ଭୁବନେଶ୍ବର : ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ଘଟଣାକୁ ୧୦ ଦିନ ପୂରିଲାଣି । ହେଲେ କେମିତି ତାଙ୍କର ମୃତ୍ୟୁ ହେଲା ? ତାହା ଏବେ ବି ଅସ୍ପଷ୍ଟ । ଅଭିଯୁକ୍ତ ରାକେଶର ମୋବାଇଲ୍ ଫୋନ୍ ଜବତ କରିଛି କୁଆଖିଆ ପୋଲିସ। ଘଟଣା ପରେ ରାକେଶ ପିନ୍ଧିଥିବା ଡ୍ରେସ୍ ଓ ମୋବାଇଲକୁ ନିଜ ସୁନ୍ଦରପଦାସ୍ଥିତ ଘରେ ଲୁଚାଇ ରଖିଥିଲା। ୩ ଦିନିଆ ରିମାଣ୍ଡରେ ଆଣି ଜେରା କରିବା ପରେ ଏସବୁର ସନ୍ଧାନ ମିଳିଛି। ଗତକାଲି ସ୍କୁଟି ଜବତ ହୋଇଥିଲା । ଏହି ଘଟଣାରେ ଏବେବି ଅଭିଯୁକ୍ତ ରାକେଶର ସହଯୋଗୀ ଶେଖର ଫେରାର ଅଛି । ଝରାଫୁଲଙ୍କ ମୋବାଇଲ୍ ମଧ୍ୟ ପୋଲିସ ହାତରେ ଲାଗିନି ।
୩ ଦିନିଆ ରିମାଣ୍ଡର ଶେଷ ଦିନରେ ବୟଫ୍ରେଣ୍ଡ ରାକେଶକୁ ଗୁଡେଇତୁଡେଇ ପ୍ରଶ୍ନ କରିଛି ପୋଲିସ । ରାକେଶର ଭାଇ ଓ ସଂପର୍କୀୟ ଭାଇଙ୍କୁ ବି ପଚରାଉଚରା ପରେ ଛାଡି ଦିଆଯାଇଛି । ପୂରା ଘଟଣା ଉପରୁ ପରଦା ହଟାଇବା ପାଇଁ ପୋଲିସ ରାକେଶର ଲାଇ ଡିଟେକ୍ସନ ଟେଷ୍ଟ କରିବ । ୨୬ ତାରିଖର ରହସ୍ୟ ସମ୍ପର୍କରେ ତଥ୍ୟ ଯୋଗାଡ଼ କରୁଛି ପୋଲିସ । ୩ ଦିନିଆ ରିମାଣ୍ଡ ଶେଷ ହେବା ପରେ ଆଜି ରାକେଶକୁ ଯାଜପୁର ଜିଲ୍ଲା ଓ ଦୌରା ଜଜ୍ଙ୍କ କୋର୍ଟରେ ହାଜର କରାଯିବ।