28.1 C
Bhubaneswar
Thursday, May 2, 2024
Homeଓଡିଶାକରୋନା ପଜିଟିଭ ଗର୍ଭବତୀଙ୍କ ସୁରକ୍ଷିତ ପ୍ରସବ, ଡାକ୍ତରଖାନା ସଙ୍ଗରୋଧରେ ମା’ ଓ ଶିଶୁ

କରୋନା ପଜିଟିଭ ଗର୍ଭବତୀଙ୍କ ସୁରକ୍ଷିତ ପ୍ରସବ, ଡାକ୍ତରଖାନା ସଙ୍ଗରୋଧରେ ମା’ ଓ ଶିଶୁ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଜଣେ କରୋନା ପଜିଟିଭ ଦିବ୍ୟାଙ୍ଗ ଗର୍ଭବତୀଙ୍କ ସଫଳତାର ସହ ପ୍ରସବ କରାଇଛନ୍ତି ଡାକ୍ତର । ଏହି ଦୃଷ୍ଟାନ୍ତମୂଳକ କାର୍ଯ୍ୟକୁ ସଫଳତାର ସହ ସଂପାଦନ କରିଛନ୍ତି ଚକାପାଦ ବ୍ଲକ ବ୍ରାହ୍ମଣପାଦ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ନିଶାନ୍ତ ନାୟକ ଓ ତାଙ୍କ ସହଯୋଗୀ । ଡାକ୍ତର ନାୟକଙ୍କ ସୂଚନା ଅନୁସାରେ ଉଭୟ ମା’ ଓ ଛୁଆ ସୁସ୍ଥ ଅଛନ୍ତି, ତେବେ ଛୁଆ ବି  ପଜିଟିଭ ଥାଇପାରେ ବୋଲି ଅନୁମାନ କରାଯାଉଛି । ସେମାନଙ୍କୁ ଏବେ ବ୍ରାହ୍ମଣପାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସଂଗରୋଧରେ ରଖାଯାଇଛି ।
ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ ବ୍ରାହ୍ଣଣପାଦ ବିଦ୍ୟୁତ କଲୋନୀ ବାସିନ୍ଦା ଏହି ଦିବ୍ୟାଙ୍ଗ ମହିଳା ଜଣକ ଗର୍ଭବତୀ ଥିଲେ । ଗତ ୮ ତାରିଖରେ ସେ ପଜିଟିଭ ଥିବା ଜଣାପଡିଥିଲା ।

ଏହା ପରଠାରୁ ତାଙ୍କୁ ବଡଗାଁ କୋଭିଡ କେୟାର ସେଣ୍ଟରରେ ରଖାଯାଇଥିଲା । ଆଜି ତାଙ୍କୁ ବ୍ରାହ୍ମଣପାଦ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ନାୟକ ଓ ତାଙ୍କ ସହଯୋଗୀମାନେ କୋଭିଡ ନିୟମ ମାନି ତାଙ୍କର ପ୍ରସବ କରାଇଥିଲେ । ତେବେ ଡାକ୍ତର ନାୟକ ପ୍ରଥମେ ଦ୍ୱନ୍ଦ୍ୱରେ ପଡିଥିଲେ । କୋଭିଡ ପଜିଟିଭ ଥିବାରୁ ତାଙ୍କୁ ସାଧାରଣ ଆମ୍ବୁଲାନ୍ସରେ ଫୁଲବାଣୀ ସ୍ଥାନାନ୍ତର କରିବା ମନା । ଅନ୍ୟପଟେ ପ୍ରସବ ବେଦନା ଭୋଗୁଥିବା ଜଣେ ମହିଳାଙ୍କୁ କୋଭିଡ ଆମ୍ବୁଲାନ୍ସରେ ପଠାଇବା ବି ସମ୍ଭବ ନୁହେଁ । ସେ ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ପ୍ରସୂତୀ ବିଶେଷଜ୍ଞ ଡ.ଅଭୟ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ ବ୍ରାହ୍ମଣପାଦଠାରେ ହିଁ ପ୍ରସବ କରାଇବା ପାଇଁ ସ୍ଥିର କରିଥିଲେ ବୋଲି ଡ.ନାୟକ ପ୍ରକାଶ କରିଛନ୍ତି ।

ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଆପଣେଇ ଏହି କାର୍ଯ୍ୟ ସଂପାଦନ କରାଯାଇଥିଲା । ଏଥିରେ ସ୍ୱାସ୍ଥ୍ୟକେନ୍ଦ୍ରର ସବୁ କର୍ମଚାରୀ ଆବଶ୍ୟକୀୟ ସହଯୋଗ କରିଥିଲେ । ସଫଳ ପ୍ରସବ ପରେ ମହିଳା ଜଣକ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଶିଶୁଟି ସଂପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତର କହିଛନ୍ତି । କିନ୍ତୁ ନବଜାତ ଶିଶୁର କୋଭିଡ ପରୀକ୍ଷା କରିବା ଏକ କଷ୍ଟକର ବ୍ୟାପାର ହୋଇଥିବାରୁ ଏହା କରାଯାଇ ନାହିଁ । ୪୮ ଘଣ୍ଟା ପରେ ଏହି ପରୀକ୍ଷା କରାଯିବ ବୋଲି ଡାକ୍ତର କହିଛନ୍ତି । ତେବେ ମା’ ପଜିଟିଭ ଥିବାରୁ ଶିଶୁ ମଧ୍ୟ ପଜିଟିଭ ଥିବାର ସମସ୍ତ ସମ୍ଭାବନା ରହିଛି ବୋଲି ସେ ପ୍ରକାଶ କରିଛନ୍ତି । ପରୀକ୍ଷା ପରେ ଯଜି ପଜିଟିଭ୍ ଆସେ ଶିଶୁର କରୋନା ଚିକିତ୍ସା କରାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking