ବରଗଡ: ନିଛାଟିଆ କୂଅରୁ ଜଣେ ଜୀବନ୍ତ ବ୍ୟକ୍ତି ଉଦ୍ଧାର । ୪ ଦିନ ପରେ କୂଅ ଭିତରୁ ଜୀବନ୍ତ ବ୍ୟକ୍ତି ଉଦ୍ଧାର ହୋଇଛନ୍ତି । ବିଜେପୁର ସମଲାଇପଦର ନର୍ସରୀରେ ଥିବା ନିଛାଟିଆ କୂଅରୁ ଉଦ୍ଧାର ହୋଇଛନ୍ତି । ୫ ଜଣ ମାଡ଼ ମାରି ମରିଗଲା ଭାବି କୂଅରେ ଫିଙ୍ଗି ଚାଲି ଯାଇଥିଲେ ।ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସମଲାଇପଦର ନର୍ସରୀରେ ଥିବା ନିଛାଟିଆ କୂଅରୁ ଜୀବନ୍ତ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରଯାଇଛି । ଉଦ୍ଧାର ବ୍ୟକ୍ତିଙ୍କ କହିବା ଅନୁସାରେ ଗତ ରବିବାର ଦିନ ପୂର୍ବାହ୍ନ ପ୍ରାୟ ୩ଟା ସମୟରେ ୫ ଜଣ ବ୍ୟକ୍ତି ଯୁବକଙ୍କୁ ମାଡ଼ ମାରି ମରିଗଲା ଭାବି କୂଅରେ ପକାଇ ଚାଲି ଯାଇଥିଲେ । ଉକ୍ତ ବ୍ୟକ୍ତି ଚାରି ଦିନ ହେଲା ଭୋକ ଉପାସରେ ଛଟପଟ ହୋଇ ଜୀବନ ସହ ସଂଘର୍ଷ କରି ବଞ୍ଚିଛନ୍ତି । ସମଲାଇପଦର ଗ୍ରାମର ଜଣେ ବ୍ୟକ୍ତି କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ କୂଅରେ ପଡ଼ିଥିବା ଯୁବକ ଜଣଙ୍କ ରଡ଼ି ଛାଡ଼ିବା ଶୁଣିଥିଲେ । ଏ ସମ୍ପର୍କରେ ଗ୍ରାମକୁ ଯାଇ କିଛି ଲୋକଙ୍କୁ ଜଣାଇଥିଲେ । ପରେ ଗ୍ରାମବାସୀ ଆସି ପୋଲିସ ଓ ଅଗ୍ନିଶମ ବିଭାଗକୁ ଜଣାଇ ଉକ୍ତ ଯୁବକଙ୍କୁ ଉଦ୍ଧାର କରି ବିଜେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଏନେଇ ଉକ୍ତ ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଯୁବକ ଜଣକ ପଦ୍ମପୁର ଉପଖଣ୍ଡ ପୁରେନା ଗ୍ରାମର ତୁଳସିରାମ ବରିହା ବୋଲି ଜଣାପଡ଼ିଛି ।ଗତ ୩ ଦିନ ହେଲା ତାଙ୍କ ନାମରେ ପଦ୍ମପୁର ଥାନାରେ ନିଖୋଜ ଥିବା ଏତଲା ଦିଆ ଯାଇଥିଲା ବୋଲି ପ୍ରାଥମିକ ସୂଚନାରୁ ଜଣାଯାଇଛି ।










