ବେଙ୍ଗାଲୁର: ସୋମବାର ସ୍ଥାନୀୟ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ (ଏସ୍ଆର୍ଏଚ୍) ମଧ୍ୟରେ ଖେଳାଯାଇଥିବା ହାଇସ୍କୋରିଂ ମ୍ୟାଚ୍ରେ ଅନେକ ରେକର୍ଡ ହୋଇଛି । ଏହା ମଧ୍ୟରେ ୱିକେଟ୍କିପର୍ ବ୍ୟାଟର୍ ଦିନେଶ କାର୍ତ୍ତିକ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି । କାର୍ତ୍ତିକଙ୍କ ୩୫ ବଲ୍ରେ ୮୩ ରନ୍ର ବିସ୍ଫୋରକ ଇନିଂସ୍ ମଧ୍ୟରେ ୭ଟି ଛକା ସାମିଲ ଥିଲା । ଏହା ମଧ୍ୟରୁ ଗୋଟିଏ ଚଳିତ ସିଜନ୍ର ସବୁଠୁ ଲମ୍ବା ଛକା ହୋଇଛି । ଆର୍ସିବି ଇନିଂସ୍ର ୧୬ଶ ଓଭର୍ରେ ଟି. ନଟରାଜନ୍ ପ୍ୟାଡ୍ସ ଲାଇନ୍ରେ ପକାଇଥିବା ଏକ ବଲ୍କୁ କାର୍ତ୍ତିକ ଫ୍ଲିକ୍ କରିଥିଲେ ଏବଂ ଏହା ଡିପ୍ ଫାଇନ୍ ଲେଗ୍ ଅଞ୍ଚଳରେ ବାଉଣ୍ଡାରୀ ପାର୍ କରି ସିଧା ଷ୍ଟାଡିୟମ୍ ଛାତରେ ବାଜିଥିଲା । ଏହି ଛକା ୧୦୮ ମିଟର ଲମ୍ବା ଥିଲା । ଏହା ସହିତ ଏହି ଛଖା ସିଜନ୍ର ସବୁଠୁ ଲମ୍ବା ଛକା ହୋଇଛି । ଏହା ପୂର୍ବରୁ ମ୍ୟାଚ୍ରେ ଏସ୍ଆର୍ଏଚ୍ ଇନିଂସ୍ ଅବସରରେ ହେନ୍ରିକ୍ କ୍ଲାସେନ୍ଙ୍କ ବ୍ୟାଟ୍ରୁ ମଧ୍ୟ ୧୦୬ ମିଟର ଲମ୍ବା ଛକା ଦେଖିବାକୁ ମିଳିଥିଲା । ଏହା ଆଇପିଏଲ୍ ୨୦୨୪ ସିଜନ୍ର ଯୁଗ୍ମଭାବେ ସବୁଠୁ ଲମ୍ବା ଛକା ଥିଲା । ମାତ୍ର କାର୍ତ୍ତିକ ନିଜ ଶଟ୍ ଜରିଆରେ ଏହା ଭଙ୍ଗ କରିବା ସହ ସିଜନ୍ର ସବୁଠୁ ଲମ୍ବା ଛକା ହାସଲକାରୀ ଖେଳାଳି ହୋଇଛନ୍ତି । କାର୍ତ୍ତିକ ଏହି ମ୍ୟାଚ୍ରେ ମାତ୍ର ୨୩ ବଲ୍ରେ ଅର୍ଦ୍ଧଶତକ ପୂରଣ କରିଥିଲେ । ତେବେ ନିଜର ଏହି ଦମ୍ଦାର ଇନିଂସ୍ରେ ଟିମ୍କୁ ବିଜୟୀ କରିବାପରେ ସଫଳ ହୋଇନଥିଲେ ।