କାର୍ଗିଲ: ଦେଶର କୋଣ ଅନୁକୋଣରୁ ଲଗାଣବର୍ଷାଜନିତ ବିତ୍ପାତ ଏବଂ ମୃତାହତଙ୍କ ଖବର ମଧ୍ୟରେ ଲଦାଖର କାର୍ଗିଲ୍ ଅଞ୍ଚଳରୁ ମଧ୍ୟ ଏପ୍ରକାର ଘଟଣା ସାମ୍ନାକୁ ଆସିଛି । ଶନିବାର ଲଦାଖର କାର୍ଗିଲର କାବାରୀନାଲା ଅଞ୍ଚଳରେ ଭୂସ୍ଖଳନ ଯୋଗୁଁ ଏକ କୋଠା ଭୁଶୁଡ଼ି ପଡ଼ିଛି । ତେବେ ଏହି କୋଠା ଭୁଶୁଡିବା ଘଟଣାରେ ୧୨ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଭାରତୀୟ ସେନା, ଲଦାଖ ପୁଲିସ ଏବଂ ଉଦ୍ଧାରକାରୀ ଦଳ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ସୁରକ୍ଷିତ ଭାବେ କାର୍ଗିଲ୍ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କାର୍ଗିଲର ମୁଖ୍ୟ କାର୍ଯ୍ୟନିର୍ବାହୀ କାଉନସିଲର ଡ.ଜାଫର ଅଖୋନେ, ଡେପୁଟି କମିଶନର କାର୍ଗିଲ ବାଲାସାବ ସୁସେ ଓ ବରିଷ୍ଠ ପୁଲିସ ଅଧୀକ୍ଷକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । କାର୍ଗିଲ ଡେପୁଟି କମିଶନର କହିଛନ୍ତି ଯେ, ଦୁର୍ଘଟଣାର କାରଣ ଅନୁସନ୍ଧାନ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ । ଏବେ ଅତିରିକ୍ତ ରାଜସ୍ୱ କମିସନର ଏହି ଘଟଣାର ତଦନ୍ତ କରୁଛନ୍ତି । ବିଲ୍ଡିଂ ନିର୍ମାଣ ନିମ୍ନମାନର ଥିବାରୁ ଭୁଶୁଡି ପଡିଥିବା ଅଭିଯୋଗ ହୋଇଛି ।