40.1 C
Bhubaneswar
Tuesday, April 30, 2024
Homeଖେଳମ୍ୟାକ୍‌କୟଙ୍କୁ ୬ ୱିକେଟ ; ୨ୟ ଟି-୨୦ରେ ୱେଷ୍ଟଇଣ୍ଡିଜ୍‌ ବିଜୟୀ

ମ୍ୟାକ୍‌କୟଙ୍କୁ ୬ ୱିକେଟ ; ୨ୟ ଟି-୨୦ରେ ୱେଷ୍ଟଇଣ୍ଡିଜ୍‌ ବିଜୟୀ

ବାସେଟେରେ : ଓବେଡ୍‌ ମ୍ୟାକ୍‌କୟଙ୍କ ୬ଟି ୱିକେଟ ଦଖଲ ବଳରେ ସୋମବାର ୨ୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଭାରତକୁ ୫ ୱିକେଟରେ ଘରୋଇ ୱେଷ୍ଟଇଣ୍ଡିଜ୍‌ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨ଟି ବଲ୍‌ ବାକିଥାଇ ୧୩୮ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ପରେ ବ୍ରାଣ୍ଡନ୍‌ କିଙ୍ଗ୍‌ଙ୍କ ଅର୍ଦ୍ଧଶତକ ବଳରେ ୪ଟି ବଲ୍‌ ବାକିଥାଇ ୱେଷ୍ଟଇଣ୍ଡିଜ୍‌ ଜିତିଥିଲା। ଇଣ୍ଡିଜ୍‌ର ଏହି ବିଜୟ ଯୋଗୁଁ ୫ ମ୍ୟାଚ୍‌ର ଟ୍ବେଣ୍ଟି୨୦ ଶୃଙ୍ଖଳା ଏବେ ୧-୧ ସ୍ଥିତିରେ ରହିଛି। ମଙ୍ଗଳବାର ୩ୟ ଟ୍ବେଣ୍ଟି-୨୦ ଖେଳାଯିବ। ୱେଷ୍ଟଇଣ୍ଡିଜ୍‌ ଦ୍ରୁତଗତିରେ ୧୩୯ ରନ୍‌ ଲକ୍ଷ୍ୟର ପିଛା ଆରମ୍ଭ କରିଥିଲା। ବ୍ରାଣ୍ଡନ୍‌ କିଙ୍ଗ୍‌ ଆରମ୍ଭରୁ ଆକ୍ରମଣ କରିଥିଲେ। ୬ ଓଭରର ପାୱରପ୍ଲେ ଶେଷରେ ୱେଷ୍ଟଇଣ୍ଡିଜ୍‌ ୪୬ ରନ୍‌ କରିଥିବା ବେଳେ କାଏଲ୍‌ ମେୟର୍ସ ୮ ରନ୍‌କରି ବିଦାୟ ନେଇଥିଲେ। ଅଧିନାୟକ ନିକୋଲାସ୍ ପୁରନ୍‌ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୪ ଓ ସିମ୍ରନ୍ ହେତ୍‌ମେୟର ୬ ରନ୍‌କରି ଆଉଟ୍‌ ହୋଇଥିଲେ। ଅର୍ଦ୍ଧଶତକ ହାସଲ କରିଥିବା ବ୍ରାଣ୍ଡନ୍‌ କିଙ୍ଗ୍‌ ୫୨ ବଲ୍‌ରୁ ୨ଟି ଛକା ଓ ୮ଟି ଚୌକା ସହ ୬୮ ରନ୍‌କରି ଆଉଟ୍‌ ହୋଇଥିଲେ। ରୋଭ୍‌ମାନ୍ ପୱେଲ ୫ ରନ୍‌ କରିଥିଲେ।

ଶେଷ ଓଭରରୁ ୧୦ ରନ୍‌ ଆବଶ୍ୟକ ଥିଲା। ନୋବଲ୍‌ର ସୁଯୋଗ ଦେଇ ୨ଟି ବଲ୍‌ରୁ ଇଣ୍ଡିଜ୍‌ ଏହା ହାସଲ କରି ନେଇଥିଲା। ଡେଭନ୍ ଥମାସ୍ ୧୯ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୩୧ ରନ୍‌କରି ଅପରାଜିତ ଥିଲେ। ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ଫିଲ୍‌ଡିଂ ନେବା ପରେ ଇନିଂସର ପ୍ରଥମ ବଲ୍‌ରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ଓବେଡ୍‌ ମ୍ୟାକ୍‌କୟ ଆଉଟ୍‌ କରିଥିଲେ। ସୂର୍ଯ୍ୟକୁମାର ଯାଦବ ୧୦ ଓ ଶ୍ରେୟାସ ଆୟର ୧୧ ରନ୍‌କରି ଆଉଟ୍‌ ହୋଇଥିଲେ। ଋଷଭ ପନ୍ତ୍ ଆସି ଆକ୍ରମଣାତ୍ମକ ବ୍ୟାଟିଂ କରିଥିବା ବେଳେ ତାଙ୍କ ଇନିଂସ ସ୍ବଳ୍ପସ୍ଥାୟୀ ଥିଲା। ବାମହାତି ପନ୍ତ୍ ୧୨ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୪ ରନ୍‌ କରିଥିଲେ। ହାର୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡ଼େଜା ୫ମ ୱିକେଟ ପାଇଁ ୪୩ ରନ୍‌ ଯୋଡ଼ିଥିଲେ। ପାଣ୍ଡ୍ୟା ୩୧ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୩୧ ରନ୍‌ କରିଥିଲେ। ଜାଡ଼େଜା ୩୦ ବଲ୍‌ରୁ ଗୋଟିଏ ଛକା ସହ ୨୭ ରନ୍‌ କରିଥିଲେ। ୨୩ ରନ୍‌ରେ ଭାରତ ଶେଷ ୫ଟି ୱିକେଟ ହରାଇଥିଲା। ମ୍ୟାକ୍‌କୟ ମାତ୍ର ୧୭ ରନ୍‌ଦେଇ ୬ଟି ୱିକେଟ ନେଇ ଜୀବନର ଶ୍ରେଷ୍ଠ ଟ୍ବେଣ୍ଟି୨୦ ବୋଲିଂ ସଫଳତା ହାସଲ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking