29.1 C
Bhubaneswar
Sunday, May 19, 2024
Homeଓଡିଶାଛାତ୍ରୀଙ୍କୁ ଏକତରଫା ପ୍ରେମ କରି ଅଡୁଆରେ ଅଧ୍ୟାପକ

ଛାତ୍ରୀଙ୍କୁ ଏକତରଫା ପ୍ରେମ କରି ଅଡୁଆରେ ଅଧ୍ୟାପକ

ଭଦ୍ରକ : ଛାତ୍ରୀଙ୍କୁ ଏକତରଫା ପ୍ରେମ କରି ଅଡୁଆରେ ପଡିଛନ୍ତି ଭଦ୍ରକ ସ୍ୱୟଂଶାସିତ କଲେଜର ଜଣେ ଅଧ୍ୟାପକ। ତାଙ୍କ ବିରୋଧରେ ଛାତ୍ରୀଜଣକ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଫେରାଦ୍‌ ହେବା ପରେ କଲେଜର ଯୌନ ଉତ୍ପୀଡନ ସେଲ (ସେକ୍ସୁଆଲ ହାରାସମେଣ୍ଟ ସେଲ)କୁ ଛାତ୍ରୀଙ୍କ ଅଭିଯୋଗର ତଦନ୍ତ ଲାଗି ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାନୁଯାୟୀ, ଛାତ୍ରୀଜଣକ କଲେଜରେ ସେଲ୍ଫ ଫାଇନାନ୍ସିଂ କୋର୍ସ କରୁଛନ୍ତି। ଛାତ୍ରୀଙ୍କ ପଛରେ ଅଧ୍ୟାପକ ବର୍ଷକ ତଳୁ ପଡିଛନ୍ତି। ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଗତବର୍ଷ ମିଡ-ସେମିଷ୍ଟାର ପରୀକ୍ଷା ବେଳେ ଅଧ୍ୟାପକ ନିରୀକ୍ଷକ ଦାୟିତ୍ୱରେ ଥିଲେ। ପରୀକ୍ଷା କୋଠରୀରେ ଛାତ୍ରୀଙ୍କୁ କେତେକ ବ୍ୟକ୍ତିଗତ କଥା ପଚାରିବା ସହ ଉଦ୍ଦେଶ୍ୟମୂଳକ ଭାବେ ଶରୀରକୁ ସ୍ପର୍ଶ କରିବାକୁ ଚେଷ୍ଟା କରିଥିଲେ।

ପରବର୍ତ୍ତୀ ଅବସ୍ଥାରେ ମୋବାଇଲରେ ବାରମ୍ବାର ଛାତ୍ରୀଙ୍କୁ ଯୋଗାଯୋଗ କରିବା ସହ ମେସେଜ ମଧ୍ୟ ଦେଇଥିଲେ। ଛାତ୍ରୀଜଣକ ଭୟଭୀତ ହୋଇ କେତେକ ମେସେଜର ଉତ୍ତର ବି ଦେଇଥିଲେ। ପରେ ମୋବାଇଲ ନମ୍ବରକୁ ବ୍ଲକ୍ କରିଥିଲେ। ଏହା ସତ୍ତ୍ବେ ଅଧ୍ୟାପକ ଛାତ୍ରୀଙ୍କ ପିଛା ଛାଡି ନଥିଲେ। ଏପରିକି ତାଙ୍କ ଘରଯାଏ ପହଞ୍ଚି ଯାଇଥିଲେ। ଏମିତି ଭାବେ ଅଧ୍ୟାପକ ଛାତ୍ରୀଙ୍କ ପିଛା ଛାଡି ନଥିବାବେଳେ ଅଧ୍ୟାପକଙ୍କ ବିଭାଗର ମୁଖ୍ୟ ମଧ୍ୟ ସେହି ଛାତ୍ରୀଙ୍କୁ ଫୋନ୍‌ ଯୋଗେ ବିଭାଗକୁ ଡକାଇଥିଲେ। ବିଭାଗୀୟ ମୁଖ୍ୟଙ୍କ ଉଦ୍ଦେଶ୍ୟକୁ ମଧ୍ୟ ସନ୍ଦେହ ଦୃଷ୍ଟିରେ ଦେଖିଛନ୍ତି ଛାତ୍ରୀ। ବର୍ଷାଧିକକାଳ ଅଧ୍ୟାପକଙ୍କ ଏମିତି ଆଚରଣରେ ଅତିଷ୍ଠ ହୋଇ ଛାତ୍ରୀଜଣକ ଶୁକ୍ରବାର ଅଧ୍ୟକ୍ଷଙ୍କୁ ଲିଖିତ ଭାବେ ସବୁକଥା ଜଣାଇଥିଲେ। ଏଥିସହ ମୋବାଇଲ ମେସେଜ୍‌, କଲ ରେକର୍ଡିଂ ସହ ଅନ୍ୟ କେତେକ ପ୍ରମାଣ ରଖିଥିବା କଥା ଦର୍ଶାଇଛନ୍ତି ଛାତ୍ରୀ। ବିହିତ କାର୍ଯ୍ୟାନୁଷ୍ଠାନ ନହେଲେ ମହିଳା କମିସନଙ୍କ ଯାଏ କଥା ନେବେ ବୋଲି ଛାତ୍ରଜଣକ ଅଧ୍ୟକ୍ଷଙ୍କୁ ସଫା ସଫା ଲେଖି ଜଣାଇ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking