34.1 C
Bhubaneswar
Thursday, May 8, 2025
Homeଓଡିଶାଝାରସୁଗୁଡ଼ା ଟକ୍କର: ମତଦାନ ହାର ୭୫.୬୦%; ଇଭିଏମ୍‌ରେ ୯ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍

ଝାରସୁଗୁଡ଼ା ଟକ୍କର: ମତଦାନ ହାର ୭୫.୬୦%; ଇଭିଏମ୍‌ରେ ୯ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍

ଝାରସୁଗୁଡ଼ା : ଝାରସୁଗୁଡ଼ା ଟକ୍କ୍‌ର । କାଁ ଭାଁ ଗଣ୍ଡଗୋଳକୁ ଛାଡ଼ିଦେଲେ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ଭୋଟ୍ । ଇଭିଏମ୍‌ରେ ସିଲ୍ ହୋଇଛି ୯ ପ୍ରାର୍ଥୀଙ୍କ ଭାଗ୍ୟ । ସମୁଦାୟ ୨ ଲକ୍ଷ ୨୧ ହଜାର ୭୧୯ ଭୋଟର୍‌ଙ୍କ ମଧ୍ୟରୁ ୭୫.୬୦% ଭୋଟର ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ପ୍ରବଳ ତାତି ସତ୍ତ୍ୱେ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ସଂଖ୍ୟାରେ ଭୋଟ୍ ଦେଇଛନ୍ତି । ସନ୍ଧ୍ୟା ୭ ସୁଦ୍ଧା ଚୂଡ଼ାନ୍ତ ମତଦାନ ହାର ଆସିଥିଲେ ହେଁ ଆଉ ୫ ବୁଥ୍‌ରେ ରାତ୍ରୀଯାଏ ଭୋଟିଂ ଚାଲବା ଯୋଗୁଁ ଭୋଟ୍ ହାର ସାମାନ୍ୟ ବୃଦ୍ଧି ହେବ । ଝାରସୁଗୁଡ଼ା ଉପନିର୍ବାଚନ ମୈଦାନରେ ମୋଟ୍ ୯ ଜଣ ପ୍ରାର୍ଥୀ ରହିଥିଲେ ହେଁ ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ମଧ୍ୟରେ ତ୍ରମୁଖୀ ଲଢ଼େଇ ହେବାର ସମ୍ଭାବନା ରହିଛି । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ହତ୍ୟା ପରେ ଏହି ଆସନ ଖାଲି ଥିବାରୁ ଉପନିର୍ବାଚନ ହେଉଛି । ତେଣୁ ଏଠାରେ ଶାନ୍ତି ପୂର୍ଣ୍ଣ ଭାବେ ଭୋଟିଂ କରିବା ନିର୍ବାଚନ ଆୟୋଗଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା । ହେଲେ ସେଥିରେ ସଫଳତା ମିଳିଛି ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ କହିଛନ୍ତି ଯେ, ପୂର୍ବ ଘୋଷଣାନୁସାରେ ସକାଳ ୭ଟାରୁ ମୋଟ୍ ୨୫୩ ବୁଥ୍‌ରେ ମତଦାନ ଆରମ୍ଭ ହୋଇଥିଲା । ସଂଧ୍ୟା ୬ଟା ଭୋଟିଂ ଶେଷ ହୋଇଥିଲା । ମାତ୍ର ଯେଉଁ ବୁଥ୍ ପରିସରରେ ଭୋଟରଙ୍କ ଲମ୍ବା ଲାଇନ୍ ଯୋଗୁଁ ମତଦାନ ବିଳମ୍ବିତ ହୋଇଥିଲା । ସେଥିପାଇଁ ପୁଲିସ୍ ଘେରଦରେ ଭୋଟର ନିଜର ମତ ସାବ୍ୟସ୍ତ କରିଥିଲେ । କେତୋଟି ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଏଥିପାଇଁ ମତଦାର ସାମାନ୍ୟ ବିଳମ୍ବିତ ହୋଇଥିଲା । ହେଲେ ତ୍ରୁଟିର ସମାଧାନ କରାଯାଇଛି । ୩ଟି ପୋଲିଂ ବୁଥ୍‌ରେ ସାମାନ୍ୟ ଗଣ୍ଡଗୋଳ ହୋଇଥିଲେ ବି ମତଦାନରେ କୌଣସି ସମସ୍ୟା ଉପୁଜି ନାହିଁ । ଫଳରେ ଶାନ୍ତି ଶୃଙ୍ଖଳାର ସହ ଭୋଟିଂ ଶେଷ ହୋଇଛି ।

ସିଇଓ ଶ୍ରୀ ଧଳ କହିଛନ୍ତି ଯେ, ଆରମ୍ଭରୁ ଗ୍ରୀଷ୍ମ ଲହରୀକୁ ଭୃକ୍ଷେପ ନକରି ଭୋଟ୍‌ହାର ଠିକ୍ ରହିଛି । ପୂର୍ବାହ୍ନ ୧୧ଟା ସୁଦ୍ଧା ମତଦାନ ହାର ୨୦.୩୮% ଥିଲାବେଳେ ଦିନ ୧ଟା ସୁଦ୍ଧା ୪୧.୨୬%, ୩ଟା ସୁଦ୍ଧା ୫୫.୨୦% ଓ ଅପରାହ୍ନ ୫ଟା ସୁଦ୍ଧା ମତଦାନ ହାର ୬୮.୧୨% ଥିଲା । ହେଲେ ସନ୍ଧ୍ୟା ୭ ସୁଦ୍ଧା ୭୫.୬୦% ରହିଛି । ଅତୀତରେ ଦେଖାଯାଇଛି, ପ୍ରାୟତଃ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଭୋଟ୍ ହାର ଅଧିକ ଥାଏ । ହେଲେ ଝାରସୁଗୁଡ଼ା ଉପନିର୍ବାଚନରେ ମହିଳାଙ୍କ ଭୋଟ୍ ସଂଖ୍ୟା ଅଧିକ ରହିଛି । ମୋଟ୍ ୧ ଲକ୍ଷ ୫୦ ହଜାର ୦୩୫ ଭୋଟ୍ ଗ୍ରହଣ କରାଯାଇଛି । ମହିଳାଙ୍କ ଭୋଟ୍ ସଂଖ୍ୟା ୭୭,୦୨୦ ଥିବାବେଳେ ପୁରୁଷଙ୍କ ଭୋଟ୍ ସଂଖ୍ୟା ୭୪,୦୦୮ । ଭୋଟିଂ ଶେଷ ହେବା ପରେ ଇଭିଏମ୍‌ଗୁଡ଼ିିକୁ କଡ଼ା ସୁରକ୍ଷା ମଧ୍ୟରେ ଝାରସୁଗୁଡ଼ା ଇଞ୍ଜିନିଅରିଂ କଲେଜକୁ ନିଆଯାଇ ଷ୍ଟ୍ରଙ୍ଗ ରୁମ୍‌ରେ ରଖାଯାଇଛି ।

ଶ୍ରୀ ଧଳ କହିଛନ୍ତି ଯେ, ମତଦାନ ପାଇଁ ୧୧୯୪ ଜଣ ପୋଲିଂ କର୍ମଚାରୀ ନିୟୋଜିତ ହୋଇଥିଲେ । ଝାରସୁଗୁଡ଼ା କ୍ଷେତ୍ରରେ ସମୁଦାୟ ୨୫୩ ବୁଥ୍ ମଧ୍ୟରୁ ୧୦୬ ସମ୍ବେଦନଶୀଳ ଥିବାରୁ ସୁରକ୍ଷାକୁ କଡ଼ାକଡ଼ି କରାଯାଇଥିଲା । ଆଇନ୍‌ଶୃଙ୍ଖଳା ରକ୍ଷା ପାଇଁ ଝାରସୁଗୁଡ଼ା ନିର୍ବାଚନ କ୍ଷେତ୍ରକୁ ୫ ଜୋନ୍‌ରେ ବିଭକ୍ତ କରାଯାଇଥିଲା । ଏହି ସମ୍ବେଦନଶୀଳ ବୁଥ୍ ଗୁଡ଼ିକରେ ମାଇକ୍ରୋ ଅବଜର୍ଭର ରହିଥିଲେ ଏବଂ ସମସ୍ତ ୨୫୩ ବୁଥ୍‌ରେ ୱେବ୍ କାଷ୍ଟିଂ ବ୍ୟବସ୍ଥା ହୋଇଥିଲା । ଭୋଟ୍ ବେଳେ ଓଡ଼ିଶା ପୁଲିସର ୧୯ ପ୍ଲାଟୁନ୍ ଫୋର୍ସ, ୩୦୦ ଓଆର୍ କନେଷ୍ଟବଳ, ୧୫୦ ହୋମଗାର୍ଡ଼, ୧୦୦ ଅଫିସରଙ୍କୁ ନିୟୋଜିତ ହୋଇଥିଲେ । ୭ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ୧୪୪ ବୁଥ୍ ଉପରେ ବିଶେଷ ନଜର ରଖବାର ବ୍ୟବସ୍ଥା ହୋଇଥିଲା । ସେଥିପାଇଁ ଶାନ୍ତି ଓ ଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking