26.1 C
Bhubaneswar
Friday, October 11, 2024
Homeଆଇପିଏଲ୍‌-୨୦୨୩ଆଇପିଏଲ୍‌: ଦିଲ୍ଲୀକୁ ୨୭ ରନ୍‌ରେ ହରାଇଲା ଚେନ୍ନାଇ

ଆଇପିଏଲ୍‌: ଦିଲ୍ଲୀକୁ ୨୭ ରନ୍‌ରେ ହରାଇଲା ଚେନ୍ନାଇ

ଚେନ୍ନାଇ: ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍ କିଙ୍ଗ୍‌ସ ଏମ୍ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ବୁଧବାର ଖେଳାଯାଇଥିବା ଚଳିତ ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ୨୭ ରନ୍‌ରେ ହରାଇ ଦେଇଛି । ଟସ୍ ଜିତି ବ୍ୟାଟିଂ ନେଇଥିବା ଚେନ୍ନାଇ ୮ ୱିକେଟ୍ ବିନିମୟରେ ୧୬୭ ରନ୍ କରିଥିଲା । ଜବାବରେ ଦିଲ୍ଲୀ ୮ ୱିକେଟ୍ ହରାଇ ମାତ୍ର ୧୪୦ ରନ୍ କରିବାକୁ ହିଁ ସକ୍ଷମ ହୋଇଥିଲା । ଏହି ବିଜୟ ଫଳରେ ଚେନ୍ନାଇର ୧୨ ମ୍ୟାଚ୍‌ରୁ ୧୫ ପଏଣ୍ଟ୍ ହୋଇଛି ଏବଂ ଦଳକୁ ପ୍ଲେଅଫ୍‌ର ନିକଟତର ହୋଇଛି । ଦଳ ପ୍ଲେଅଫ୍‌ରେ ପହଞ୍ଚିବା ପାଇଁ ଆଉ ଗୋଟିଏ ବିଜୟ ଆବଶ୍ୟକ କରୁଥିବା ବେଳେ ଦୁଇଟି ମ୍ୟାଚ୍ ଖେଳିବାର ଅଛି ।

୧୬୮ ରନ୍‌ର ପିଛା କରୁଥିବା ଦିଲ୍ଲୀକୁ ପ୍ରଥମ ବଲ୍‌ରେ ହିଁ ଧକ୍କା ଲାଗିଥିଲା । ଦଳ ୨୫ ରନ୍ ମଧ୍ୟରେ ତିନିଟି ୱିକେଟ୍ ହରାଇଥିଲା । କ୍ୟାପ୍‌ଟେନ୍ ଡେଭିଡ୍ ୱାର୍ଣ୍ଣର (୦), ଫିଲ୍ ସଲ୍ଟ (୧୭) ଏବଂ ମିଚେଲ୍ ମାର୍ଶ (୫) ଆଉଟ୍ ହୋଇଥିଲେ । ଦୀପକ ଚହର ଦଳର ଦୁଇ ଓପ୍ନର୍‌ଙ୍କୁ ଆଉଟ୍ କରିଥିଲେ । ଦିଲ୍ଲୀ ଇନିଂସ୍‌ର ପ୍ରଥମ ବଲ୍‌ରେ ଚହର ୱାର୍ଣ୍ଣର୍‌ଙ୍କୁ ଆଜିଙ୍କ୍ୟ ରାହାଣେଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଥିଲେ । ଏହାପରେ ସଲ୍ଟ୍‌ଙ୍କୁ ତୃତୀୟ ଓଭର୍‌ରେ ଆଜିଙ୍କ୍ୟ ରାହାଣେଙ୍କ ହାତରେ କ୍ୟାଚ୍ କରାଇଥିଲେ । ୨୫ ରନ୍‌ରେ ଦଳ ତିନିଟି ୱିକେଟ୍ ହରାଇବା ପରେ ମନୀଷ ପାଣ୍ଡେ ଓ ରିଲି ରୁସୋ ଚତୁର୍ଥ ୱିକେଟ୍ ପାଇଁ ଅର୍ଦ୍ଧଶତକୀୟ ଭାଗୀଦାରୀ କରିଥିଲେ । ଉଭୟେ ୫୯ ବଲ୍‌ରେ ୫୯ ରନ୍ ଯୋଗ କରିଥିଲେ । ତେବେ ମନୀଷ ପାଣ୍ଡେଙ୍କୁ ଆଉଟ୍ କରି ମାଥିସା ପାଥିରାନା ଏହି ଯୋଡ଼ି ଭାଙ୍ଗିଥିଲେ । ପାଣ୍ଡେ ୨୯ ବଲ୍‌ରେ ଗୋଟିଏ ଚୌକା ଓ ଦୁଇଟି ଛକା ସହାୟତାରେ ୨୭ ରନ୍ କରିଥିଲେ । ପରେ ପରେ ରୁସୋ ରବୀନ୍ଦ୍ର ଜାଡ଼େଜାଙ୍କ ବଲ୍‌ରେ ପାଥିରାନାଙ୍କୁ କ୍ୟାଚ୍ ଦେଇ ପ୍ୟାଭିଲିୟନ୍ ଫେରିଥିଲେ । ସେ ୩୭ ବଲ୍‌ରୁ ଦୁଇଟି ଚୌକା ଏବଂ ଗୋଟିଏ ଛକା ବଳରେ ୩୫ ରନ୍ କରିଥିଲେ । ଏହାପରେ ଲଳିତ ଯାଦବ ୫ ବଲ୍‌ରେ ତିନିଟି ଚୌକା ସହାୟତାରେ ୧୨ ରନ୍ କରିଥିବା ବେଳେ ପାଥିରାନାଙ୍କ ତୃତୀୟ ଶିକାର ହୋଇଥିଲେ । ଅମନ୍ ଖାନ୍ ୨ ଏବଂ କୁଲ୍‌ଦୀପ୍ ଯାଦବ (୦) ଅପରାଜିତ ଥିଲେ । ପାଥିରାନା ସର୍ବାଧିକ ୩ଟି ୱିକେଟ୍ ଦଲଖ କରିଥିବା ବେଳେ ଚହରଙ୍କୁ ଦୁଇଟି ସଫଳତା ମିଳିଥିଲା ।

ଟସ୍ ଜିତି ବ୍ୟାଟିଂ ନେଇଥିବା ଚେନ୍ନାଇ ସୁପର୍ କିଙ୍ଗ୍‌ସର ଆରମ୍ଭ ମନ୍ଥର ଥିଲା । ଦଳ ପାୱାର୍ ପ୍ଲେ’ରେ ଏକ ୱିକେଟ୍ ବିନିମୟରେ ୪୯ ରନ୍ କରିଥିଲା । ଦଳୀୟ ସ୍କୋର୍ ୩୨ ବେଳେ ଅକ୍ଷର ପଟେଲ୍ ଡେଭନ୍ କନ୍‌ୱେ (୧୦)ଙ୍କୁ ଏଲ୍‌ବିଡବ୍ଲ୍ୟୁ ଆଉଟ୍ କରିଥିଲେ । ସପ୍ତମ ଓଭର୍‌ରେ ଅକ୍ଷର ପଟେଲ୍ ଓପ୍ନର୍ ଋତୁରାଜ ଗାଏକ୍‌ୱାଡ୍‌ଙ୍କୁ ଅମନ୍ ଖାନ୍‌ଙ୍କ ହାତରେ କ୍ୟାଚ୍ କରାଇ ପ୍ୟାଭିଲିୟନ୍ ଫେରାଇ ଦେଇଥିଲେ । କାଏକୱାଡ୍ ୧୮ ବଲ୍‌ରେ ୪ ଚୌକା ସହାୟତାରେ ୨୪ ରନ୍ କରିଥିଲେ । ଦଶମ ଓଭର୍‌ରେ ମୋଇନ୍ ଖାନ୍ (୭) କୁଲ୍‌ଦୀପ୍ ଯାଦବଙ୍କ ଶିକାର ହୋଇଥିଲେ । ଆଜିଙ୍କ୍ୟ ରାହାଣେ ୨୧ ରନ୍ କରିଥିବା ବେଳେ ଲଳିତ ଯାଦବ ତାଙ୍କୁ କଟ୍ ଆଣ୍ଡ୍ ବୋଲ୍ଡ କରିଥିଲେ । ଶିଭମ୍ ଦୁବେ ଜୋର୍‌ଦାର ପ୍ରଦର୍ଶନ କରି ୧୨ ବଲ୍‌ରେ ୩ ଛକା ସହାୟତାରେ ଦଳ ପକ୍ଷରୁ ସର୍ବାଧିକ ୨୫ ରନ୍ କରିଥିଲେ ।

ତେବେ ମିଚେଲ୍ ମାର୍ଶଙ୍କ ଏକ ବଲ୍‌କୁ ପୁଲ୍ କରିବାକୁ ଯାଇ ୱାର୍ଣ୍ଣର୍‌ଙ୍କ ହାତରେ ଧରାପଡ଼ିଥିଲେ । ଅମ୍ବାତି ରାୟୁଡ଼ୁ ୧୭ ବଲ୍‌ରେ ଗୋଟିଏ ଲେଖାଏଁ ଚୌକା ଓ ଛକା ସହାୟତାରେ ୨୩ ରନ୍ କରିଥିବା ବେଳେ ଖଲିଲ୍ ଅହମ୍ମଦଙ୍କ ବଲ୍‌ରେ ରିପଲ୍ ପଟେଲ୍‌ଙ୍କୁ କ୍ୟାଚ୍ ଦେଇ ଫେରିଥିଲେ । ଏହାପରେ କ୍ୟାପ୍‌ଟେନ୍ ମହେନ୍ଦ୍ର ସିଂହ ଧୋନି ଓ ରବୀନ୍ଦ୍ର ଜାଡ଼େଜା ଶେଷ ଆଡ଼କୁ ବିସ୍ଫୋରଣ ବ୍ୟାଟିଂ କରିଥିଲେ । ଦୁହେଁ ୧୮ ବଲ୍‌ରେ ୩୮ ରନ୍ ଯୋଡ଼ିଥିଲେ । ତେବେ ଅନ୍ତିମ ଓଭର୍‌ର ଦ୍ୱିତୀୟ ବଲ୍‌ରେ ମିଚେଲ୍ ମାର୍ଶ ଜାଡ଼େଜାଙ୍କୁ ଆଉଟ୍ କରି ଏହି ଯୋଡ଼ି ଭାଙ୍ଗିଥିଲେ । ଏହାପରେ ପଞ୍ଚମ ବଲ୍‌ରେ ଧୋନିଙ୍କୁ ଆଉଟ୍ କରିଥିଲେ । ଧୋନି ନଅ ବଲ୍‌ରେ ଗୋଟିଏ ଚୌକା ଓ ଦୁଇଟି ଛକା ସହାୟତାରେ ଧୂଆଁଧାର ୨୦ ରନ୍ ଯୋଗ କରିଥିଲେ । ଦିଲ୍ଲୀ ପକ୍ଷରୁ ମିଚେଲ୍ ମାର୍ଶ ୧୮ ରନ୍ ବ୍ୟୟ କରି ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ । ସେହିପରି ଅକ୍ଷର ପଟେଲ୍ ୨ଟି, ଲଳିତ ଯାଦବ, ଖଲିଲ୍ ଅହମ୍ମଦ ଓ କୁଲଦୀପ୍ ଯାଦବଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking