ଲଣ୍ଡନ: ଦୁବାଇରେ ସୋମବାର ଭାରତ ବିପକ୍ଷ ପ୍ରଥମ ଅଭ୍ୟାସ୍ ମ୍ୟାଚ୍ରେ ଇଂଲଣ୍ଡ ଅଲ୍ରାଉଣ୍ଡର୍ ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍ଙ୍କ ଅଙ୍ଗୁଳିରେ ଆଘାତ ଲାଗିଛି । ଫଳରେ ଟି-୨୦ ବିଶ୍ୱକପ୍ରେ ତାଙ୍କ ଖେଳିବା ନେଇ ସନ୍ଦେହ ଦେଖାଦେଇଛି । ସ୍କାଇ ସ୍ପୋର୍ଟ୍ସ ରିପୋର୍ଟ ଅନୁସାରେ ଇସିବି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତାଙ୍କ ଆଘାତର ସମୀକ୍ଷା କରିବା ପରେ ସେ ଟୁର୍ଣ୍ଣାମେଣ୍ଟ୍ ପାଇଁ ଉପଲବ୍ଧ ହୋଇପାରିବେ କି ନାହିଁ ଜଣାପଡ଼ିବ । ସୋମବାର ଭାରତ ବିପକ୍ଷ ଅଭ୍ୟାସ ମ୍ୟାଚ୍ ଅବସରରେ ବାଉଣ୍ଡାରୀରେ ଏକ କ୍ୟାଚ୍ ନେବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କ ବାମହାତର କାଣିଅଙ୍ଗୁଳିରେ ଆଘାତ ଲାଗିବା ସହ ଏହା ଫୁଲି ଯାଇଥିଲା ।
୨୮ ବର୍ଷୀୟ ଲିଭିଙ୍ଗ୍ଷ୍ଟୋନ୍ ସୋମବାର ୨୦ ବଲ୍ରୁ ୩୦ ରନ୍ କରିବା ସହ ଦୁଇ ଓଭର୍ ବୋଲିଂ କରି ୧୦ ରନ୍ ବ୍ୟୟରେ ଭାରତୀୟ କ୍ୟାପ୍ଟେନ୍ ବିରାଟ କୋହଲିଙ୍କ ୱିକେଟ୍ ଅକ୍ତିଆର କରିଥିଲେ । ତାଙ୍କୁ ଅଲ୍ରାଉଣ୍ଡର୍ ବେନ୍ ଷ୍ଟୋକ୍ସଙ୍କ ବଦଳ ଖେଳାଳି ଭାବେ ଇଂଲଣ୍ଡର ବିଶ୍ୱକପ୍ ଟିମ୍ରେ ସ୍ଥାନ ମିଳିଥିଲା । ଶନିବାର ଡିଫେଣ୍ଡିଂ ଚାମ୍ପିଅନ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି-୨୦ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବାକୁ ଥିବା ଇଂଲଣ୍ଡ ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍ ଖେଳିବ ।