ଭୁବନେଶ୍ୱର: ହାତୀ ବଞ୍ଚିଲେ ବଞ୍ଚିବ ଜଙ୍ଗଲ, ଆଉ ଜଙ୍ଗଲ ବଞ୍ଚିଲେ ସୁରକ୍ଷିତ ରହିବ ପରିବେଶ । ଏହି ବାର୍ତ୍ତା ସହ ଆଜି ପାଳନ ହେଉଛି ବିଶ୍ୱ ହସ୍ତୀ ଦିବସ । ବିଲୁପ୍ତ ଆଶଙ୍କାରେ ଥିବା ଗଜରାଜଙ୍କ ସୁରକ୍ଷା , ସଂରକ୍ଷଣ ଏବଂ ହାତୀ ମଣିଷ ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ବିଶ୍ୱ ହସ୍ତୀ ଦିବସ ପାଳନର ଚିନ୍ତାଧାରା ୨୦୧୧ ମସିହାରେ ଆସିଥିଲା । କାନାଡାର ଚଳଚ୍ଚିତ୍ର ନିର୍ମାତା ପ୍ୟାଟ୍ରିସିଆ ସିମସ ଓ ମିଚେଲ କ୍ଲାର୍କେଙ୍କ ସହ ଥାଇଲାଣ୍ଡ ର ଏଲିଫାଣ୍ଟ ରିଇଣ୍ଟୋଡକ୍ସନ ଫାଉଣ୍ଡସନର ସହ ଯୋଗରେ ଏହି ଦିବସର ପରିକଳ୍ପନା କରାଯାଇଥିଲା । ୨୦୧୨ ଅଗଷ୍ଟ ୧୨ରେ ପ୍ରଥମଥର ପାଇଁ ଏହାକୁ ଆନୁଷ୍ଠାନିକ ଭାବେ ପାଳନ କରାଯାଇଥିଲା । ଓଡିଶାରେ ମଧ୍ୟ ବିଶ୍ୱ ହାତୀ ଦିବସର ବିଶେଷ ମହତ୍ତ୍ୱ ରହିଛି । ପ୍ରତିବର୍ଷ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହାତୀ ସଂରକ୍ଷଣ ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ଆୟୋଜିତ ହୋଇଆସୁଛି । ଗତ ତିନି ବର୍ଷ ଧରି ନନ୍ଦନକାନନ ପରିସରର ହାତୀଶାଳରେ ହିଁ ହସ୍ତୀ ଦିବସ ପାଳନ ହେଉଛି । ଏଠାରେ ହାତୀମାନଙ୍କୁ ଫଳ ଖୁଆଯାଉଥିବା ବେଳେ ମାହୁନ୍ତମାନଙ୍କୁ ପୁରସ୍କୃତ କରାଯାଏ । ଦର୍ଶକମାନେ ଦୂରରୁ ହାତୀମାନଙ୍କୁ ଦେଖିବା ସହ ସେଲଫି ପଏଣ୍ଟରେ ଫଟୋ ଉଠାନ୍ତି । ପରେ ସଭାଗୃହରେ ସଚେତନତା କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଆୟୋଜିତ ହୋଇଥାଏ । ଚଳିତ ବର୍ଷ ମଧ୍ୟ ସେହିପରି ଭାବେ ହସ୍ତୀ ଦିବସ ପାଳନ କରାଯାଇଛି ।










