27.1 C
Bhubaneswar
Wednesday, January 22, 2025
Homeଖେଳଜୁନ୍ ୪ରୁ ୩୦ ଟି-୨୦ ବିଶ୍ୱକପ୍‌!

ଜୁନ୍ ୪ରୁ ୩୦ ଟି-୨୦ ବିଶ୍ୱକପ୍‌!

ନୂଆଦିଲ୍ଲୀ : ଆସନ୍ତା ବର୍ଷ ଖେଳାଯିବାକୁ ଥିବା ପୁରୁଷ ଟି-୨୦ ବିଶ୍ୱକପ୍ ଜୁନ୍ ୪ରୁ ଆରମ୍ଭ ହେବାର ସମ୍ଭାବନା ରହିଛି । ନୂଆ ଫର୍ମାଟ୍‌ରେ ଖେଳାଯିବାକୁ ଥିବା ଏହି ବିଶ୍ୱକପ୍‌ର ଫାଇନାଲ୍ ମ୍ୟାଚ୍ ଜୁନ୍ ୩୦ ତାରିଖରେ ଖେଳାଯିବ ବୋଲି ଏକ କ୍ରୀଡ଼ାଭିତ୍ତିକ ୱେବ୍‌ସାଇଟ୍‌ରେ ପ୍ରକାଶିତ ଖବରରେ ଦାବି କରାଯାଇଛି । ଏହି ରିପୋର୍ଟ ଅନୁସାରେ, ନିକଟରେ ଆଇସିସି ପ୍ରତିନିଧିମଣ୍ଡଳୀ ଆମେରିକାର ଫ୍ଲୋରିଡାସ୍ଥିତ ଲାଉଡର୍‌ହିଲ୍ ଭେନ୍ୟୁ ପରିଦର୍ଶନ କରିଥିବା ବେଳେ ଏହାକୁ ଆଗାମୀ ଟି-୨୦ ବିଶ୍ୱକପ୍‌ର ଅନ୍ୟତମ ଭେନ୍ୟୁ ଭାବେ ବିଚାର କରାଯାଉଛି । ଏହାଛଡ଼ା ବର୍ତ୍ତମାନ ମେଜର୍ ଲିଗ୍ କ୍ରିକେଟ୍‌ର ପ୍ରଥମ ସଂସ୍କରଣ ଜାରି ରହିଥିବା ଆମେରିକାର ମୋରିସଭିଲେସ୍ଥିତ ଚର୍ଚ୍ଚ ଷ୍ଟ୍ରୀଟ୍ ପାର୍କ ଓ ଡାଲାସ୍‌ସ୍ଥିତ ଗ୍ରାଣ୍ଡ ପ୍ରେରୀ ଷ୍ଟାଡିୟମ୍‌କୁ ମଧ୍ୟ ଏହି ତାଲିକାରେ ରଖାଯାଇଛି ।

ଅବଶ୍ୟ ଲାଉଡର୍‌ହିଲ୍‌ରେ ପୂର୍ବରୁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଥିଲେ ହେଁ ଅନ୍ୟ ଦୁଇଟି ଭେନ୍ୟୁକୁ ଅଦ୍ୟାବଧି ଏହି ସୁଯୋଗ ମିଳିପାରିନାହିଁ । ଅବଶ୍ୟ ପରବର୍ତ୍ତୀ ସମୟରେ ଆମେରିକା କ୍ରିକେଟ୍ ଓ କ୍ରିକେଟ୍ ୱେଷ୍ଟ୍‌ଇଣ୍ଡିଜ୍ ସହ ଆଲୋଚନା ପରେ ଏନେଇ ଆଇସିସି ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି । ସମ୍ପ୍ରତି ୱେଷ୍ଟ୍‌ଇଣ୍ଡିଜ୍ ଗସ୍ତରେ ଥିବା ଭାରତ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ଅନ୍ତିମ ଦୁଇଟି ମ୍ୟାଚ୍ ଲାଉଡର୍‌ହିଲ୍‌ଠାରେ ଖେଳିବ । ଟି-୨୦ ବିଶ୍ୱକପ୍‌ର ଆଗାମୀ ନବମ ସଂସ୍କରଣରେ ପ୍ରଥମ ଥର ପାଇଁ ୨୦ଟି ଟିମ୍ ଭାଗନେବେ ଓ ସେମାନଙ୍କୁ ୪ଟି ଗ୍ରୁପ୍‌ରେ ବିଭକ୍ତ କରାଯିବ । ପ୍ରତି ଗ୍ରୁପ୍‌ର ଶୀର୍ଷ ୨ଟି ଲେଖାଏଁ ଦଳ ସୁପର୍‌-୮ ପର୍ଯ୍ୟାୟକୁ ଉନ୍ନୀତ ହେବେ ।

ସେମାନଙ୍କୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯିବ ଓ ଉଭୟ ଗ୍ରୁପ୍‌ର ଦୁଇଟି ଲେଖାଏଁ ଶୀର୍ଷ ଟିମ୍ ମଧ୍ୟରେ ସେମିଫାଇନାଲ୍ ଖେଳାଯିବ । ସୂଚନାଯୋଗ୍ୟ ଯେ ଚଳିତ ସପ୍ତାହର ପ୍ରାରମ୍ଭରେ ବିଶ୍ୱକପ୍‌ର ଆଗାମୀ ସଂସ୍କରଣରେ ଭାଗନେବା ସକାଶେ ଆୟର୍ଲାଣ୍ଡ୍‌, ସ୍କଟ୍‌ଲାଣ୍ଡ୍ ଓ ପପୁଆ ନ୍ୟୁ ଗିନି (ପିଏନ୍‌ଜି) ଦଳ ଯୋଗ୍ୟତା ପାଇସାରିଛନ୍ତି । ପିଏନ୍‌ଜି ଇଷ୍ଟ୍ ଏସିଆ-ପ୍ୟାସିଫିକ୍ କ୍ୱାଲିଫାୟର୍‌ରେ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଆୟର୍ଲାଣ୍ଡ୍ ଓ ସ୍କଟ୍‌ଲାଣ୍ଡ୍ ୟୁରୋପ୍ ରିଜିଅନ୍ କ୍ୱାଲିଫାୟର୍‌ରେ ଶୀର୍ଷ ଦୁଇଟି ସ୍ଥାନ ଅଧିକାର କରି ଏହି ସୁଯୋଗ ପାଇଛନ୍ତି । ଏହାଛଡ଼ା ଆଗାମୀ ମାସଗୁଡ଼ିକରେ ହେବାକୁ ଥିବା କ୍ୱାଲିଫାୟର୍ ମାଧ୍ୟମରେ ଆମେରିକାର ଗୋଟିଏ ଦଳ ଏବଂ ଆଫ୍ରିକା ଓ ଏସିଆର ଦୁଇଟି ଲେଖାଏଁ ଦଳ ପାଖରେ ଆଲୋଚ୍ୟ ବିଶ୍ୱକପ୍ ସଂସ୍କରଣ ପାଇଁ ଯୋଗ୍ୟତା ହାସଲର ସୁଯୋଗ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking