବାହାର ରାଜ୍ୟକୁ ଯାଉଛନ୍ତି,ସେଥିମଧ୍ୟରୁ ନାବାଳକ ଓ ନାବାଳିକାଙ୍କ ସଂଖ୍ୟା କେତେ ତାର ସଠିକ୍ ହିସାବ ଜିଲ୍ଲା ଶ୍ରମ ବିଭାଗ ପାଖରେ ନାହିଁ । ବିଶେଷ କରି ଆଜିକାର ଚାକଚମକ ସାମାଜରେ ରୋଜଗାର ନଥିବାରୁ ନାବାଳକ ଓ ନାବାଳିକା ମାନେ ପୋଡଶୀ ଆନ୍ଧ୍ର,ତେଲେଙ୍ଗାନା,ରାୟପୁର,ତାମିଲନାଡୁ ଓ ସୁରତ ଅଭିମୁଖେ ଚାଲିଯାଉଛନ୍ତି । ବିଶେଷ କରି ଦାଦନ ଖଟିବାକୁ ଯୁବବର୍ଗ ଅଧିକ ଆଗଭର ହେଉଥିବା ନଜରକୁ ଆସିଛି । ସେହିପରି କରୋନା କାଳରେ କାମଧନ୍ଧା ଅଭାବରୁ ପିଲାଙ୍କ ପାଠପଢାରେ ଡୋରି ବାନ୍ଧି ହୋଇଯାଇଥିବା ବେଳେ ଦାମିକିଆ ଡ୍ରେସ୍ ଓ ଅଣ୍ଡ୍ରୋଏଡ୍ ମୋବାଇଲ ପାଇଁ ପିଲା ମାନେ ବାହାର ରାଜ୍ୟକୁ ଚାଲିଯାଉଛନ୍ତି । ଆଉ ସେଠାରେ ଅନେକ ଆକ୍ରୋଶର ଶିକାର ହେଉଛନ୍ତି । ତେବେ ଏନେଇ ଶ୍ରମ ବିଭାଗ,ଶିଶୁ ସୁରକ୍ଷା କମିଟି ସମେତ ସ୍ଥାନୀୟ ପ୍ରଶାସନ ଗ୍ରାମାଞ୍ଚଳରେ ବ୍ୟାପକ ସଚେତନ କରୁଛନ୍ତି । ତଥାପି ଆଦିବାସୀ ଅଧୂଷିତ ରାୟଗଡା ଜିଲ୍ଲାରୁ ଦାଦନ ସମସ୍ୟା ଦୂର ହେଉନି । ଅଧିକ ଅର୍ଥ ଲାଳସାରେ ବାହାର ରାଜ୍ୟର ଦାଲାଲ ମାନଙ୍କ ସହ ମିଶି ସ୍ଥାନୀୟ ଶ୍ରମିକ ଦଲାଲ ମାନେ ସକ୍ରିୟ ହୋଇଉଠିଥିବା ବେଳେ ସେମାନଙ୍କ ଉପରେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି । ଯାହାଫଳରେ ଟଙ୍କାର ଲୋଭ ଦେଖାଇ ଶ୍ରମିକ ଚାଲାଣ କରାଯାଉଛି । ଆଉ ସେଠାରେ ନିର୍ଯ୍ୟାତନାର ଶିକାର ହେଉଛନ୍ତି ନିରୀହ ଆଦିବାସୀ ନାବାଳକ ଓ ନାବାଳିକା । ଯାହାର ଜ୍ୱଳନ୍ତ ଉଦାହରଣ ଗତ ଶୁକ୍ରବାର ଆନ୍ଧ୍ରର ଗୁଣ୍ଟୁର ଜିଲ୍ଲାରେ ଦେଖିବାକୁ ମିଳିଥିଲା । ଏବେବି ଜିଲ୍ଲାର ଅନେକ ୧୮ ବର୍ଷବର୍ଗର କମ୍ ପିଲା ବାହାର ରାଜ୍ୟରେ ରହିଥିବା ବେଳେ ସେମାନଙ୍କ କୌଣସି ଖୋଜ୍ ଖବର ନଥିବା ଅଭିଯୋଗ ହୋଇଛି । ଗ୍ରାମାଞ୍ଚଳରେ ଶ୍ରମ ବିଭାଗ ପକ୍ଷରୁ ଲୋକଙ୍କୁ ଦାଦନ ମୁହାଁ ନହେବାକୁ ବ୍ୟାପକ ସଚେତନ କରାଯିବା ଜିଲ୍ଲାର ସରପଞ୍ଚ ମାନଙ୍କୁ ଦାଦନଙ୍କ ଗତିବିଧି ସଂକ୍ରାନ୍ତରେ ତଥ୍ୟ ମଗାଯାଉଛି । କିନ୍ତୁ ଅନେକ ଦାଦନ ଲୁଚିଛପି ବସ୍ ଓ ଟ୍ରେନ୍ ଯୋଗେ ଚାଲିଯାଉଥିବା ବେଳେ ଜିଲ୍ଲା ଶ୍ରମ ବିଭାଗ ମଧ୍ୟ ସେମାନଙ୍କୁ ରୋକିବାରେ ସଫଳ ହେଉନାହିଁ । ଶ୍ରମ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଜିଲ୍ଲାରୁ ପ୍ରାୟ ୫୦୦ରୁ ଅଧିକ ଦାଦନ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି । କିନ୍ତୁ ବାସ୍ତବରେ ଏହି ତଥ୍ୟକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । କାରଣ ରାୟଗଡା ଜିଲ୍ଲାର ସଦର ବ୍ଲକ ସମେତ କୋଲନରା,କଲ୍ୟାଣସିଂହପୁର,ବିଷମକଟକ,ରାମନାଗୁଡା,ଗୁଣପୁର,ଗୁଡାରୀ ଓ ମୁନିଗୁଡା ସମେତ ଚନ୍ଦ୍ରପୁର ବ୍ଲକର ଅନେକ ଯୁବକ ଯୁବତୀ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲିଯାଇଛନ୍ତି । ତେବେ କରୋନାର ପ୍ରଥମ ଲହରରେ ଅନେକ ଜିଲ୍ଲାକୁ ଫେରି ଆସିଥିବା ବେଳେ କରୋନା ଭୟରେ ଅନେକ ଶ୍ରମିକ ବାହାର ରାଜ୍ୟରେ ରହିଯାଇଥିଲେ । ତେବେ କରୋନା କଡକଣା କହଳ ହେବା ପରେ ଶ୍ରମିକ ମାନେ ପୁଣିଥରେ ଦାଦନମୁହାଁ ହୋଇଯାଇଛନ୍ତି । ଆଉ ସେମାନଙ୍କୁ ରୋକିବା ଦିଗରେ ପ୍ରଶାସନ ଫେଲ୍ ମାରିଥିବା କୁହାଯାଇଛି । ଏନେଇ ଆମେ ଜିଲ୍ଲା ଶ୍ରମ ଅଧିକାରୀ ଯସ୍ୱୀନ ସାହୁଙ୍କ ପ୍ରତିକ୍ରିଆ ନେବାରୁ ସେ ଜିଲ୍ଲାରେ ଦାଦନ ସମସ୍ୟା ଦୁର କରିବା ପାଇଁ ବ୍ୟପକ ଉଦ୍ୟମ କରାଯାଉଛି ବୋଲି ପ୍ରକାଶ କରିଛନ୍ତି ।