ବେଙ୍ଗାଲୁରୁ: ବେଙ୍ଗାଲୁରୁ-ମହୀସୁରୁ ଏକ୍ସପ୍ରେସ୍ୱେରେ ଭୟଙ୍କର ସଡ଼କ ଦୁର୍ଘଟଣା । ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଲା କେରଳ ରାଜ୍ୟ ସଡ଼କ ପରିବହନ ନିଗମର ଏକ ସରକାରୀ ବସ୍ । ଦୁର୍ଘଟଣାରେ ବସ୍ର ଡ୍ରାଇଭର ଓ କଣ୍ଡକ୍ଟରଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି ।ସୂଚନା ଅନୁସାରେ, ବସ୍ଟି ବେଙ୍ଗାଲୁରୁରୁ କେରଳର କୋଝିକୋଡ ଅଭିମୁଖେ ଯାଉଥିଲା । ଶନିବାର ସକାଳ ପ୍ରାୟ ୬ଟା ୩୦ରେ ରାମନଗରର ଆଭେରେଗେରେ ଗେଟ୍ ନିକଟରେ ହଠାତ୍ ବସ୍ଟି ନିୟନ୍ତ୍ରଣ ହରାଇଥିଲା । ଏହାପରେ ରାସ୍ତାକଡ଼ରେ ଥିବା ଏକ ବଡ଼ ସାଇନବୋର୍ଡକୁ ଜୋରଦାର ଧକ୍କା ଦେଇ ବସ୍ଟି ରାସ୍ତା ଉପରେ ଓଲଟି ପଡ଼ିଥିଲା ।ଦୁର୍ଘଟଣାରେ ଡ୍ରାଇଭର ଅରୁଣ ଓ କଣ୍ଡକ୍ଟର ଅଖିଳେଶଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଖବର ପାଇ ବିଦାଡି ପୁଲିସ, ଅଗ୍ନିଶମ ବାହିନୀ ଓ ଜରୁରୀକାଳୀନ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଓଲଟି ପଡ଼ିଥିବା ବସ୍ ଭିତରୁ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି । ଦୁର୍ଘଟଣା ଯୋଗୁଁ ଏକ୍ସପ୍ରେସ୍ୱେରେ କିଛି ସମୟ ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ପୁଲିସ ମାମଲା ରୁଜୁ କରି ଦୁର୍ଘଟଣାର ପ୍ରକୃତ କାରଣ ଖୋଜୁଛି ।










