ନୂଆଦିଲ୍ଲୀ: ପଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶନିବାର ହେବାକୁ ଥିବା ନୀତି ଆୟୋଗ ବୈଠକରେ ତିନିଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବାକୁ ମନା କରିଦେଇଛନ୍ତି । ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍) ସାମିଲ । ଦିଲ୍ଲୀରେ ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂ ମାମଲାରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ବିରୋଧରେ ସେମାନେ ଏହି ନିଷ୍ପତ୍ତି ନେଇଛନ୍ତି । କେଜରିୱାଲ୍ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, କେନ୍ଦ୍ରର ଅଧ୍ୟାଦେଶକୁ ସାରା ଦେଶରେ ବିରୋଧ ହେଉଛି ।
ଲୋକମାନେ କହୁଛନ୍ତି, ପ୍ରଧାନମନ୍ତ୍ରୀ ଯଦି ସୁପ୍ରିମ୍କୋର୍ଟଙ୍କୁ ମାନୁ ନାହାନ୍ତି, ତେବେ ଆମେ ନ୍ୟାୟ ପାଇଁ କାହା ପାଖକୁ ଯିବୁ । ଖୋଲାଖୋଲି ସମ୍ବିଧାନର ପରିହାସ କରାଯାଉଥିବା ବେଳେ ବୈଠକରେ ସାମିଲ ହେବାର କୌଣସି ଉଦ୍ଦେଶ୍ୟ ନାହିଁ । ସେହିପରି ତାଙ୍କର କୌଣସି ପ୍ରତିନିଧି ମଧ୍ୟ ବୈଠକରେ ଯୋଗ ଦେବେନି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ମେ’ ୨୭ ତାରିଖରେ ନୀତି ଆୟୋଗ ଗଭର୍ଣ୍ଣିଂ କାଉନ୍ସିଲ୍ର ଅଷ୍ଟମ ବୈଠକରେ ଅଧ୍ୟକ୍ଷତା କରିବେ । ଏହି ବୈଠକରେ ସ୍ୱାସ୍ଥ୍ୟ, କୌଶଳ ବିକାଶ, ମହିଳା ସଶକ୍ତୀକରଣ ଉପରେ ଫୋକସ୍ କରାଯିବ । ବୈଠକକୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କୁ ନିମନ୍ତ୍ରଣ କରାଯାଇଛି ।