40.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶଗାଜାରେ ୧୦ହଜାର ପାଲେଷ୍ଟାଇନ ମହିଳାଙ୍କ ଯାଇଛି ଜୀବନ: ମିଳିତ ଜାତିସଂଘ

ଗାଜାରେ ୧୦ହଜାର ପାଲେଷ୍ଟାଇନ ମହିଳାଙ୍କ ଯାଇଛି ଜୀବନ: ମିଳିତ ଜାତିସଂଘ

ନ୍ୟୁୟର୍କ: ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଏଯାବତ ଏଥିରେ ୧୦ ହଜାର ପାଲେଷ୍ଟାଇନ ମହିଳାଙ୍କ ମୃତ୍ୟୁ ଘଟିଥିବା ମିଳିତ ଜାତିସଂଘର ଏକ ରିପୋର୍ଟରୁ ଜଣାପଡ଼ିଛି । ଏହାଦ୍ୱାରା ପ୍ରାୟ ୧୯ ହଜାର ଶିଶୁ ଅନାଥ ହୋଇଯାଇଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି । ମହିଳାମାନେ ପ୍ରତିଦିନ ଅନାହାର, ରୋଗ ଏବଂ ନିରନ୍ତର ଭୟର ସମ୍ମୁଖୀନ ହେଉଥିବା ନେଇ ଜାତିସଂଘ (ମହିଳା)ର ଜଣେ ଆଞ୍ଚଳିକ ନିର୍ଦ୍ଦେଶକ ସୁଜୈନ ମିଖାଇଲ ସୂଚନା ଦେଇଛନ୍ତି । ଏହି ୧୦ ହଜାର ମୃତ ପାଲେଷ୍ଟାଇନ ମହିଳାଙ୍କ ମଧ୍ୟରେ ପ୍ରାୟ ୬ ହଜାର ମାଆ ଥିଲେ । ଯାହାଦ୍ୱାରା ୧୯ ହଜାର ଶିଶୁ ଅନାଥ ହୋଇପଡ଼ିଛନ୍ତି । ଯେଉଁ ମହିଳାମାନେ ଇସ୍ରାଏଲ ବୋମାମାଡ଼ ଓ ସ୍ଥଳ ଯୁଦ୍ଧରୁ ବର୍ତ୍ତି ଯାଇଛନ୍ତି, ସେମାନେ ବିସ୍ଥାପିତ ହୋଇପଡ଼ିଥିବା ସୂଚନା ମିଳିଛି । କିଛି ମହିଳା ବିଧବା ହୋଇଯାଇଥିବା ବେଳେ ଖାଦ୍ୟ ସଙ୍କଟର ସାମ୍ନା କରୁଛନ୍ତି । ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ଜାରି ହୋଇଥିବା ଜେଣ୍ଡର ଆଲର୍ଟ ସିରିଜ ଗାଜା ଅଞ୍ଚଳର ମହିଳା ଓ ଯୁବତୀଙ୍କ ଜୀବନର ବାସ୍ତବତାର ବିସ୍ତୃତ ବିଶ୍ଳେଷଣ ପ୍ରଦାନ କରିଛି ।

‘ଅଭାବ ଏବଂ ଭୟ’ ଶୀର୍ଷକ ପ୍ରକାଶନରେ ଜଳ ଏବଂ ପରିମଳ ସେବାର ସୁବିଧା ଅଭାବ ଉପରେ ଧ୍ୟାନ ଦେଇଥାଏ ଯାହା ମହିଳାଙ୍କ ସ୍ୱାସ୍ଥ୍ୟ, ସମ୍ମାନ, ନିରାପତ୍ତା ଏବଂ ଗୋପନୀୟତା ପାଇଁ ଗୁରୁତ୍ୱପୂର୍ଣ୍ଣ । ଗାଜାରେ ଯୁଦ୍ଧ ସ୍ଥିତି ମଧ୍ୟରେ ୧୦ ଲକ୍ଷ ପାଲେଷ୍ଟାଇନ ମହିଳା ଓ ଯୁବତୀ ଭୟାବହ ଭୋକର ସାମ୍ନା କରୁଛନ୍ତି । ଖାଦ୍ୟ, ଶୁଦ୍ଧ ପାନୀୟ ଜଳ, ଶୌଚାଳୟ ଭଳି ସୁବିଧା ମହିଳାଙ୍କ ନିକଟରେ ପହଞ୍ଚି ପାରୁନାହିଁ । ଯାହାଦ୍ୱାରା ମହିଳାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି । ସ୍ତନପାନ କରୁଥିବା ମହିଳାଙ୍କ ନିକଟରେ ଶୁଦ୍ଧ ପାଣି ପହଞ୍ଚିବା ନିଶ୍ଚିତ ଆବଶ୍ୟକ । ଏହି ମହିଳାଙ୍କ ଲାଗି ସ୍ୱାଭାବିକଠାରୁ ଅଧିକ ପାଣିର ଆବଶ୍ୟକତା ରହିଥାଏ । ଏପରିକି ଋତୁସ୍ରାବ ସମୟରେ ସ୍ୱଚ୍ଛତାର ଆବଶ୍ୟକ କରିଥାନ୍ତି ମହିଳା ।

ମିଳିତ ଜାତିସଂଘର ଆକଳନ ଅନୁସାରେ ୬ଲକ୍ଷ ୯୦ ହଜାର ମହିଳା ଓ ଯୁବତୀ ମାସିକ ଋତୁସ୍ରାବ ଲାଗି ପ୍ରତି ମାସରେ ୧୦ ମିଲିୟନ ଡିସପୋଜାଲ ପ୍ୟାଡ ତଥା ୪ ମିଲିୟନ ପୁନଃ ଉପଯୋଗୀ ପ୍ୟାଡର ଆବଶ୍ୟକତା କରିଥାନ୍ତି । ଯୁଦ୍ଧ ପ୍ରପୀଡିତ ଜଣେ ମହିଳା କହିଛନ୍ତି, ଗାଜାରେ ମହିଳାମାନେ ସର୍ବନିମ୍ନ ଆବଶ୍ୟକତା ପୂରଣ କରିପାରୁନାହାନ୍ତି । ଭଲ ଖାଦ୍ୟ, ଶୁଦ୍ଧ ପାନୀୟ ଜଳ, ଶୌଚାଳୟ, ସାନିଟାରୀ ପ୍ୟାଡ, ଗୋଧାଇବା ଓ କପଡ଼ା ଧୋଇବା ଭଳି ଆବଶ୍ୟକତାର ଅଭାବ ରହିଛି । ଲିଙ୍ଗଗତ ସମାନତା ଏବଂ ଆରବ ରାଷ୍ଟ୍ରଗୁଡିକ ପାଇଁ ମହିଳା ସଶକ୍ତିକରଣ (ଜାତିସଂଘ ମହିଳା)ର ଆଞ୍ଚଳିକ ନିର୍ଦ୍ଦେଶକ ସୁଜୈନ ମିଖାଇଲ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ୧୦,୦୦୦ରୁ ଅଧିକ ମହିଳାଙ୍କୁ ହତ୍ୟା କରାଯାଇଛି, ଯେଉଁଥିରୁ ପ୍ରାୟ ୬ ହଜାର ମାଆ ଥିଲେ । ଏହି ବିସ୍ଫୋରଣରୁ ବଞ୍ଚିଥିବା ମହିଳାମାନେ ପ୍ରତିଦିନ ଅନାହାର, ରୋଗ ଏବଂ ନିରନ୍ତର ଭୟର ସମ୍ମୁଖୀନ ହେଉଛନ୍ତି । ଗାଜାରେ ହୋଇଥିବା ଯୁଦ୍ଧ ନିଃସନ୍ଦେହରେ ମହିଳାଙ୍କ ପାଇଁ ଏକ ଯୁଦ୍ଧ, ଯେଉଁମାନେ ଯୁଦ୍ଧ ପାଇଁ ବହୁ ମୂଲ୍ୟ ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking