28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶମହାରାଷ୍ଟ୍ର: କଂଗ୍ରେସ-ୟୁବିଟି-ଏନ୍‌ସିପି ଶରଦ ପୱାର ସିଟ୍ ସେୟାରିଂ ଚୂଡାନ୍ତ

ମହାରାଷ୍ଟ୍ର: କଂଗ୍ରେସ-ୟୁବିଟି-ଏନ୍‌ସିପି ଶରଦ ପୱାର ସିଟ୍ ସେୟାରିଂ ଚୂଡାନ୍ତ

ମୁମ୍ବାଇ: ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ପାଇଁ ଗୋଟିଏ ପରେ ଗୋଟିଏ ଖୁୂସି ଖବର ଆସିବାରେ ଲାଗିଛି । କ୍ରମାଗତ ୨ଦିନ ମଧ୍ୟରେ କଂଗ୍ରେସ, ସମାଜବାଦୀ ପାର୍ଟି (ଏସ୍‌ପି) ଏବଂ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ସହ ଆସନ ବୁଝାମଣା କରିବାରେ ସଫଳ ହୋଇଛି । ତେବେ ଶୁକ୍ରବାର ଅର୍ଥାତ୍ ୩ୟ ଦିନରେ ମଧ୍ୟ କଂଗ୍ରେସ, ଶରଦ ପୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପି (ଏନ୍‌ସିପି ଶରଦଚନ୍ଦ୍ର ପୱାର) ଏବଂ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ସହ ଆସନ ବୁଝାମଣା କରିବାରେ କେତେକାଂଶରେ ସଫଳ ହୋଇଥିବା ସୂଚନା ମିଳିଛି । ତେବେ ଏସମ୍ପର୍କରେ କୌଣସି ଦଳ ପକ୍ଷରୁ ଅଫିସିଆଲ ସୂଚନା ଏପର୍ଯ୍ୟନ୍ତ ଦିଆଯାଇନଥିବାରୁ ଏହାକୁ ନେଇ ସାମାନ୍ୟ ସଂଶୟ ରହିଛି ।

ତେବେ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନାନୁସାରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଉଦ୍ଧବ ଠାକ୍‌ରେ ଏବଂ ଶରଦ ପୱାରଙ୍କୁ ଫୋନ୍ କରି ଆସନ ବୁଝାମଣା ସମ୍ପର୍କରେ କଥା ହୋଇଥିଲେ । ଫଳରେ ଏହି ୩ ନେତାଙ୍କ ମଧ୍ୟରେ ମହାରାଷ୍ଟ୍ରର ମୋଟ୍ ୪୮ ଲୋକସଭା ଆସନ ମଧ୍ୟରୁ ୩୯ଟି ଆସନ ପାଇଁ ସହମତି ପ୍ରକାଶ ପାଇଛି । ବାକି ୯ ଆସନକୁ ମୁକ୍ତ ରଖାଯାଇଛି । ଏହି ୯ ଆସନରେ ସାମାନ୍ୟ ବିବାଦ ରହିଛି । କାରଣ ମୁମ୍ବାଇ-ସାଉଥ୍ ସେଣ୍ଟ୍ରାଲ ଏବଂ ନର୍ଥ ୱେଷ୍ଟ ଆସନକୁ ନିଜ ପାଖରେ ରଖିବା ନେଇ ଉଭୟ ଉଦ୍ଧବ ଗୋଷ୍ଠୀ କଂଗ୍ରେସ ମଧ୍ୟରେ ସାମାନ୍ୟ ମତଭେଦ ରହିଛି । ଉଭୟ ଦଳ ଏହି ଦୁଇ ଆସନରେ ନିଜ ଦଳୀୟ ପ୍ରାର୍ଥୀ ଦେବାକୁ ଚାହୁଁଛନ୍ତି । ସେହିପରି ଏମାନଙ୍କ ସହ ମହାରାଷ୍ଟ୍ରରେ ଥିବା ଆଉ ଏକ ସହଯୋଗୀ ଦଳ ‘ବଞ୍ôଚତ ବହୁଜନ ଅଘାଡି’ (ଭିବିଏ) ମଧ୍ୟ କିଛି ଲୋକସଭା ଆସନ ଦାବି କରିଛି । ଭିବିଏ ମୁଖ୍ୟ ପ୍ରକାଶ ଆମ୍ବେଦକର ମହାରାଷ୍ଟ୍ରରେ ସର୍ବନିମ୍ନ ୫ଟି ଲୋକସଭା ଆସନ ଦାବି କରିଛନ୍ତି । ତେବେ ଏସବୁକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସୁଦ୍ଧା ୯ଟି ଲୋକସଭା ଆସନକୁ ବୁଝାମଣା ପ୍ରକ୍ରିୟାରୁ ଏହି ୩ ଦଳଙ୍କ ପକ୍ଷରୁ ମିଳିତ ସହମତି ସହକାରେ ବାଦ୍ ଦିଆଯାଇଛି ।

ଗତ ବର୍ଷ ଜୁନ୍‌ରେ ପ୍ରାୟ ୨୭ଟି ବିଜେପି ବିରୋଧୀ ଦଳଙ୍କ ମିଳିତ ପ୍ରୟାସରେ ଗଠନ କରାଯାଇଥିବା ଇଣ୍ଡିଆ ମେଣ୍ଟର ଅସ୍ତିତ୍ୱ ନେଇ ପ୍ରଶ୍ନ ଉଠିଥିଲା । ବିଶେଷକରି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ଏବଂ ରାଷ୍ଟ୍ରୀୟ ଲୋକଦଳ (ଆରଏଲ୍‌ଡି) ପ୍ରମୁଖ ଜୟନ୍ତ ଚୌଧୂରୀଙ୍କ ଇଣ୍ଡିଆ ମେଣ୍ଟରୁ ଓହରିଯିବା ଏବଂ ବିଜେପି ସହ ମେଣ୍ଟ କରିବା ଇଣ୍ଡିଆ ମେଣ୍ଟର ସ୍ଥିତି ଟଳମଳ ହୋଇପଡିଥିଲା । ଅନ୍ୟପକ୍ଷେ ଆମ୍ ଆଦ୍‌ମୀ ପାର୍ଟି, ସମାଜବାଦୀ ପାର୍ଟି, ଉଦ୍ଧବଙ୍କ ନେତୃତ୍ୱାଧୀନ ଶିବସେନା, ନ୍ୟାସନାଲ କନ୍‌ଫରେନ୍ସ ଏବଂ ସର୍ବୋପରି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଭଳି ଦଳ କଂଗ୍ରେସ ସହ ଆସନ ବୁଝାମଣା ନେଇ ଅଶାନ୍ତି ଜାହିର କରିଥିଲେ ଏବଂ ଏକାକୀ ଲଢ଼ିବା ନେଇ ଯୋଜନା ପ୍ରସ୍ତୁତ କରିବାରେ ଲାଗିପଡିଥିଲେ । ତେବେ ଏବେ ଧୀରେ ଧୀରେ ସବୁକିଛି ଠିକ୍ ହେଉଥିବା ପରି ଅନୁଭବ ହେଉଛି । ଏପରି ମଧ୍ୟ ସୂଚନା ମିଳିଛି ଯେ, ରାହୁଲ ଗାନ୍ଧୀ ଏବେ ମମତା ବାନାର୍ଜୀଙ୍କୁ ମନାଇବା ପାଇଁ ଚେଷ୍ଟା ଆରମ୍ଭ କରିଛନ୍ତି । ଆସନ ବୁଝାମଣା ସମ୍ପର୍କରେ ଉଭୟ ନେତା ପୁନଃ ଆଲୋଚନା ଆରମ୍ଭ କରିବେ ବୋଲି ଅନୁମାନ କରାଯାଉଛି ।

ପୂର୍ବରୁ ମମତା, ପଶ୍ଚିମବଙ୍ଗର ମୋଟ୍ ୪୨ଟି ଲୋକସଭା ଆସନ ମଧ୍ୟରୁ କଂଗ୍ରେସକୁ ମାତ୍ର ୨ଟି ଆସନ ଛାଡିବା ପାଇଁ ପ୍ରସ୍ତାବ ଦେଇଥିବା ବେଳେ କଂଗ୍ରେସ ଏଥିରେ ରାଜି ହୋଇନଥିଲା । ଫଳରେ ମମତା, ପଶ୍ଚିମବଙ୍ଗରେ ଏକଲା ଚଲୋ ନୀତି ଜାରି ରଖିବେ ବୋଲି ଘୋଷଣା କରିଥିଲେ । କଂଗ୍ରେସ ଏବେ ପଶ୍ଚିମବଙ୍ଗରେ ଅତି କମ୍‌ରେ ୫ଟି ଆସନ ପାଇଁ ଟିଏମ୍‌ସି ନିକଟରେ ଦାବି କରିବ ବୋଲି ଅନୁମାନ କରାଯାଉଥିବା ବେଳେ ଟିଏମ୍‌ସିର ମୁଖପାତ୍ର କହିଛନ୍ତି ଯେ, ଯଦି ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ମଧ୍ୟ ଖୋଜାଯାଏ ତେବେ କଂଗ୍ରେସ ପାଇଁ ୩ୟ ଆସନ କେଉଁଠି ଅଛି ତାହା ଖୋଜିପାଇବା ବଡ କଷ୍ଟକର ବ୍ୟାପାର । ପ୍ରକାଶ, ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟକୁ ସୁଦୃଢ଼ କରିବା ଅଭିଯାନରେ କଂଗ୍ରେସ ଏବେ ଦ୍ରୁତଗତିରେ ଆଗକୁ ବଢ଼ୁଥିବା ପରି ପ୍ରତୀତ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking