ଟରୋଣ୍ଟୋ: କାନାଡାର ଟରୋଣ୍ଟୋ ସହରରେ ରବିବାର ଖଲିସ୍ତାନ ସମର୍ଥକଙ୍କ ର୍ୟାଲି ଫିକା ପଡିଥିବା ଲକ୍ଷ୍ୟ କରାଯାଇଛି । ଟରୋଣ୍ଟୋ ସହରସ୍ଥିତ ଭାରତୀୟ ବାଣିଜ୍ୟିକ ଦୂତାବାସ ସମ୍ମୁଖରେ କେତେକ ଖଲିସ୍ତାନ ସମର୍ଥକ ରୁଣ୍ଡ ହୋଇ ଭାରତ ବିରୋଧୀ ସ୍ଲୋଗାନ ଦେଉଥିଲେ । ଏହି ସମୟରେ ଶତାଧିକ ଭାରତୀୟ ସମର୍ଥକ ହାତରେ ତ୍ରିରଙ୍ଗା ଧରି ସେଠାରେ ପହଞ୍ଚିଥିଲେ । ତ୍ରିରଙ୍ଗା ଉଡାଇବା ସହ ସେମାନେ ‘ଭାରତ ମାତା କୀ ଜୟ’, ‘ବନ୍ଦେ ମାତରଂ’ ଏବଂ ‘ଲଙ୍ଗ୍ ଲିଭ୍ ଇଣ୍ଡିଆ’ ସ୍ଲୋଗାନ ଦେଇଥିଲେ । ଏମାନଙ୍କର ଧ୍ୱନିରେ ଖଲିସ୍ତାନୀ ସମର୍ଥକଙ୍କ ର୍ୟାଲି ଫିକା ପଡିଥିଲା । ଖଲିସ୍ତାନୀ ସମର୍ଥକମାନେ ହାତରେ ଶିଖ୍ ଫର୍ ଜଷ୍ଟିସ ନେତା ହରଦୀପ ସିଂହ ନିଜ୍ଜରଙ୍କ ଫଟୋ ଧରି ଭାରତ ବିରୋଧୀ ସ୍ଲୋଗାନ ଦେବାକୁ ଉଦ୍ୟମ କରୁଥିବାବେଳେ ଭାରତୀୟ ସମର୍ଥକମାନେ ସେମାନଙ୍କୁ ଏକପ୍ରକାର ସ୍ଥାଣୁ କରିଦେଇଥିଲେ ।
ସୂଚନାଯୋଗ୍ୟ ଚଳିତବର୍ଷ ଜୁନ ୧୮ରେ ହରଦୀପ୍ଙ୍କୁ ବ୍ରିଟେନରେ ହତ୍ୟା କରାଯାଇଥିଲା । ଖଲିସ୍ତାନ ସମର୍ଥକମାନେ ହରଦୀପ୍ଙ୍କ ହତ୍ୟା ପାଇଁ କାନାଡାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସଞ୍ଜୟ କୁମାର ବର୍ମା ଏବଂ ଟରୋଣ୍ଟୋସ୍ଥିତ ଭାରତୀୟ ବାଣିଜ୍ୟିକ ଦୂତାବାସ କନ୍ସଲ ଜେନେରାଲ ଅପୂର୍ବା ଶ୍ରୀବାସ୍ତବଙ୍କୁ ଦାୟୀ କରି ଶୋଭାଯାତ୍ରା ବାହାର କରିଥିଲେ । ଏପରିକି ଖଲିସ୍ତାନ ସମର୍ଥକମାନେ କିଛିମାସ ପୂର୍ବେ ‘ଅପରେସନ ବ୍ଲୁ ଷ୍ଟାର’ର ୩୯ ବର୍ଷ ପୂର୍ତ୍ତି ଉପଲକ୍ଷେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ରକ୍ତରଞ୍ଜିତ ପୋଷ୍ଟର ଧରି ପ୍ରତିବାଦ ଜଣାଇଥିଲେ । ସ୍ୱର୍ଣ୍ଣମନ୍ଦିରସ୍ଥିତ ଶ୍ରୀ ଦରବାର ସାହିବ ଉପରେ ଆକ୍ରମଣର ପ୍ରତିଶୋଧ ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଥିଲା । ଭାରତୀୟ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀରେ ଅବସ୍ଥାପିତ କାନାଡା ରାଷ୍ଟ୍ରଦୂତଙ୍କ ଡକାଯାଇ ଏହାର ପ୍ରତିବାଦ ଜଣାଇ ଦିଆଯାଇଛି ।