ଅଯୋଧ୍ୟା: ଅଯୋଧ୍ୟାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ମୋଇଦ୍ ଖାନ୍ ନାମକ ଜଣେ ସମାଜବାଦୀ ପାର୍ଟି (ଏସ୍ପି) ନେତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଅଭିଯୁୂକ୍ତ ଏହି ଏସ୍ପି ନେତାଙ୍କ ଘର ଏବଂ ଦୋକାନ ସମେତ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଆଜି ବୁଲଡୋଜର ଚାଲିଛି । ଏତଦ୍ବ୍ୟତୀତ ମୋଇଦ୍ଙ୍କୁ ଗିରଫ କରିବା ବଦଳରେ ସୁରକ୍ଷା ଯୋଗାଉଥିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀ ଯୋଗୀ ପୁଲିସ୍ ଇନ୍ଚାର୍ଜ ଏବଂ ଥାନା ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି । ମୋଇଦ ଖାନ୍ଙ୍କ ଦ୍ୱାରା ଚାଲିଥିବା ବେକେରୀ ପ୍ଲାଣ୍ଟରେ ମଧ୍ୟ ଖାଦ୍ୟ ସୁରକ୍ଷା ଉପାୟୁକ୍ତ ରେଡ୍ କରିବା ସହ ବେକେରୀରେ ପ୍ରସ୍ତୁତ ସାମଗ୍ରୀର ଯାଞ୍ଚ କରିବା ସହ ଲାଇସେନ୍ସ ରଦ୍ଦ କରିଛି ।
ସୂଚନାଯୋଗ୍ୟ, ଅଯୋଧ୍ୟା ଭଦ୍ରାସା ଅଞ୍ଚଳରେ ଘଟିଥିବା ଗଣଦୁଷ୍କର୍ମର ଶିକାର ପୀଡ଼ିତାଙ୍କ ଏତଲା ରଖିବାରେ ପୁଲିସ୍ ଜାଣିଶୁଣି ବିଳମ୍ବ କରିବା ଏବଂ ତୁରନ୍ତ ଆକ୍ସନ ନନେବାକୁ ନେଇ ପୀଡ଼ିତାଙ୍କ ମା’ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟି ଜଣାଇଥିଲେ । ପୀଡ଼ିତାଙ୍କ ମା’ଙ୍କ କହିବାନୁସାରେ ତାଙ୍କ ଝିଅକୁ ନିଜ ବେକରୀ ଦୋକାନରେ ଚାକିରି ଦେବା ବାହାନାରେ ମୋଇଦ ଖାନ୍ ଦୀର୍ଘ ୨ ମାସ ଧରି ଦୁଷ୍କର୍ମ କରିକରିଥିଲେ । ଯଦି ଏ ବିଷୟରେ ସେ କହାକୁ କୁହନ୍ତି ତେବେ ତାଙ୍କୁ ଜୀବନରେ ମାରିଦେବାକୁ ମଧ୍ୟ ସେ ଧମକ ଦେଇଥିଲେ । ତାଙ୍କ ଝିଅ ସହ ହୋଇଥିବା ଅପରାଧିକ ଘଟଣାରେ ମୋଇଦ୍ ଖାନ୍ ବ୍ୟତୀତ ଏସ୍ପି ନେତା ତଥା ଭଦ୍ରାସା ଅଧ୍ୟକ୍ଷ ମହମ୍ମଦ ରସିଦ ଏବଂ ଅନ୍ୟତମ ନେତା ଜୟ ସିଂହ ରାଣା ସମ୍ପୃକ୍ତ ଥିବା ପୀଡ଼ିତାଙ୍କ ମା’ ଦର୍ଶାଇଥିଲେ । ତେବେ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ସଙ୍ଗେସଙ୍ଗେ ଆକ୍ସନ ମୋଡ୍କୁ ଆସିବା ଦେଖିବାକୁ ମିଳିଛି । ସର୍ବପ୍ରଥମେ ଦାୟିତ୍ୱ ତଥା କର୍ତ୍ତବ୍ୟରେ ଖିଲାପ କରିଥିବା ପୁଲିସ୍ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା ଏବଂ ଏବେ ବୁଲଡୋଜର ଚାଲିଛି । ଯୋଗୀ କହିଛନ୍ତି ଅପରଧୀ ଯେଉଁ ଦଳର ହୋଇଥାନ୍ତୁ ନା କାହିଁକି, ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।