ସଇଁନ୍ତଲା : ଜିଲ୍ଲା ପ୍ରଶାସନକୁ ଅନ୍ଧାରରେ ରଖି ମିଲ୍ ମାଲିକ କରୁଥିଲା ବେଆଇନ କାରବାର । ବର୍ଷ ବର୍ଷ ଧରି ଚାଲୁଥିବା ବେଳେ ପ୍ରଶାସନ କାହିଁକି ଜାଣି ପାରିଲା ନାହିଁ ତାହା ଏବେ ବଡ଼ ପ୍ରଶ୍ନ ଉଠୁଛି । ତେବେ ଏମିତି ଏକ ଘଟଣାର ଖୁଲାସା କରିଛନ୍ତି ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ । ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗତକାଲି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବିବିନା ସ୍ଥିତ ଶିବାଏଗ୍ରୋ ରାଇସ ମିଲ ଉପରେ ଚଢ଼ଉ କରିଥିଲେ । ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଯୋଗାଣ ବିଭାଗର ତତ୍ପରତା ଦେଖାଇ ଏଭଳି ବେଆଇନ ଭାବେ ଚାଲୁଥିବା ମିଲ୍କୁ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇଛି । ମିଲ୍ ଭିତରେ ହଜାର ହଜାର ବସ୍ତା ଧାନ ଓ ଚାଉଳ ଦେଖି ଚକିତ ହୋଇଯାଇଥିଲେ ଯୋଗାଣ ବିଭାଗ । ପରେ ମିଲ୍ର ସବୁ ଦସ୍ତାବିଜ ଜବତ କରି ଟିଟିଲାଗଡ଼ ଯୋଗାଣ ବିଭାଗ, ସଇଁନ୍ତଲା ତହସିଲଦାର ସୁରେନ୍ଦ୍ର ମେହେର, ଯୋଗାଣ ଅଧିକାରୀ ପ୍ରଭାତ କୁମାର ଦାସ ଓ ସଇଁତଲା ପୁଲିସ ପ୍ରଶାସନକୁ ଚଢ଼ଉ କରିବା ପାଇଁ ଶ୍ରୀ ମହାଜନ ନିର୍ଦ୍ଦେଶ ଦେଇଥିଲେ ।
ଉପଜିଲ୍ଲାପାଳଠୁ ଖବର ପାଇ ଛାନିଆ ହୋଇଥିଲା ଯୋଗାଣ ବିଭାଗ । ମିଲ୍କୁ ଆସି ନାମକୁ ମାତ୍ର ଚଢଉ କରିଥିବା ବେଳେ ପୁଣି ଉପଜିଲ୍ଲାପାଳ ଖବର ପାଇ ସମଗ୍ର ମିଲ୍ ପରିସରକୁ ସିଲ୍ କରିବା ପାଇଁ ସଇଁନ୍ତଲା ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶିବାଏଗ୍ରୋ ରାଇସ ମିଲର ଅରୁଆ ଚାଉଳ ଗୋଟିଏ ଗୋଦାମ ଏବଂ ଉସୁନା ଚାଉଳର ଦୁଇଟି ଗୋଦାମକୁ ସିଲ୍ କରିଥିଲେ । ଯାହା ଅନୁମାନ କରାଯାଉଛି ଅସୁଧା ଉପାୟରେ ବ୍ୟାପକ ଧାନ ଏବଂ ଚାଉଳ କଳାବଜାର କରିବା ସହ ସରକାରଙ୍କ ରାଜକୋଷକୁ ପରୋକ୍ଷରେ ଲୁଟ୍ କରିଥିଲେ ସମ୍ପୃକ୍ତ ମିଲ ମାଲିକ । ତେବେ ମିଲ୍ରେ କେତେ ପରିମାଣରେ ଧାନ ଓ ଚାଉଳ ଗଛିତ ରହିଛି ତାହା ଓଜନ ପରେ ଜଣାପଡିବ ବୋଲି ଟିଟିଲାଗଡ଼ ଅତିରିକ୍ତ ଯୋଗାଣ ଅଧିକାରୀ ଶଙ୍କର୍ଷଣ ଭୋଇ ପ୍ରକାଶ କରିଛନ୍ତି । ଅନ୍ୟପଟେ ମିଲ୍ ମାଲିକ ସାମ୍ବାଦିକଙ୍କୁ ନାଲିଆଖି ଦେଖାଇ ଥିବାବେଳେ ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । କାହିଁକି ଭିଡିଓ ଉତ୍ତୋଳନ କରୁଛ ଓ କାହା ନିର୍ଦ୍ଦେଶରେ ମିଲ ଭିତରକୁ ପଶିଲ ବୋଲି କିଛି ସାମ୍ବାଦିକଙ୍କ ସହ ଯୁକ୍ତି ତର୍କ ମିଲ ମାଲିକ କରିଥିବା ଦେଖିବାକୁ ମିଳିଥିଲା । ସନ୍ଧ୍ୟାରେ ପ୍ରଶାସନ ମିଲ୍କୁ ସିଲ କରିଦେଇ ଆସିଥିଲା ।
ତେବେ ଆଜି ସକାଳୁ ଜିଲ୍ଲାର ଏକ ସ୍ୱତନ୍ତ୍ର ଟିମ ଶିବା ଏଗ୍ରୋ ରାଇସ ମିଲକୁ ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ତହସିଲଦାର ଶ୍ରୀ ମେହେର ଓ ପୁଲିସ ପ୍ରଶାସନର ଉପସ୍ଥିତିରେ ମିଲ୍କୁ ଖୋଲା ଯାଇଥିବା ବେଳେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଭିତରେ ମନା କରାଯାଇଛି ଫଳରେ ପ୍ରଶାସନ ଓ ମିଲର ର ସଲାସୁତୁରାରେ ଘଟଣା କୁ ଚପେଇ ଦେବା ପାଇଁ ଉଦ୍ୟମ କରୁନାହାନ୍ତି ତ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଗଣମାଧ୍ୟମ ପ୍ରତିନିଧିଙ୍କୁ ଭିତରକୁ ଛଡା ନ ଗଲେ ଭିତରେ କିଭଳି ଭାବେ ତଦନ୍ତ କରାଯାଉଛି ତାହା କେମିତି ଭାବେ ଜାଣି ପାରିବେ ତାହା ଏକ ବଡ଼ ପ୍ରଶ୍ନ ଉଠୁଛି । ଅନ୍ୟପଟେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ମିଲ ପରିସରରେ ୧୪୪ ଧାରା ଜାରିକରିଛନ୍ତି ଏବଂ ପୁଲିସ ପ୍ରଶାସନ ଉପସ୍ଥିତରେ ତଦନ୍ତ ଜାରି ରହିଛି । କେତେ କ୍ୟୁଣ୍ଟାଲ ଧାନ ଓ ଚାଉଳ ରହିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡ଼ିନାହିଁ । ଏସବୁ ଘଟଣାକୁ ପ୍ରଶାସନ ଚପେଇ ଦେବ ନାଁ ରହସ୍ୟ ଖେଳିବ ତାହା ଦେଖିବାକୁ ବାକି ରହିଲା ।