ୱେଲିଂଟନ୍ : ଆସନ୍ତା ୧୮ ତାରିଖଠାରୁ ଘରୋଇ ନ୍ୟୁଜିଲାଣ୍ଡ୍ ଭ୍ରମଣକାରୀ ଭାରତ ବିପକ୍ଷରେ ୩ଟି ଲେଖାଏଁ ଟି-୨୦ ଓ ଦିନିକିଆ ମ୍ୟାଚ୍ ଖେଳିବ । ଏହି ସିରିଜ୍ ସକାଶେ ମଙ୍ଗଳବାର ନ୍ୟୁଜିଲାଣ୍ଡ୍ କ୍ରିକେଟ୍ (ଏନ୍ଜେଡ୍ସି) ପକ୍ଷରୁ ନ୍ୟୁଜିଲାଣ୍ଡ୍ ଦଳ ଘୋଷଣା କରାଯାଇଛି । ଏହି ଦଳରୁ ଦୁଇ ଜଣ ଅଭିଜ୍ଞ ସୀମିତ ଓଭର୍ କ୍ରିକେଟର୍ ପେସର୍ ଟ୍ରେଣ୍ଟ୍ ବୋଲ୍ଟ ଓ ଓପନିଂ ବ୍ୟାଟ୍ସମ୍ୟାନ୍ ମାର୍ଟିନ୍ ଗପ୍ଟିଲଙ୍କୁ ବାଦ୍ ଦିଆଯାଇଛି । ଯୁବ ବ୍ୟାଟ୍ସମ୍ୟାନ୍ ଫିନ୍ ଆଲେନ୍ଙ୍କୁ ଶୀର୍ଷ ବ୍ୟାଟିଂ କ୍ରମରେ ସୁଯୋଗ ଦେବା ସକାଶେ ଗପ୍ଟିଲ୍ଙ୍କୁ ବାଦ୍ ଦେବାକୁ ଏନ୍ଜେଡ୍ସି ନିଷ୍ପତ୍ତି ନେଇଛି । ଏଥିସହ ଆଲେନ୍ ପ୍ରଥମ ଥର ପାଇଁ ଭାରତ ବିପକ୍ଷରେ ଖେଳିବେ ।
୨୩ ବର୍ଷୀୟ ଆଲେନ୍ ଅଦ୍ୟାବଧି ୨୩ଟି ଟି-୨୦ ଖେଳିବା ସହ ୮ଟି ଦିନିକିଆ ମ୍ୟାଚ୍ ଖେଳିସାରିଛନ୍ତି । ଏଥିରେ ସେ ଚିତ୍ତାକର୍ଷକ ବ୍ୟାଟିଂ କରି ଗୋଟିଏ ଶତକ ଓ ୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ସେହିପରି ବୋଲ୍ଟଙ୍କ ଅନୁପସ୍ଥିତିରେ ଟିମ୍ ସାଉଦି, ମ୍ୟାଟ୍ ହେନ୍ରୀ, ଲକି ଫର୍ଗୁସନ୍, ବ୍ଲେୟାର୍ ଟିକ୍ନର୍ ଓ ଆଡାମ୍ ମିଲ୍ନେ ଆଗାମୀ ସୀମିତ ଓଭର୍ ସିରିଜ୍ରେ ଘରୋଇ ଦଳ ପକ୍ଷରୁ ପେସ୍ ବାହିନୀ ଦାୟିତ୍ୱରେ ରହିବେ । ଏଥିସହ ୨୦୧୭ ପରେ ମିଲ୍ନେ ପ୍ରଥମ ଥର ପାଇଁ ଦିନିକିଆ ସିରିଜ୍ ଖେଳିବେ ।
ତେବେ ଅଭିଜ୍ଞ ବୋଲ୍ଟ ଓ ଗପ୍ଟିଲଙ୍କୁ ଦଳରୁ ବା୍ଦ୍ ଦେବା ସହଜ ନିଷ୍ପତ୍ତି ହୋଇନଥିଲେ ମଧ୍ୟ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ସକାଶେ ଏପରି ପଦକ୍ଷେପ ନିଆଯାଇଥିବା ଦଳର ମୁଖ୍ୟ କୋଚ୍ ଗ୍ୟାରୀ ଷ୍ଟିଡ୍ କହିଛନ୍ତି । ଆଗାମୀ ଦିନିକିଆ ସିରିଜ୍ ମାଧ୍ୟମରେ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ୍ ଆସନ୍ତା ବର୍ଷ ଭାରତରେ ଖେଳାଯିବାକୁ ଥିବା ବିଶ୍ୱକପ୍ ସକାଶେ ପ୍ରସ୍ତୁତି ଆରମ୍ଭ କରିବେ । ସିରିଜ୍ର ପ୍ରଥମ ମ୍ୟାଚ୍ଟି ଆସନ୍ତା ନଭେମ୍ବର ୧୮ ତାରିଖରେ ୱେଲିଂଟନ୍ଠାରେ ଖେଳାଯିବ । ଏହାପରେ ଟି-୨୦ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ଟି ନଭେମ୍ବର ୨୦ ତାରିଖରେ ଟରଙ୍ଗାଠାରେ, ତୃତୀୟ ମ୍ୟାଚ୍ଟି ଆସନ୍ତା ନଭେମ୍ବର ୨୨ ତାରିଖରେ ନାପିଏର୍ଠାରେ ଖେଳାଯିବ ।
ସେହିପରି ଅକ୍ଲାଣ୍ଡ୍ଠାରେ ନଭେମ୍ବର ୨୫ ତାରିଖରେ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଖେଳାଯିବା ପରେ ନଭେମ୍ବର ୨୭ରେ ଦ୍ୱିତୀୟ ମ୍ୟାଚ୍ଟି ହାମିଲଟନ୍ ଓ ନଭେମ୍ବର ୩୦ ତାରିଖରେ ତୃତୀୟ ଦିନିକିଆଟି କ୍ରାଏଷ୍ଟ୍ଚର୍ଚ୍ଚଠାରେ ଖେଳାଯିବ । ସେହିପରି ସିରିଜ୍ରେ ଅଭିଜ୍ଞ କିୱି ପେସର୍ ସାଉଦିଙ୍କ ପାଖରେ ଦିନିକିଆରେ ୨୦୦ ୱିକେଟ୍ ପୂରଣ ପାଇଁ ମାତ୍ର ଗୋଟିଏ ୱିକେଟ୍ ଦରକାର କରୁଛନ୍ତି । ଟମ୍ ଲାଥାମ୍ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଡେଭନ୍ କୋନ୍ୱେ ୱିକେଟ୍କିପର୍ ଭୂମିକା ତୁଲାଇବେ । କେନ୍ ୱିଲିୟମ୍ସନ୍ ଉଭୟ ଦଳର ନେତୃତ୍ୱ ନେବେ । ସେହିପରି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଥିବାରୁ ଅଲ୍ରାଉଣ୍ଡର୍ ଜିମ୍ମି ନିଶାମ୍ଙ୍କୁ ତୃତୀୟ ଦିନିକିଆରୁ ବାଦ୍ ଦିଆଯାଇଛି ।
ଘୋଷିତ ଦଳ: କେନ୍ ୱିଲିୟମ୍ସନ୍ (ଅଧିନାୟକ), ଫିନ୍ ଆଲେନ୍, ମାଇକେଲ୍ ବ୍ରେସ୍ୱେଲ୍, ଡେଭନ୍ କୋନ୍ୱେ, ଲକି ଫର୍ଗୁସନ୍, ମ୍ୟାଟ୍ ହେନ୍ରୀ, ଟମ୍ ଲାଥାମ୍, ଡାରିଲ୍ ମିଚେଲ୍, ଆଡାମ୍ ମିଲ୍ନେ, ଜିମ୍ମି ନିଶାମ୍, ଗ୍ଲେନ୍ ଫିଲିପ୍ସ, ମିଚେଲ୍ ସାଣ୍ଟନର୍, ଇଶ୍ ସୋଢ଼ୀ, ଟିମ୍ ସାଉଦି ଓ ବ୍ଲେୟର୍ ଟିକ୍ନର୍ ।