ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ୧୫ ତାରିଖ ଯାଏଁ ଲାଗି ରହିବ ବର୍ଷା । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ଅଧିକ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ବାଲେଶ୍ୱର , ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୋଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ । ପରବର୍ତ୍ତୀ ୨୪ ଘଣ୍ଟାରେ ଅନୁଗୋଳ, କେନ୍ଦୁଝର ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ୩୦ଟି ଯାକ ଜିଲ୍ଲାରେ ବିଜୁଳି, ଘଡଘଡି ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବ । ଉତ୍ତର- ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷା ହେବାର ଆକଳନ କରାଯାଇଥିବାରୁ ୟେଲ୍ଲୋ ୱାର୍ଣ୍ଣି ଜାରି ହୋଇଛି । ଓଡିଶା ଉପକୂଳ ଓ ଆଖପାଖ ସମୁଦ୍ର ଅଞ୍ଚଳରେ ୧୫ ତାରିଖ ଯାଏଁ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ମଝିରେ ମଝିରେ ପବନର ବେଗ ୬୦ କିମି ଛୁଇଁବା ସହ ଝଡପବନର ଆଶଙ୍କା ରହିଛି । ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀଙ୍କୁ ଓଡିଶା ଉପକୂଳ ଓ ସଂଲଗ୍ନ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି ।










