ଭୁବନେଶ୍ବର : ଲକ୍ଷ୍ମୀସାଗର ଥାନା ଅଧୀନରେ ଥିବା ଏକ ଘରୋଇ ଛାତ୍ରାବାସର ପିଲାମାନେ ଶନିବାର ଲକ୍ଷ୍ମୀସାଗର ଥାନା ଘେରାଉ କରିଥିଲେ। ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ମାରପିଟ୍ କରୁଥିବା ନେଇ ଅଭିଯୋଗ କରି ଛାତ୍ରମାନେ ଥାନା ଘେରାଉ କରିଥିଲେ। ପୁଲିସର ହସ୍ତକ୍ଷେପ ପରେ ଘଟଣାର ଆପୋସ ସମାଧାନ ହୋଇଥିଲା ।
ସୂଚନା ଅନୁଯାୟୀ, ହଷ୍ଟେଲରେ ରହୁଥିବା ଛାତ୍ରମାନେ ବିଜେବି କଲେଜରେ ପଢନ୍ତି। ଜଣେ ଅଧ୍ୟାପକଙ୍କଠାରୁ ଜଣେ ଛାତ୍ର ଟଙ୍କା ଉଧାର ଆଣିଥିଲେ। କିନ୍ତୁ ଫେରାଇବାରେ ବିଳମ୍ବ ହୋଇଥିଲା। ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କର ପତ୍ନୀ ସେଠାରେ ଚାକିରି କରନ୍ତି। ଏହି ଘଟଣାରେ ସେହି ବ୍ୟକ୍ତି ଜଣଙ୍କ ହସ୍ତକ୍ଷେପ କରିବା ସହ ଗତ କିଛି ଦିନ ହେଲା ହଷ୍ଟେଲରେ ପଶି ଛାତ୍ରମାନଙ୍କୁ ମାରପିଟ୍ କରୁଥିବା ଅଭିଯୋଗ ହୋଇଛି। ଜଣେ ଛାତ୍ରଙ୍କ ସୂଚନା ଅନୁସାରେ, ମାରପିଟ୍ ସଂକ୍ରାନ୍ତରେ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ତରଫରୁ ଲକ୍ଷ୍ମୀସାଗର ଥାନାରେ ଏକାଧିକ ଥର ଅଭିଯୋଗ ହୋଇଥିଲା। ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ନିର୍ଯାତନା ଅସହ୍ୟ ହେବାରୁ ଛାତ୍ରାବାସର ପିଲାମାନେ ଥାନା ଘେରାଉ କରିଥିଲେ।