ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ବାତିଲ ପାଇଁ ଛାତ୍ରଛାତ୍ରୀ ଦାବି କରିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ । ‘ଜୁନ ପ୍ରଥମ ସପ୍ତାହରେ ନିଷ୍ପତ୍ତି ନେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରମୁଖ ସଚିବ ଆଇସୋଲେସନରେ ଅଛନ୍ତି, ସମୀକ୍ଷା କରି ନିଷ୍ପତ୍ତି ନେବେ । ମୋତେ ବି ପିଲା ଭେଟିଛନ୍ତି । ବାତିଲ ହେବ ନା ନାହିଁ ତର୍ଜମା ଚାଲିଛି । ବାତିଲ ହେଲେ କେମିତି ମାର୍କ ଦିଆଯିବ, ସମୀକ୍ଷା କରାଯାଉଛି । ସରକାର ଏନେଇ ଖୁବଶୀଘ୍ର ନିଷ୍ପତ୍ତି ନେବେ’ ବୋଲି ସମୀର ଦାସ କହିଛନ୍ତି ।
ଏଠାରେ କହିରଖୁଛୁ , ପରୀକ୍ଷା ଦ୍ୱନ୍ଦ ଦୂର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ ପାଇଁ ପହଞ୍ଚିଲେ ଛାତ୍ରଛାତ୍ରୀ । ବର୍ତ୍ତମାନ ସ୍ଥିତିକୁ ଦେଖି ପରୀକ୍ଷା ବାତିଲ ଘୋଷଣା ପାଇଁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ନବୀନ ନିବାସ ସମ୍ମୁଖରୁ ଫେରି ଫରେଷ୍ଟ ପାର୍କ ରାସ୍ତାରେ ଧାରାଣା ରେ ବସିଛନ୍ତି । ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟି ବି ଅନୁରୂପ ଦାବି କଲେ ଛାତ୍ରଛାତ୍ରୀ । ଦଶମ ପରୀକ୍ଷା ସ୍ଥଗିତ ନେଇ ପୂର୍ବରୁ ସରକାର ନିଷ୍ପତ୍ତି ନେଇଛନ୍ତି । ଜୁନ୍ରେ ପରୀକ୍ଷା ବାବଦରେ ନିଷ୍ପତ୍ତି ହେବ ବୋଲି ସରକାର କହିଥିଲେ ।
ସୂଚନାଯୋଗ୍ୟ, କୋଭିଡ ୧୯ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଦଶମ ପରୀକ୍ଷା ଓ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ କରାଯାଇଛି । କରୋନା ସମୀକ୍ଷା କରିବା ପରେ ଏନେଇ ଜୁନ ୨୦୨୧ ପ୍ରଥମ ସପ୍ତାହରେ ନିର୍ଣ୍ଣୟ ନିଆଯିବ ବୋଲି ସୂଚନା ଦିଆଯାଇଛି । ପୂର୍ବରୁ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି କାରଣରୁ ସ୍ଥଗିତ ଘୋଷଣା କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନ୍ୟାନ୍ୟ ବେସରକାରୀ ଶିକ୍ଷା ବୋର୍ଡକୁ ମଧ୍ୟ ନିଜ ନିଜ ପରୀକ୍ଷାକୁ ସ୍ଥଗିତ ରଖିବାକୁ ଲେଖିଥିଲେ।