ନୂଆଦିଲ୍ଲୀ: ମହାରାଷ୍ଟ୍ରର ମୁମ୍ବାଇର କୁର୍ଲାର ପଶ୍ଚିମ ଅଞ୍ଚଳରେ ସକାଳ ପ୍ରାୟ ୬ଟା ୫୩ ସମୟରେ ଏକ ୧୩ ମହଲା ଆବାସିକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୯ ଜଣ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡ ଯୋଗୁଁ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ନଗର ନିଗମ ଏବଂ ଅଗ୍ନିଶମ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ରାଜାୱାଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ଆହତ ବିପଦମୁକ୍ତ ଥିବା ଜଣାପଡ଼ିଛି। ଆହତମାନଙ୍କ ମଧ୍ୟରେ ଜଣେ ପାଞ୍ଚ ବର୍ଷର ପୁଅ, ଜଣେ ୧୪ ବର୍ଷର ଝିଅ ଏବଂ ଜଣେ ୧୭ ବର୍ଷର ଝିଅ ଅଛନ୍ତି ।
ଅନ୍ୟ ଆହତମାନଙ୍କ ମଧ୍ୟରେ ୧୮ ରୁ ୬୫ ବର୍ଷ ବୟସର ବ୍ୟକ୍ତି ଅଛନ୍ତି।ବୃହନ୍ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ(ବିଏମସି) ଅଧିକାରୀଙ୍କ ଅନୁଯାୟୀ, କୁର୍ଲା ପଶ୍ଚିମରେ ଥିବା କୋହିନୂର ଏଚଡିଆଇଏଲ କୋଠା ନମ୍ବର ୫ ରେ ଅଗ୍ନିକାଣ୍ଡ ଘଟିଛି।ଅଗ୍ନିକାଣ୍ଡର ମୁଖ୍ୟ କାରଣ ବିଦ୍ୟୁତ୍ ତାର ଏବଂ ଡକ୍ଟୱାର୍କ ବୋଲି ଅନୁମାନ କରାଯାଉଛି, ଯାହା ଦ୍ରୁତ ଗତିରେ ଉପର ମହଲାକୁ ବ୍ୟାପିଯାଇଥିଲା। ସକାଳୁ ସକାଳୁ ହଠାତ୍ ଘଟିଥିବା ଏହି ଘଟଣା ନେଇ କୋଠାର ବାସିନ୍ଦାମାନେ ଭୟଭୀତ ହୋଇଯାଇଥିଲେ।










