ଦୁବାଇ: ଶ୍ରୀଲଙ୍କାର ଯୁବ ସ୍ପିନର୍ ପ୍ରବତ୍ ଜୟସୂରିୟା ଓ ଇଂଲଣ୍ଡର ଉଦୀୟମାନ ଅଲ୍ରାଉଣ୍ଡର୍ ଏମା ଲ୍ୟାମ୍ବ୍ ଯଥାକ୍ରମେ ପୁରୁଷ ଓ ମହିଳା ବିଭାଗରେ ଆଇସିସି ପ୍ଲେୟର୍ ଅଫ୍ ଦି ମନ୍ଥ (ଜୁଲାଇ) ବିବେଚିତ ହୋଇଛନ୍ତି । ୩୦ ବର୍ଷୀୟ ଜୟସୂରିୟା ଏହି ପୁରସ୍କାର ଦୌଡ଼ରେ ଇଂଲଣ୍ଡର ଇନଫର୍ମ ବ୍ୟାଟ୍ସମ୍ୟାନ୍ ତଥା ଜୁନ୍ରେ ଆଇସିସି ପ୍ଲେୟର୍ ଅଫ୍ ଦି ମନ୍ଥ ବିବେଚିତ ହୋଇଥିବା ଜନ୍ନି ବେୟାର୍ଷ୍ଟୋ ଓ ଫ୍ରେଞ୍ଚ୍ ଯୁବ ଖେଳାଳି ଗୁସ୍ତାଭ ମ୍ୟାକ୍କିଓନ୍ଙ୍କୁ ପଛରେ ପକାଇଦେଇଛନ୍ତି । ଜୁଲାଇରେ ଗଲ୍ଠାରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍ ସିରିଜ୍ର ଅନ୍ତିମ ମ୍ୟାଚ୍ରେ ଟେଷ୍ଟ୍ ଡେବ୍ୟୁ କରିଥିବା ଜୟସୂରିୟା ୧୨ଟି ୱିକେଟ୍ ନେଇ ସିରିଜ୍ ବରାବର କରିବାରେ ମୁଖ୍ୟ ଭୂମିକା ନେଇଥିଲେ ।
ଏହାପରେ ସେ ପାକିସ୍ତାନ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ରେ ମଧ୍ୟ ତାଙ୍କ ଚମତ୍କାର ଫର୍ମ ବଜାୟ ରଖି ୧୭ଟି ୱିକେଟ୍ ନେଇଥିଲେ । ଅନ୍ୟପକ୍ଷରେ ଲ୍ୟାମ୍ବ୍ ସାଉଥ୍ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରେ ଚମତ୍କାର ପ୍ରଦର୍ଶନ ପରିପ୍ରେକ୍ଷୀରେ ଆଇସିସି ପୁରସ୍କାର ହାତେଇଛନ୍ତି । ୨୪ ବର୍ଷୀୟା ଲ୍ୟାମ୍ବ୍ ଏହି ଦୌଡ଼ରେ ନିଜ ଦେଶର ଅଧିନାୟିକା ନାତାଲି ସ୍କିଭର୍ ଓ ଭାରତୀୟ ପେସର୍ ରେଣୁକା ସିଂହଙ୍କୁ ମାତ୍ ଦେବାରେ ସକ୍ଷମ ହୋଇଛନ୍ତି । ଆଲୋଚ୍ୟ ସିରିଜ୍ରେ ଲ୍ୟାମ୍ବ୍ ୨୩୪ ରନ୍ କରିଥିବା ବେଳେ ଏଥିରେ ଗୋଟିଏ ଶତକ ଓ୨ଟି ଅର୍ଦ୍ଧଶତକ ରହିଥିଲା । ସେ ପ୍ରଥମ ମ୍ୟାଚ୍ରେ ମାତ୍ର ୯୭ ବଲ୍ରେ ୧୦୨ ରନ୍ କରିବା ପରେ ପରବର୍ତ୍ତୀ ଦୁଇଟି ମ୍ୟାଚ୍ରେ ୫୫ ବଲରେ ୬୭ ଓ ୬୬ ବଲ୍ରେ ୬୫ ରନ୍ର ଆକର୍ଷଣୀୟ ଇନିଂସ ଖେଳିଥିଲେ ।